ରାଜ୍ୟ

‘ବିଚାର ବିଭାଗୀୟ ଅଧିକାରୀମାନେ ସମ୍ବେଦନଶୀଳ ହୁଅନ୍ତୁ’

ଭୁବନେଶ୍ବର: ସମାଜରେ ସାଧାରଣ ଲୋକଟିଏ ପାଖରେ ନ୍ୟାୟ ପହଞ୍ଚି ପାରିଲେ ତା’ ମୁହଁରେ ହସ ଫୁଟିପାରିବ। ବିଚାର ବିଭାଗୀୟ ଅଧିକାରୀମାନେ ନ୍ୟାୟିକ ପ୍ରକ୍ରିୟାରେ କୌଣସି ବାହ୍ୟ ଚାପର ବଶବର୍ତ୍ତୀ ନହୋଇ ସମ୍ବେଦନଶୀଳ ଭାବେ ସକାରାତ୍ମକ ଭାବଧାରାରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ, ଶିକ୍ଷାନବିସଙ୍କ ନିମନ୍ତେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୁରମା ପାଢ଼ୀ ଏହା କହିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ତଥା ପରିବର୍ତ୍ତନ ଆଣିବା ପାଇଁ ସରକାର ସଂକଳ୍ପବଦ୍ଧ। ଦୁର୍ଗମ ଅଞ୍ଚଳ ତଥା ନିରକ୍ଷର ଲୋକଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ସହାୟତା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ସହ ଆଇନ କମିସନ୍ ବସାଇ ଆବଶ୍ୟକ ପଡ଼ୁଥିବା ଆଇନରେ ସଂସ୍କାର ଓ ସଂଶୋଧନ ଅଣାଯିବ। ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ନାରୀମାନଙ୍କ କ୍ଷେତ୍ରରେ ଯେଉଁ ଅପରାଧ ସଂଗଠିତ ହେଉଛି ସେ କ୍ଷେତ୍ରରେ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ।

ବିଧାନସଭା ପରିସରରେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ

ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କହିଲେ ଯେ ନ୍ୟାୟ ନିର୍ଣ୍ଣୟ, ନ୍ୟାୟିକ ବ୍ୟବସ୍ଥାର ସୁପରିଚାଳନା ସହ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ଦିଗରେ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନେ ବ୍ରତୀ ହେବା ଉଚିତ। ଏହି ଅବସରରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ଶାସନ ସଚିବ ବିଭୁପ୍ରସାଦ ପଣ୍ଡା, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଓଡ଼ିଶା ଜୁଡିସିଆଲ୍ ଏକାଡେମୀର ନିର୍ଦ୍ଦେଶକ ବିଦ୍ୟୁତ କୁମାର ମିଶ୍ର, ବିଧାନସଭାର ଯୁଗ୍ମ ସଚିବ ସତୀଶ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ୫୪ ଜଣ ଓଡ଼ିଶା ବିଚାରବିଭାଗୀୟ ଅଧିକାରୀ ଓ ଶିକ୍ଷାନବିସ ଯୋଗଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button