ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବର୍ବରତା: ଗ୍ରେନେଡ୍ ମାଡ଼ରେ ଜଣେ ମୃତ, ୧୦ ଆହତ
ଢାକା: ବାଂଲାଦେଶରେ ଇସ୍କନ ମହନ୍ତ ଚିନ୍ମୟ କୃଷ୍ଣ ଦାସ ଗିରଫ ହେବା ପରେ ଏହାର ଜୋର୍ଦାର ପ୍ରତିବାଦ କରି ହିନ୍ଦୁମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଟୋଗ୍ରାମର ଏକ ଅଦାଲତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେବାପରେ ହଜାର ହଜାର ହିନ୍ଦୁ ଏହାକୁ ବିରୋଧ କରିବା ସହ ବାଂଲାଦେଶ ସରକାର ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଛନ୍ତି। ପ୍ରତିବାଦକାରୀମାନେ କୋର୍ଟ ପରିସରରେ ଥିବା ଜେଲ୍ ଭ୍ୟାନ୍ ଘେରାଉ କରି ପ୍ରାୟ ଅଢ଼େଇ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ ହିନ୍ଦୁ ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲାଠିଚାର୍ଜ ଓ ସାଉଣ୍ଡ ଗ୍ରେନେଡ୍ ମାଡ଼ କରିଥିଲା। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ଚିନ୍ମୟ କ୍ରିଷ୍ଣାଙ୍କୁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ କୋର୍ଟ ଚାଲାଣ କରାଯାଇଥିଲା। ଶୁଣାଣି ପରେ ମଧ୍ୟାହ୍ନ ୧୨ଟା ୨୦ରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଜାତୀୟ ପତାକାକୁ ଅସମ୍ମାନ କରିବା ଅଭିଯୋଗରେ ସୋମବାର ତାଙ୍କୁ ଢାକାରେ ଗିରଫ କରାଯାଇଥିଲା। କୋର୍ଟ ବାହାରେ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିବା ସହ ଅପରାହ୍ନ ପ୍ରାୟ ୨ଟା ୫୦ରେ ସାଉଣ୍ଡ ଗ୍ରେନେଡ୍ ମାଡ଼ କରିଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ଅତିକମ୍ରେ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଚିନ୍ମୟ କୃଷ୍ଣ ଦାସଙ୍କ ଓକିଲ ସୈଫୁଲ ଇସ୍ଲାମ ଅଲିଫ୍ଙ୍କ ମୃତ୍ୟୁ ଘଟିଛି।
ହିନ୍ଦୁବିରୋଧୀ ନୀତି, ଭାରତର ଉଦ୍ବେଗ ଗ୍ରହଣ କଲାନି ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଏବଂ ତାଙ୍କ ଜାମିନ ନାମଂଜୁର ହେବା ପ୍ରସଙ୍ଗରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ତେବେ ଭାରତର ଉଦ୍ବେଗକୁ ବାଂଲାଦେଶ ଗ୍ରହଣ କରିନାହିଁ। ବାଂଲାଦେଶ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ନେଇ ଭାରତର ଅଭିଯୋଗ ଆଧାରହୀନ ଏବଂ ଦ୍ବିପାକ୍ଷିକ ବନ୍ଧୁତାର ବିରୁଦ୍ଧାଚରଣ। ସୂଚନାଯୋଗ୍ୟ, ହିନ୍ଦୁମାନଙ୍କର ଏବଂ ସମସ୍ତ ସଂଖ୍ୟାଲଘୁଙ୍କର ସୁରକ୍ଷା ସୁନିଶ୍ଚିତ କରିବାପାଇଁ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ଆଜି ଭାରତ ଅନୁରୋଧ କରିଥିଲା। ମିଥ୍ୟା ଦେଶଦ୍ରୋହ ମାମଲା ଆଣି ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଏବଂ ତାଙ୍କ ଜାମିନ ନାମଂଜୁର ହେବା ଘଟଣାରେ ଆମେ ଗଭୀର ଭାବେ ଚିନ୍ତିତ ବୋଲି ଭାରତର ବିଦେଶ ମନ୍ତ୍ରାଳୟ ଏକ ବିବୃତିରେ କହିଛି।