ବିନା ପିସିରେ ପଞ୍ଚାୟତରେ କାମ ହେଉନି: ବିରୋଧୀ

ଭୁବନେଶ୍ବର: ବିଜେଡି ସରକାରକୁ ପିସି ସରକାର ବୋଲି କହୁଥିଲେ। ନିର୍ବାଚନ ପୂର୍ବରୁ ଗାଁ ଗାଁରେ ପ୍ରଚାର କଲେ ବିନା ପିସିରେ କାମ ହେଉନି। କିନ୍ତୁ ଏବେ ବିଜେପି ସରକାରରେ ବ୍ଲକରେ ୩୫% ପିସି ନଦେଲେ କାମ ହେଉନି। ବିଜେପି କାର୍ଯ୍ୟକର୍ତ୍ତାମାନେ ଯେଉଁ କାମ ହେବ ବୋଲି କହୁଛନ୍ତି, ତାହା ହେଉଛି। ପିଇଓ, ଯନ୍ତ୍ରୀ ଓ ବିଡିଓମାନଙ୍କୁ ଧରି ବିଭିନ୍ନ ପ୍ରକଳ୍ପ ଟଙ୍କାକୁ ଲୁଟୁଛନ୍ତି। ବିନା ପିସିରେ ବାବୁଙ୍କ କଲମ ଚାଲୁନି।
ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ଏହିଭଳି ଢଙ୍ଗରେ ସରକାରଙ୍କୁ ଘେରିଥିଲେ।, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେସା ଆଇନ ଲାଗୁ କରିବା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତା, ମନରେଗା ଦୁର୍ନୀତି ପ୍ରସଙ୍ଗ ବି ଉଠିଥିଲା। ଉଠାଇଥିଲେ। ବିଜେଡି ବିଧାୟକମାନେ କହିଥିଲେ, ଗ୍ରାମ ପଞ୍ଚାୟତଗୁଡ଼ିକ କେବେ ଆତ୍ମନିର୍ଭରଶୀଳ ହେବେ? ପଞ୍ଚାୟତଗୁଡ଼ିକର ରାଜସ୍ବ ବଢ଼ାଇବା ନେଇ ସରକାର କ’ଣ ଯୋଜନା କରୁଛନ୍ତି? ପଞ୍ଚାୟତଗୁଡ଼ିକର ବିକାଶ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ତାଙ୍କର ଯୋଗ୍ୟ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ନୁହେଁ, ପଞ୍ଚାୟତସ୍ତରରେ ନିଯୁକ୍ତି ଦେବାକୁ ହେବ। ଡବଲ୍ ଇଞ୍ଜିନ ସରକାର ଆସିଲା ହେଲେ ପଞ୍ଚାୟତକୁ ଏପର୍ଯ୍ୟନ୍ତ ନୂଆ ସରକାର ଟଙ୍କାଟିଏ ବି ଦେଲେନି। ନୂଆ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯେଉଁ କିଛି କାମ ହେଉଥିଲା ତାକୁ ବନ୍ଦ କରିଦେଲେ। ସବୁଠୁ ଅଧିକ ଦୁର୍ନୀତି ହେଉଥିବା ବ୍ଲକକୁ ମନରେଗା କାମ ପାଇଁ ପୁରସ୍କୃତ କରାଯାଉଛି। ଯେଉଁଠି ବିଜେପି ବିଧାୟକ ନାହାନ୍ତି ସେଠାରେ ବିଜେପି ନେତା ବିଡିଓ, ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭାଗକୁ ପ୍ରକଳ୍ପ ତାଲିକା ପଠାଉଛନ୍ତି। କିଛି ନୀତି ନିୟମ ଅନୁଯାୟୀ ହେଉନି। ବିଧାୟକ ଦିବ୍ୟଶଙ୍କର ମିଶ୍ର, ଅଧିରାଜ ପାଣିଗ୍ରାହୀ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରବିନ୍ଦ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।