ସେହି ପୁରୁଣା ରୋଗ: ‘ତଥ୍ୟ ସଂଗ୍ରହ କରାଯାଉଛି’, ନବ ଦାସଙ୍କ ହତ୍ୟା ଘଟଣାରେ ତଥ୍ୟ ନାହିଁ
ଭୁବନେଶ୍ବର: ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ଥିଲା, ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ଓ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ଘଟଣାରେ କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି? ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକା ତଦନ୍ତକାରୀ ସଂସ୍ଥାକୁ କେବେ ଅନୁରୋଧ କରିଥିଲେ ଏବଂ ଏହି ତଦନ୍ତ କେଉଁ ସ୍ତରରେ ଅଛି?
ନବ ଦାସଙ୍କ ହତ୍ୟା ଘଟଣାରେ ତଥ୍ୟ ନାହିଁ
ରାଜ୍ୟପାଳଙ୍କ ପୁଅ ଘଟଣାରେ ବି ସମାନ ସ୍ଥିତି
ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ହେଉଛି, ‘ତଥ୍ୟ ସଂଗ୍ରହ କରାଯାଉଛି।’ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନ ଥିଲା, ପୁରୀ ରାଜଭବନରେ ଜଣେ ପ୍ରଭାବଶାଳୀ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ବ୍ୟକ୍ତିଙ୍କ ସମ୍ପର୍କୀୟ ରାଜଭବନରେ ଜଣେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ସରକାର ଜାଣନ୍ତି କି? ଘଟଣାର ତଦନ୍ତ ଦାୟିତ୍ବ ଜିଲ୍ଲାପାଳଙ୍କୁ ଦିଆଯାଇଛି ଓ ୧୫ ଦିନ ଭିତରେ ରିପୋର୍ଟ ଦେବେ ବୋଲି ଆଇନ ମନ୍ତ୍ରୀ ଗଣମାଧ୍ୟମରେ କହିଥିଲେ। ଏହି ତଦନ୍ତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି କି?
ମୁଖ୍ୟମନ୍ତ୍ରୀଙ୍କ ସମାନ ଉତ୍ତର ରହିଛି, ‘ତଥ୍ୟ ସଂଗ୍ରହ କରାଯାଉଛି।’ ଏପରି ଦୁଇଟି ସମ୍ବେଦନଶୀଳ ଘଟଣାରେ ଗୃହ ବିଭାଗ ପାଖରେ ତଥ୍ୟ ନ ରହିବା ସମସ୍ତଙ୍କୁ ଚକିତ କରିଛି। ଦୁଇଟି ଯାକ ଘଟଣାରେ ସର୍ବନିମ୍ନ ତଥ୍ୟ ଦେବାକୁ ସରକାର ନାରାଜ। ପ୍ରଶ୍ନ ଉଠୁଛି, ବାସ୍ତବରେ ତଥ୍ୟ ନାହିଁ ନା ସରକାର ସର୍ବସାଧାରଣରେ ତାହା ଜଣାଇବାକୁ ଚାହୁ ନାହାନ୍ତି?
ପୂର୍ବ ସରକାର ସମୟରେ ବହୁ ପ୍ରଶ୍ନର ଉତ୍ତର ଦିଆ ନଯାଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଲେଖାଯାଉଥିଲା। ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଏହାକୁ ତୀବ୍ର ସମାଲୋଚନା କରୁଥିଲା। ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ଆରୋପ ଲଗାଉଥିଲା। କିନ୍ତୁ ଏବେ ବିଜେପି ସରକାର ହିଁ ତଥ୍ୟ ନଦେବା ଘଟଣା ଆଲୋଚନାର ବିଷୟ ହୋଇଛି।