ଶୁଖିଗଲା ଇନ୍ଦ୍ରାବତୀ ଜଳଭଣ୍ଡାର: ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦନ ବନ୍ଦ
/ତେନ୍ତୁଳିଖୁଣ୍ଟି: ପୂର୍ବାନୁମାନ ସତ ହେଲା। ଶୁଖିଗଲାଣି ଇନ୍ଦ୍ରାବତୀ ଜଳଭଣ୍ଡାର। ଯାହାର ସିଧାସଳଖ ପ୍ରଭାବ ଏବେ ବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିଛି। ମୁଖିଗୁଡ଼ା ପାୱାର ହାଉସରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ୧ଲକ୍ଷ ୪୮ହଜାର ୫୫୦ ହେକ୍ଟୋମିଟର ଜଳ ଗଚ୍ଛିତ ରହିପାରିବ। ଆଜି ଜଳଭଣ୍ଡାର ଜଳସ୍ତର ୬୩୪.୭୯ ମିଟର ରହିଥିଲା ବେଳେ ୭୨,୭୨୦ ହେକ୍ଟୋମିଟର ଜଳ ଗଚ୍ଛିତ ରହିଛି। ମୋଟ ଜଳଧାରଣ କ୍ଷମତାର ମାତ୍ର ୪୮.୯୫ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଠିକ୍ ବର୍ଷକ ତଳେ ଆଜିର ତାରିଖରେ ଜଳଭଣ୍ଡାର ଜଳସ୍ତର ୬୩୬.୪୫ ମିଟର ରହିବା ସହ ୮୭,୯୬୬ ହେକ୍ଟୋମିଟର ଜଳ ଗଚ୍ଛିତ ଥିଲା। ଯାହାକି ଜଳଭଣ୍ଡାର କ୍ଷମତାର ୫୯.୨୧ ପ୍ରତିଶତ। ଜଳଭଣ୍ଡାର ଶୁଷ୍କ ହେଉଥିବାରୁ ମୁଖିଗୁଡ଼ା ପାୱାରହାଉସ୍କୁ ଜଳ ଛଡ଼ାଯାଉନି। ଫଳରେ ଡିସେମ୍ବର ପହିଲାରୁ ଏଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି।
ମୁଖିଗୁଡ଼ା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର କ୍ଷମତା ୧୪,୪୦୦ ମେଗାୱାଟ। ବିଦ୍ୟୁତ୍ ଉତ୍ପାଦନ ପରେ ନିଷ୍କାସିତ ଜଳ କେନାଲ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରେ ଜଳସେଚନ ହେଉଛି। ବର୍ତ୍ତମାନ ଜଳଭଣ୍ଡାର ଶୁଖିବାରେ ଲାଗିଥିବାରୁ ଆଗାମୀ ରବି ଫସଲକୁ ଦୃଷ୍ଟିରେ ରଖି ପାୱାର୍ ହାଉସ୍କୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଫେବ୍ରୁଆରିରେ ରବି ଫସଲ ନିମନ୍ତେ ପାୱାର ହାଉସ୍କୁ ପାଣି ଛଡ଼ାଯାଇ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।