ଦେଶ- ବିଦେଶ

ଦୁର୍ଘଟଣାର ବଡ଼ କାରଣ ଲେନ୍ ଶୃଙ୍ଖଳା ନ ମାନିବା: ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଲେନ୍ ବିଶୃଙ୍ଖଳାର ସମସ୍ୟା ପ୍ରତି ପୁଣି ଥରେ ଦୃଷ୍ଟି ଆକର୍ଷଣ କରି ଏହାକୁ ଭାରତରେ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି କହିଛନ୍ତି। ଲୋକସଭାରେ ପ୍ରଶ୍ନକାଳରେ ଗଡ଼କରୀ ଏକ ବ୍ୟକ୍ତିଗତ ଉଦାହରଣ ଦେଇ କହିଛନ୍ତି ଯେ ଟ୍ରାଫିକ ଉଲ୍ଲଂଘନ ପାଇଁ ମୁମ୍ବାଇରେ ତାଙ୍କ ନିଜ କାର୍‌କୁ ମଧ୍ୟ ଦୁଇଥର ଜରିମାନା କରାଯାଇଛି। ସେ ଜୋର ଦେଇ କହିଛନ୍ତି ଯେ ଦୁର୍ଘଟଣା ପାଇଁ ଦ୍ରୁତଗତିକୁ ଅନେକ ସମୟରେ ଦାୟୀ କରାଯାଉଥିବା ବେଳେ ଲେନ୍ ଶୃଙ୍ଖଳା ପାଳନ ନ କରିବା ଭାରତୀୟ ସଡ଼କରେ ଏକ ଗମ୍ଭୀର ସମସ୍ୟା।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଶୃଙ୍ଖଳାର ସହିତ ଦ୍ରୁତଗତିରେ ଗାଡି ଚଳାଇଲେ ତାହା ବିପଦ ସୃଷ୍ଟି କରି ନ ଥାଏ, ଯାହା ଅନେକ ବିକଶିତ ଦେଶରେ ଦେଖାଯାଇଛି। ତେବେ ଭାରତରେ ଲେନ୍ ବ୍ୟବହାର ଭଳି ମୌଳିକ ଟ୍ରାଫିକ୍ ନିୟମକୁ ଅଣଦେଖା କଲେ ଦୁର୍ଘଟଣାର ଆଶଙ୍କା ବଢିଯାଏ।

ଦ୍ରୁତଗତି ନୁହେଁ ବରଂ ବିଶୃଙ୍ଖଳିତ ଡ୍ରାଇଭିଂ ଆମ ରାସ୍ତାକୁ ବିପଜ୍ଜନକ କରିଥାଏ ବୋଲି ଗଡ଼କରୀ ସ୍ପଷ୍ଟ କରିଛନ୍ତି। ଟ୍ରାଫିକ ନିୟମ ପାଳନର ଗୁରୁତ୍ୱ ଉପରେ ଭାରତୀୟ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି ବୋଲି ଗଡ଼କରୀ କହିଥିଲେ। ପିଲାମାନଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରାଯିବା ଦରକାର। ସରକାର ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ନିୟମ ଉଲ୍ଲଂଘନ ଉପରେ ନଜର ରଖିଛନ୍ତି ବୋଲି ଗଡ଼କରୀ କହିଥିଲେ। ଏହାପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ସାଂସଦଙ୍କ ସାମୂହିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଟ୍ରାଫିକ୍ ନିୟମ ଓ ଲେନ୍ ଶୃଙ୍ଖଳାର ଜୀବନ ରକ୍ଷାକାରୀ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଗୃହର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button