ରାଜ୍ୟ

ଅଧୁରା ରହିଲା ରାଜାରାଣୀଙ୍କ ପ୍ରେମ

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ‘ରାଜା’ ଓ ବାଘୁଣୀ ‘ରାଣୀ’ର ମଧୁର ପ୍ରେମ କାହାଣୀ ଅଧୁରା ରହିଗଲା। ବୁଧବାର ରାତିରେ ଆରପାରିକୁ ଚାଲିଗଲା ରାଣୀ। ଏହାସହିତ ପ୍ରାୟ ୪୨ ବର୍ଷ ପରେ ଓଡ଼ିଶାର କୌଣସି ଚିଡ଼ିଆଖାନାରେ କଲରାପତରିଆ ବାଘବଂଶ ବୃଦ୍ଧି ପାଇଁ‌ ଯେଉଁ ଆଶାସଂଚାର ହୋଇଥିଲା ତାହା ଧୂଳିସାତ୍ ହୋଇଯାଇଛି। ୭ ବର୍ଷ ବୟସରେ ଆଖି ବୁଜିଥିବା କଲରାପତରିଆ ବାଘୁଣୀ ‘ରାଣୀ’ ସମ୍ବଲପୁର ଚିଡ଼ିଆଖାନାରେ ବହୁ ପୂର୍ବରୁ ଥିଲା। କଲରାପତରିଆ ବାଘ ‘ରାଜା’କୁ ବର୍ଷକ ତଳେ ୮ ନଭେମ୍ବର ୨୦୨୩ରେ ସମ୍ବଲପୁର ଚିଡ଼ିଆଖାନାକୁ ଅଣାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ୨ଜଣ ମଣିଷଙ୍କୁ ମାରିବା ଏବଂ ଜଣକୁ ଗୁରୁତର ଆହତ କରିବା ପରେ ବହୁକଷ୍ଟରେ ‘ରାଜା’କୁ ୫ ନଭେମ୍ବର ୨୦୨୩ରେ କାବୁ କରାଯାଇଥିଲା। ସମ୍ବଲପୁର ଚିଡ଼ିଆଖାନାରେ ୧୧ ମାସ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖି ଚିକିତ୍ସା କରାଯିବା ପରେ ୯ ସେପ୍‌ଟେମ୍ବର ୨୦୨୪ରେ ‘ରାଜା’କୁ ‘ରାଣୀ’ ରହୁଥିବା ‘ନାଇଟ୍‌ ହାଉସ’ରେ ଛଡ଼ାଯାଇଥିଲା।

ହେଲେ ଉଭୟଙ୍କୁ ଅଲଗା ଅଲଗା ଏନ୍‌କ୍ଲୋଜରରେ ରଖାଯାଇ ସେମାନଙ୍କ ଗତବିଧି ନିରୀକ୍ଷଣ କରାଯାଉଥିଲା। ପରସ୍ପରକୁ ଦେଖିବା ପରେ ମିଶିବା ପାଇଁ ସେମାନଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ୁଥିବା ପରିଲକ୍ଷିତ ହୋଇଥିଲା। ଶେଷରେ ଗତ ୯ ନଭେମ୍ବରରେ ପ୍ରଜନନ ପାଇଁ ସେମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଗୋଟିଏ ‌ଏନ୍‌କ୍ଲୋଜରରେ ୭ ବର୍ଷୀୟା ‘ରାଣୀ’ ସହିତ ୮ ବର୍ଷର ‘ରାଜା’କୁ ଛଡ଼ାଯାଇଥିଲା। ସେହିଦିନଠାରୁ ଦୁହେଁ ଗୋଟିଏ ଏନ୍‌କ୍ଲୋଜରରେ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ‘ରାଣୀ’ ଘନଘନ ବାନ୍ତି କରିଥିଲା। ତାର ଗର୍ଭାଶୟ ସଂକ୍ରମଣ ହେବା ସହିତ ଶରୀରରେ ରକ୍ତ ଏକପ୍ରକାର ବିଷାକ୍ତ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ହୃଦ୍‌ଘାତ ଯୋଗୁ ରାତି ୯ଟା୧୩ରେ ତାର ମୃତ୍ୟୁ ଘଟିଥିଲା। ଡିସେମ୍ବର ତୃତୀୟ ସପ୍ତାହରେ ‘ରାଣୀ’ର ଗର୍ଭ ପରୀକ୍ଷା କରାଯାଇଥାନ୍ତା। ତେଣୁ ‘ରାଣୀ’ ଗର୍ଭବତୀ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରି ନଥିବା ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୮୨ ମସିହାରେ ନନ୍ଦନକାନନରେ କଲରାପତରିଆ ଛୁଆ ଜନ୍ମ ନେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button