ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି, ବାଧ୍ୟବାଧକତାରେ ଅତିରିକ୍ତ ବଜେଟ୍ ଆଣିଛନ୍ତି: ବିରୋଧୀ

ଭୁବନେଶ୍ବର: ରାଜ୍ୟ ସରକାର ମୂଳ ବଜେଟ୍କୁ ଯେପରି ଖର୍ଚ୍ଚ କରିବା କଥା କରିପାରିନାହାନ୍ତି। ହେଲେ ବାଧ୍ୟବାଧକତାରେ ଅତିରିକ୍ତ ବଜେଟ୍ ଆଣିଛନ୍ତି। ଯୋଜନାରେ ଅର୍ଥ ଖର୍ଚ୍ଚ ନକରି ଖାଲି ରଙ୍ଗ ବଦଳାଇବାରେ ବ୍ୟସ୍ତ ଅଛନ୍ତି। ଯେତିକି ଯୋଜନାରେ ନାମ ବଦଳାଇଥିଲେ ତାକୁ ବି ଠିକ୍ ଢଙ୍ଗରେ କାର୍ଯ୍ୟ କରୁନାହାନ୍ତି। ସରକାରଙ୍କର ଆୟ, ବ୍ୟୟ ସବୁ କମିଛି। ଏମିତି ଚାଲିଛି ବର୍ଷ ଶେଷକୁ ୮୦ରୁ ୯୦ହଜାର କୋଟି ଫେରାଇବାକୁ ପଡ଼ିବ। ଆଜି ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଉପରେ ଅାଲୋଚନାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଏହିଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଆଲୋଚନା ଆରମ୍ଭ କରି ବିଜେଡିର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ଅକ୍ଟୋବର ସୁଦ୍ଧା ମୂଳ ବଜେଟ୍ର ଖର୍ଚ୍ଚ ସମ୍ପୂର୍ଣ୍ଣ ନୈରାଶ୍ୟଜନକ। ଯଦି ସେତିକି ଖର୍ଚ୍ଚ କରିପାରୁନ, ଅତିରିକ୍ତ ବଜେଟରେ କାହିଁକି ଅର୍ଥ ବରାଦ ହେଉଛି? ଆମର ୧୫/୧୬ଟି ବିଭାଗ ଅଧିକ ଖର୍ଚ୍ଚ କରନ୍ତି। କିନ୍ତୁ ସେହି ବିଭାଗଗୁଡ଼ିକର ଖର୍ଚ୍ଚ ବି ଉତ୍ସାହଜନକ ନୁହେଁ। ନଗର ଉନ୍ନୟନ ବିଭାଗରେ ମାତ୍ର ୨୨.୯୨% ଅର୍ଥ ଖର୍ଚ୍ଚ ହୋଇଥିଲା ବେଳେ ଅତିରିକ୍ତ ବଜେଟ୍ରେ ଆହୁରି ଏକ ହଜାର କୋଟି ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗରେ ମାତ୍ର ୨୦% ଅର୍ଥ ଖର୍ଚ୍ଚ ହୋଇଛି। ଏହି ବିଭାଗ ଅଧୀନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, କେବିକେ ଆଦି ରହିଛି। କିନ୍ତୁ ମୋ ଜାଣିବାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ତାଲା ପଡ଼ିଗଲାଣି। ସେ ଚାବି କାହା ପାଖରେ ଅଛି? ସରକାର ମିସନ୍ ଶକ୍ତିକୁ ଆଦୌ ଭଲ ପାଉ ନାହାନ୍ତି ବୋଧେ। ଏହି ବିଭାଗରେ ମାତ୍ର ୧୩.୨୪% ଅର୍ଥ ଖର୍ଚ୍ଚ ହୋଇଛି। କୌଣସି ବର୍ଷ ବଜେଟ୍ରେ ଦିଆଯାଉଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରେନି। ଗତ ବର୍ଷ ୪୬ ହଜାର କୋଟି ଟଙ୍କା ଫେରାଇ ଦିଆଯାଇଥିଲା। ଏଥର ଖର୍ଚ୍ଚର ଧାରା ଦେଖିଲେ ଲାଗୁଛି ୮୦ରୁ ୯୦ ହଜାର କୋଟି ଟଙ୍କା ବଳିପଡ଼ିବ। କେନ୍ଦ୍ରରେ ଷୋଡ଼ଶ ଅର୍ଥ କମିସନ୍ ବୈଠକ ଜାନୁଆରିରେ ବସିବ। କିନ୍ତୁ ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ ରାଜ୍ୟ ଅର୍ଥ କମିସନ୍ ଗଠନ ହୋଇ ନାହିଁ।
ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଉପରେ ଆଲୋଚନା
ସରକାର ବଜେଟ୍ରେ ତାଙ୍କର ସମସ୍ତ ପ୍ରତିଶ୍ରୁତି ପୂରଣ କରୁଛନ୍ତି: ବିଜେପି
ଗୌତମବୁଦ୍ଧ ଦାସ କହିଥିଲେ, ନୂଆ ସରକାର ଉତ୍ତରାଧିକାରୀ ସୂତ୍ରରେ ଏକ ବିତ୍ତୀୟ ଶୃଙ୍ଖଳା ପାଇଛନ୍ତି। ହେଲେ ଏହାକୁ ମୋଡ଼ିବାର ସବୁ ବ୍ୟବସ୍ଥା ନୂଆ ସରକାର କରିଛନ୍ତି। ସରକାରଙ୍କ ଆୟ କମିଛି, ଖର୍ଚ୍ଚ ବି କମିଛି। ହେଲେ ଅାନୁପାତିକ ଋଣ ବଢ଼ିଛି। ବିଜେଡି ପକ୍ଷରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦିବ୍ୟଶଙ୍କର ମିଶ୍ର, ଗଣେଶ୍ବର ବେହେରା ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ମହାନଦୀ ଜଳବିବାଦ, ଦରଦାମ୍ ବୃଦ୍ଧି, ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ସରକାର ଚୁପ୍ ରହିବା ଭଳି ପ୍ରସଙ୍ଗ ଉଠାଇବା ସହ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍କୁ ବିରୋଧ କରିଥିଲେ।
କଂଗ୍ରେସ ସଭ୍ୟ ଅଶୋକ ଦାସ କହିଥିଲେ, କୌଣସି ବିଭାଗର କାର୍ଯ୍ୟରେ ଅଗ୍ରଗତି ନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ୁଛି। ବେକାର ଯୁବକଯୁବତୀ ରାଜରାସ୍ତାରେ। କେବଳ ପୂର୍ବ ସରକାରଙ୍କ କଥା କହି ଦୃଷ୍ଟି ଆଢ଼ୁଆଳରେ ରହିଗଲେ ହେବନି। ଭୁଲ୍ କରିଥିବାରୁ ସେମାନେ ତ ଏବେ ଦଣ୍ଡ ପାଉଛନ୍ତି। ସେହି ଭୁଲ୍କୁ ଏ ସରକାର ଜାରି ରଖିବାକୁ କାହିଁକି ଚେଷ୍ଟା କରୁଛନ୍ତି? କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ନୂଆ ସରକାର ଆସିବା ପରେ ଖାଲି ଯୋଜନାର ନାମ ବଦଳାଇ ଦେଲେ। ହେଲେ ବଜେଟ୍ରେ ଦିଆଯାଉଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ସବୁ ଜିଲ୍ଲାରେ ଧାନ ପାଚିକି ଝଡ଼ିଲାଣି ହେଲେ ସବୁଠି ଧାନ ମଣ୍ଡି ଖୋଲିଲାନି। ମକା ପାଇଁ ମଣ୍ଡି ଖୋଲାଗଲାନି। ଟମାଟୋ, କୋବି, ବାଇଗଣ ଆଦି ଆନ୍ଧ୍ର, ଛତିଶଗଡ଼ ଯାଉଛି। ନୂଆ ସରକାର ବି ପୂର୍ବ ସରକାର ଭଳିଆ ଲୋକଙ୍କ କଥା ଚିନ୍ତା ନକରି କେବଳ ଗାଁ ଗାଁରେ ବିହାରୀ ମଦଭାଟି ବଢ଼ାଇ ଚାଲିଛି। କେବେ ମଦ ବନ୍ଦ କରିବ ସେନେଇ କେହି ପାଟି ଫିଟାଉନାହାନ୍ତି। କୋଟିଆକୁ ବଞ୍ଚାଇବାକୁ ପଡ଼ିବ। କୋଟିଆ ନବଞ୍ଚିଲେ ଓଡ଼ିଆ ବଞ୍ଚିବନି।
ଶାସକ ଦଳ ପକ୍ଷରୁ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ନୂଆ ସରକାରର ମୂଳଦୁଆ ଦୃଢ଼ କରାଯାଉଛି। ସୁଭଦ୍ରା ସହାୟତା ଏବଂ ବର୍ଦ୍ଧିତ ଏମ୍ଏସ୍ପି ଗ୍ରାମ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିଛି। ସରକାର ତାଙ୍କର ସମସ୍ତ ପ୍ରତିଶ୍ରୁତି ପୂରଣ କରୁଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ। ବିଜେପି ପକ୍ଷରୁ ରୁପୁ ଭାତ୍ରା, ଆକାଶ ଦାସନାୟକ, ଅମର କୁମାର ନାୟକ, ଅଗସ୍ତି ବେହେରା, ରଘୁନାଥ ଜଗଦଲ, ଲକ୍ଷ୍ମଣ ବାଗ୍, ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସନାତନ ବିଜୁଳି ପ୍ରମୁଖ ଏହି ବଜେଟ୍ ସପକ୍ଷରେ ମତ ରଖିଥିଲେ।




