ନକ୍ସଲ ଦମନ ପାଇଁ ମୁତୟନ ହେବ ହେଲିକପ୍ଟର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୨୦୨୬ ସୁଦ୍ଧା ନକ୍ସଲ ଉତ୍ପାଟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ପ୍ରକାରର ସହଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍ ଶୀଘ୍ର ନକ୍ସଲ ଦମନ ପାଇଁ ହେଲିକପ୍ଟର ମୁତୟନ କରାଯିବ। ଆମ ରାଜ୍ୟକୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଏହାକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ମାଓ ବିରୋଧୀ ଅଭିଯାନରେ ୬ଜଣ ନକ୍ସଲ ମରିଛନ୍ତି, ୪ଜଣ ଗିରଫ ହୋଇଛନ୍ତି, ୨୪ଜଣ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ଦମନ ପାଇଁ ୩ଟି ଓଏସ୍ଏସ୍ଏଫ୍ ବାଟାଲିଅନ ହେବ। ଏଥିପାଇଁ ୩୦୦୯ଟି ପଦବି ଅନୁମୋଦନ ହୋଇଛି। ସେହିପରି ନକ୍ସଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ମିଳିଛି। ଏହାଦ୍ବାରା ସେମାନେ ଅର୍ଥ ଯୋଗାଡ଼ କରୁଛନ୍ତି। ତେଣୁ ଗଞ୍ଜେଇ ଚାଷ ବନ୍ଦ କରିବା ଏବଂ ଚାଷ ଯେପରି ସେହି ଅଞ୍ଚଳରେ ନହୋଇପାରିବ ସେଥିପାଇଁ ଡ୍ରୋନ୍ ବ୍ୟବହାର କରାଯିବ। ବର୍ତ୍ତମାନ ସୁଦ୍ଧା ୧୦୫୪୧ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବାବେଳେ ୧୨୬୮କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।
ପ୍ରତି ଥାନାକୁ ମିଳିବ ୬ଟି ବାଇକ୍
ରାଜ୍ୟରେ ପୁଲିସକୁ ଅଧିକ ସଶକ୍ତ କରାଯିବ। ପ୍ରତି ଥାନାକୁ ୬ଟି ଲେଖାଏ ନୂଆ ମୋଟର ସାଇକେଲ୍ ଦିଆଯିବ। ଫଳରେ ଅପରାଧସ୍ଥଳରେ ପୁଲିସ କମ୍ ସମୟରେ ପହଞ୍ଚିପାରିବ। ପୁଲିସ ସବୁ ଘଟଣାର ତଦନ୍ତ କରିପାରିବ। ଥାନାରେ ଗୋଟିଏ ଚାରିଚକିଆ ଯାନ ଥିବାବେଳେ ଏବେ ଆଉ ଗୋଟିଏ ଲେଖାଏ ତ୍ବରିତ ଯାନ ଦେବାକୁ ନିଷ୍ପତ୍ତି ହୋଇଛି। ଏସ୍ଆଇ, ସିପାହୀ, ଡ୍ରାଇଭର ଭଳି ୨୯୨୨ଟି ପଦବି ପୂରଣ ହେବ। ଅଗ୍ନିଶମ ବିଭାଗରେ ବି ୮୨୬ଟି ଆଗ୍ନିକ ଏବଂ ୧୧୫ଟି ଡ୍ରାଇଭର ପଦବି ପୂରଣ କରାଯିବ। ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ଅଧିକ ଟ୍ରାଫିକ ପୁଲିସ ନିଯୁକ୍ତି ପାଇବେ। ଉପକୂଳ ଓଡ଼ିଶାର ସୁରକ୍ଷା ପାଇଁ ସମୁଦ୍ରକୂଳ ଥାନାଗୁଡ଼ିକୁ ସଶକ୍ତ କରାଯିବ। ନୂ୍ଆ ଟ୍ରଲର, ସ୍ପିଡ୍ ବୋଟ୍, ଡ୍ରୋନ୍ ଯୋଗାଇ ଦିଆଯିବ। ଯେଉଁଠି ଘର ଭାଙ୍ଗିଯିବ କି ମାଟି ତଳେ ଲୋକ ରହିଗଲେ ଉଦ୍ଧାର ପାଇଁ ୧୦ଟି କୁକୁର ଅଣାଯାଇଛି। ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରଖାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ ମଗାଯାଇଥିବା ବେଳେ ୩ଲକ୍ଷ ଲୋକ ମତାମତ ଦେଲେଣି। ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ନୂଆ ଆଇନ ପ୍ରଣୟନ ହେବ। ଭିଜିଲାନ୍ସ ବିଭାଗର କାର୍ଯ୍ୟକୁ ବି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ରାଜ୍ୟରେ ଶାନ୍ତ ପରିବେଶ ଥିବାରୁ, ପାର୍ବଣ ସମୟରେ ରାଜ୍ୟରେ କୌଣସି ଅଘଟଣ ଘଟିନଥିବାରୁ, ବାତ୍ୟା ଦାନାର ସଫଳ ମୁକାବିଲା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ବିଭାଗର କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ।