ରାଜ୍ୟ

୫ ମାସରେ ରାଜ୍ୟରେ ୪୧ ଗଣଦୁଷ୍କର୍ମ ମାମଲା

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ଜୁନ୍ ୧୦ ତାରିଖରୁ ନଭେମ୍ବର ୨୨ତାରିଖ ଭିତରେ ମହିଳା ବିରୋଧୀ ହିଂସାର ଏସବୁ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅବଧି ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୭୫୩, ଭୁବନେଶ୍ବରରେ ୬୩୮, କଟକ ଅର୍ବାନ ଓ ଗ୍ରାମାଞ୍ଚଳରେ ୬୯୧ଟି ମାମଲା ରୁଜୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଭଦ୍ରକ-କେନ୍ଦୁଝରରେ ୧୧ଜଣ ଲେଖାଏ, ଗଞ୍ଜାମରେ ୧୦ଜଣ ଓ ନୟାଗଡ଼ରେ ମହିଳାଙ୍କୁ ହତ୍ୟା ଜନିତ କୌଣସି ମାମଲା ରୁଜୁ ହୋଇନାହିଁ। ସେହିପରି ଯୌତୁକ ଜନିତ ମୃତ୍ୟୁ ମାମଲାରେ ବାଲେଶ୍ବରରେ ସର୍ବାଧିକ ୫ଜଣ ମହିଳା ପ୍ରାଣ ହରାଇଛନ୍ତି। ଭଦ୍ରକ ୪ ଓ କଟକ ଗ୍ରାମାଞ୍ଚଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏ ସଂପର୍କିତ ପ୍ରଶ୍ନ କରିଥିଲେ।

ସେହିପରି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଲୋକସଂଖ୍ୟା ଅନୁପାତରେ କେତେ ମଞ୍ଜୁରିପ୍ରାପ୍ତ ପୁଲିସ କର୍ମଚାରୀ ଆବଶ୍ୟକ ଓ କେଉଁ ଅନୁପାତରେ ପୁଲିସ ନିଯୁକ୍ତି ହେବେ ସେ ସଂପର୍କିତ କୌଣସି ନିୟମାବଳୀ ନାହିଁ। ରାଜ୍ୟରେ ପୁଲିସ ସର୍କଲ, ପୁଲିସ ଷ୍ଟେସନ, ଫାଣ୍ଡି ଓ ପ୍ରୋସିକ୍ୟୁସନ ଇତ୍ୟାଦି ପଦବି ଗୁଡ଼ିକର ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ ୧୯୭୪ ମସିହାରେ ଏକ ନିୟମାବଳୀ ପ୍ରଣୟନ କରାଯାଇଛି। ପୁଲିସ କର୍ମଚାରୀଙ୍କ ଥାନା କିମ୍ବା ଫାଣ୍ଡିରେ ନିଯୁକ୍ତି ଲୋକସଂଖ୍ୟା ସହିତ ଅନ୍ୟାନ୍ୟ ବିଷୟ ଉପରେ ନିର୍ଭର କରେ। ଏଥିରେ କ୍ଷେତ୍ରଫଳ, ଅପରାଧ ପରିସଂଖ୍ୟାନ, ଆଇନ ଶୃଙ୍ଖଳା ପରିସ୍ଥିତି, ସହରୀକରଣ ଓ ଶିଳ୍ପାୟନ, ନକ୍ସଲ କାର୍ଯ୍ୟକଳାପ ଓ ଅନ୍ୟ କୌଣସି ପରିସ୍ଥିତି ଭଳି ବିଶେଷ କାରଣ, ସଂପ୍ରଦାୟିକ ସମ୍ବେଦନଶୀଳତା ଓ ସଡ଼କ ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦିକୁ ଦୃଷ୍ଟିରେ ରଖି କରାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button