ଖର୍ଚ୍ଚ କରିପାରୁନାହାନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ତାଲିମ ଅର୍ଥ: ସେପ୍ଟେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୧୬% ଅର୍ଥ
ଭୁବନେଶ୍ବର: ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବାରେ ଅବହେଳା। ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ନୂଆ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ତାହା ସେମାନେ ଜାଣିପାରୁନାହାନ୍ତି। କାରଣ ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍ଏମ୍) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ତାଲିମ ବାବଦରେ ଯେତିକି ଅର୍ଥ ମଞ୍ଜୁର ହୋଇଛ ତହିଁରୁ ମାତ୍ର ୧୬% ଅର୍ଥ ଖର୍ଚ୍ଚ ହୋଇପାରିଛି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୫ ନିର୍ଦ୍ଦେଶାଳୟର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୪ମାସ ବାକି ଥିବା ବେଳେ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି। ତେଣୁ ତରବରିଆ ଭାବେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସେପ୍ଟେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୧୬% ଅର୍ଥ
୫ ନିର୍ଦ୍ଦେଶାଳୟର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ
ଡାକ୍ତର, ଆଶା, ସ୍ବାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରିବା ଲାଗି ଏନ୍ଏଚ୍ଏମ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୮୭.୩୨କୋଟି ଟଙ୍କା ମଞ୍ଚୁର ହୋଇଥିଲା। ଏଥିରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ, ନର୍ସିଂ, ପରିବାର କଲ୍ୟାଣ, ରକ୍ତ ସଞ୍ଚାରଣ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ଓ ଏନ୍ଏଚ୍ଏମ୍ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ କେବଳ ୧୪.୨କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଯାହାକି ସମୁଦାୟ ମଞ୍ଜୁର ଅର୍ଥର ୧୬%। ଯଦି ବିଭିନ୍ନ ନିର୍ଦ୍ଦେଶାଳୟର ପ୍ରଦର୍ଶନକୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ସର୍ବାଧିକ ୩୬% ଅର୍ଥ ଖର୍ଚ୍ଚ କରିପାରିଛି। ଜନସ୍ବାସ୍ଥ୍ୟ-ନର୍ସିଂ ୧୮%, ପରିବାର କଲ୍ୟାଣ ୧୩%, ଏନ୍ଏଚ୍ଏମ୍ ୧୫% ଓ ରକ୍ତ ସଞ୍ଚାରଣ ନିର୍ଦ୍ଦେଶାଳୟ କେବଳ ୨% ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରିଛି। ସେହିପରି ଜିଲ୍ଲାୱାରୀ ତାଲିମ୍ରେ ମଧ୍ୟ ରାଜ୍ୟର ୯ଟି ଜିଲ୍ଲା ବହୁ ପଛରେ ପଡ଼ିଛନ୍ତି। ଏସବୁ ଜିଲ୍ଲା ବର୍ତ୍ତମାନସୁଦ୍ଧା ୧୦% ସଫଳତା ବି ହାସଲ କରିପାରିନାହାନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୨୧%, ପୁରୀ-ଗଞ୍ଜାମ ୧୯%, ବଲାଙ୍ଗୀର ୧୮% ତାଲିମ୍ ଅର୍ଥ ଖର୍ଚ୍ଚ କରିଛନ୍ତି।
ବିଭିନ୍ନ ନିର୍ଦ୍ଦେଶାଳୟର ଏଭଳି ନୈରାଶ୍ୟଜନକ ତାଲିମ୍ କାର୍ଯ୍ୟକ୍ରମକୁ ଏନ୍ଏଚ୍ଏମ୍, ଓଡ଼ିଶା ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୨୦୨୪ ଡିସେମ୍ବର ସୁଦ୍ଧା ଉଭୟ କ୍ଷେତ୍ରୀୟ ଓ ଆର୍ଥିକ ସଫଳତାକୁ ୭୫%କୁ ବୃଦ୍ଧି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତିମାସ ୧୦ତାରିଖ ସୁଦ୍ଧା ପ୍ରତି ନିର୍ଦ୍ଦେଶାଳୟ ନିଜର ମାସିକ ତାଲିମ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ୩ମାସରେ ଥରେ ଏହାର ସମୀକ୍ଷା କରାଯିବ। ତାଲିମ କାର୍ଯ୍ୟକ୍ରମ ସମ୍ବନ୍ଧିତ ସମସ୍ତ ସୂଚନା ‘ସଶକ୍ତ’ ପୋର୍ଟାଲରେ ନିଶ୍ଚିତ ଭାବେ ଅପ୍ଲୋଡ୍ ହେବ। ତାଲିମ କାର୍ଯ୍ୟକ୍ରମ କାହିଁକି ବିଳମ୍ବ ହୋଇଛି ସେ ସଂପର୍କରେ ସଂପୃକ୍ତ ନିର୍ଦ୍ଦେଶାଳୟର ନୋଡାଲ ଅଧିକାରୀ ଓ କନ୍ସଲ୍ଟାଣ୍ଟ ଏହାର ଫଲୋଅପ୍ କରିବାକୁ କୁହାଯାଇଛି। ଏନ୍ଏଚ୍ଏମ୍, ଓଡ଼ିଶାର ପରିଚାଳନା ନିର୍ଦ୍ଦେଶିକା ବୃନ୍ଦା. ଡି କହିଛନ୍ତି, ଅଧିକାଂଶ ତାଲିମ କାର୍ଯ୍ୟକ୍ରମ ଏବେ ଜାରି ରହିଛି। ଏଥିପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ କରାଯିବ। ଏହାସହ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୫% ଅର୍ଥ ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।