ଦେଶ- ବିଦେଶ

ବୁମେରାଂ ହେବ ବଟେଙ୍ଗେ ତୋ କଟେଙ୍ଗେ !

ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ ତୋ କଟେଙ୍ଗେ ଉଭୟ ରାଜ୍ୟର ରାଜନୀତିକୁ ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଯୋଗୀଙ୍କ ନାରା ଲଗାଉଛି ବିଜେପି ତ ଝାଡଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ବୃଦ୍ଧିକୁ ନିର୍ବାଚନୀ ପ୍ରସଙ୍ଗ କରିଛି ।

ବିଜେପିର ଏହି ନାରାକୁ ଜୋରଦାର ବିରୋଧ କରୁଛନ୍ତି ବିରୋଧୀ। ତେବେ ସବୁଠୁ ବଡ କଥା ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସହଯୋଗୀ ଅଜିତ ପାଓ୍ବାର ନିଜ ଦଳକୁ ବିଜେପିର ଏହି କଟ୍ଟର ହିନ୍ଦୁତ୍ବବାଦୀ ନାରାଠାରୁ ଦୂରରେ ରଖିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାଇଛନ୍ତି ନୂଆ ନାରା, ଏକ୍ ହେଁ ତୋ ସେଫ୍ ହେଁ ।

କାହିଁକି ଅଜିତ ଅରାଜି?

ଲୋକସଭା ନିର୍ବାଚନ ପୂର୍ବରୁ ହିଁ ମହାରାଷ୍ଟ୍ରରେ ଦଳବଦଳ ଜୋରଦାର ହୋଇଥିଲା। ବିରୋଧୀ ମହାବିକାଶ ଅଘାଡିରୁ ଅନେକ ନେତା ମହାୟୁତିକୁ ଆସିଥିଲେ । ତେବେ ମୁସଲିମ ନେତାଙ୍କ ପାଇଁ ଅଜିତ ପାଓ୍ବାରଙ୍କ ଏନସିପି ସାଜିଥିଲା ସେଫ୍ ପ୍ୟାସେଜ୍ । ଆଗକୁ ବି ମୁସଲିମ ନେତାଙ୍କ ପାଇଁ ନିଜ ଦଳର ବାଟ ଖୋଲା ରଖିବା ପାଇଁ କଟ୍ଟର ହିନ୍ଦୁତ୍ବ ନାରାରୁ ନିଜକୁ ଦୂରେଇ ଥାଇପାରନ୍ତି ଅଜିତ । ସେହିପରି ଅଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ସିଟରେ ହିନ୍ଦୁତ୍ବ ପିଚରେ ଆକ୍ରମଣାତ୍ମକ ବ୍ୟାଟିଂ ବୁମେରାଂ ହୋଇପାରେ । ତେଣୁ ନିଜ ମୁସଲିମ ଭୋଟବ୍ୟାଙ୍କ ସୁରକ୍ଷିତ ରଖିବାକୁ ଅଜିତ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି । ପ୍ରଥମରୁ ହିଁ ମହାୟୁତି ମେଣ୍ଟରେ ବିଜେପି ବଡ ଭାଇ ଭୂମିକାରେ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଲେ ମଧ୍ୟ ସରକାର ବିଜେପି ଚଳାଉଥିବା ଚର୍ଚ୍ଚା ହୋଇଛି । ତେଣୁ ବଟେଙ୍ଗେ ତୋ କଟେଙ୍ଗେ ନାରାରୁ ନିଜକୁ ଦୂରେଇ ଜନତାଙ୍କ ମଧ୍ୟରେ ରହିଥିବା ଏହି ନାରେଟିଭକୁ କାଉଣ୍ଟର କରିଛନ୍ତି ଅଜିତ ।

ମହାରାଷ୍ଟ୍ରରେ କେତେ ଲାଭ ଦେବ?

ବିଜେପିର ହାର୍ଡକୋର ହିନ୍ଦୁତ୍ବର ପୋଷ୍ଟର ବୟ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ତାଙ୍କର ବଟେଙ୍ଗେ ତୋ କଟେଙ୍ଗେ ନାରାକୁ ଆରଏସଏସ ବି ପୂର୍ବରୁ ସମର୍ଥନ କରିଛି । ତେବେ ଏହାକୁ ଖୋଲା ବିରୋଧ କରିଛନ୍ତି ମେଣ୍ଟ ସହଯୋଗୀ ଅଜିତ ପାଓ୍ବାର । ମହାରାଷ୍ଟ୍ର ଶିବାଜୀ, ଆମ୍ବେଦକର, ସାହୁଜୀ ମହାରାଜଙ୍କ ମାଟିରେ ଯୋଗୀଙ୍କ ନାରା ଚାଲିବନି ବୋଲି ଅଜିତ କହିଛନ୍ତି। ସେପଟେ ବିଜେପିର ଏହି ନାରାକୁ ଜୋରଦାର ବିରୋଧ କରିଛନ୍ତି ଏମଭିଏ ନେତା। ବିଜେପିକୁ ବିଭାଜନକାରୀ କହି ଟାର୍ଗେଟ୍ କରିଛନ୍ତି ଖଡଗେ । ସେପଟେ ଉଦ୍ଧବ କହିଛନ୍ତି, କାଟିବ କିଏ? ଏଠି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ସମସ୍ତେ ଏକାଠି ରହିଛନ୍ତି । ନିର୍ବାଚନ ଆସିବ, ଯିବ ହେଲେ ଧର୍ମ ଓ ଜାତି ନାଁରେ କେହି ବିଭାଜନର ମଞ୍ଜି ବୁଣିବା ଠିକ୍ ନୁହେଁ ବୋଲି କହି ବିଜେପିକୁ ସମାଲୋଚନା କରିଛନ୍ତି ଶରଦ ପାଓ୍ବାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button