ନୂଆ ରାଜ୍ୟ ଯୋଜନା ‘ଗୋମାତା’: ଖର୍ଚ୍ଚ ହେବ ୩୪୨କୋଟି

ଭୁବନେଶ୍ୱର:ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ମୋହନ ମାଝୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ଟି ନୂଆ ଯୋଜନା ସହ ମୋଟ ୫ଟି ଯୋଜନାରେ ୪୭୫୮.୭୬କୋଟି ଟଙ୍କା ବ୍ୟୟବରାଦ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ମାରିଛନ୍ତି ।
ନିଜସ୍ୱ ନୂଆ ରାଜ୍ୟ ଯୋଜନା ‘ଗୋମାତା’ରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ବର୍ଷରେ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ଏଥିରେ ରାଜ୍ୟ ଯୋଜନା ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୨୦୨୪-୨୫ରୁ ୨୦୨୮-୨୯ ମସିହା ପର୍ୟ୍ୟନ୍ତ ୫ବର୍ଷ ପାଇଁ ମୋଟ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୩ଲକ୍ଷ ୭୩ହଜାର ୯୨୮ଜଣ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ ଏବଂ ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଏମଟିଏମ୍ କୁକୁଡ଼ା ମାଂସ ଓ ଦୈନିକ ୫.୫ଲକ୍ଷ ଅଣ୍ଡା ଉତ୍ପାଦନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ନୂଆ ରାଜ୍ୟ ଯୋଜନା ଗୋମାତା(ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଅଫ ଆନିମଲ)କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ୟ୍ୟନ୍ତ ୩ବର୍ଷ ପାଇଁ ଏହି ଯୋଜନାରେ ମୋଟ ୩୪୨.୬୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏହି ଯୋଜନାରେ ରାଜ୍ୟ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟତା କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।
ଅନ୍ୟପକ୍ଷରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି ଉପଯୋଜନାରେ ୨୨୩୯କୋଟି ଟଙ୍କା ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୮-୨୯ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ । ଏହି ଯୋଜନା ଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ ବୃଦ୍ଧି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ବର୍ଷରେ ଏହି ଯୋଜନାରେ ୬,୬୭,୫୦୦ ମତ୍ସ୍ୟଜୀବୀ ଓ ୭,୩୨,୫୦୦ ମହିଳା ଏସଏଚଜିଙ୍କ ସମେତ ମୋଟ ୧୪ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।