ଏ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ “ଇନ୍ଫିନିଟି ୱାଲର୍ଡ”, ସିଙ୍ଗାପୁରର ମଜା ଏବେ ଭାରତରେ ମିଳିବ
ଆଗକୁ ଆସୁଛି ବାଲିଯାତ୍ରା । ଏନେଇ ପ୍ରସ୍ତୁତ ହେଲେଣି କାରିଗରଙ୍କ ଠାରୁ ବ୍ୟବସାୟୀ । ପୂର୍ବ ବର୍ଷ ବାଲିଯାତ୍ରାରେ ଯେଉଁ ଥିମ୍ ରହିଥିଲା ତା ଠାରୁ କିଛି ଭିନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି “ଇନ୍ଫିନିଟି ୱାଲର୍ଡ” । ମୋ ନାଁ’ ଅନନ୍ତ ଦୁନିଆ, ମୁ ଆସୁଛି କଟକ ବାଲିଯାତ୍ରା । ଏମିତି କିଛି ଥିମ୍ ରହିବ ଚଳିତ ବର୍ଷର ଐତିହାସିକ ବାଲିଯାତ୍ରାରେ ।
ସିଙ୍ଗାପୁର ର ମଜା ଏବେ ଭାରତ ରେ ମିଳିବ । ତାହା ବି ପୁଣି କଟକ ବାଲିଯାତ୍ରାରେ । ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ବହନ କରୁଥିବା ବାଲିଯାତ୍ରା ବିଶ୍ବ ସ୍ତରୀୟ ହେବାକୁ ଦାବି ହେଉଛି ।
ସୁସ୍ବାଦୁ ଖାଦ୍ୟପେୟ ହେଉ ଅବା ଘର କରଣା ଜିନିଷ କିମ୍ବା କୌଣସି ଦୋଳି ହେଉ ଖୁବ୍ ମଜା ଉଠାନ୍ତି ଦର୍ଶକ । ଗତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା “ଟନେଲ ଆକ୍ବାରିୟମ” । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ଅନୁଭବ ହେବ ହଲିଉଡ ସିନେମା “ଅବତାର”ରେ ପ୍ରଦର୍ଶିତ କାଳ୍ପନିକ ଦୁନିଆର ଅନୁଭୁତି । କାଚର ଚୌହଦି ମଧ୍ୟରେ ଆଲୋକର କରାମତି ଏବଂ ବିଭିନ୍ନ ଆକୃତିର ପ୍ରତିକୃତି ସୃଷ୍ଟି କରିବ ଭିନ୍ନ ଏକ ପରିବେଶ । ଦର୍ଶକମାନେ କାଚ କାନ୍ଥ ଭିତରେ ବୁଲିବୁଲି ଏକ ନୂଆ ଦୁନିଆକୁ ଦେଖିବେ । କଟକ-ଇନ୍-କଟକ ଏବଂ ଓରମାସ୍ ମଝିରେ ଥିବା ଖୋଲା ସ୍ଥାନରେ “ଇନ୍ଫିନିଟି ୱାଲର୍ଡ”କୁ ସ୍ଥାନିତ କରାଯିବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିରେ ସାମିଲ୍ ହୋଇଛନ୍ତି ୩୦ ରୁ ଉର୍ଦ୍ଧ୍ବ କାରିଗର । ଏତେ ସୁନ୍ଦର ଥିମକୁ ଦେଖିବା ପାଇଁ ଦର୍ଶକମାନେ ଏବେ ଠାରୁ ପ୍ରସ୍ତୁତ ହେଲେଣି । ଚିକମିକ୍ ଆଲୁଅରେ ଝଲସୁଛି ଏହି “ଇନ୍ଫିନିଟି ୱାଲର୍ଡ” ।
ସୂଚନା ଥାଉ କି ନଭେମ୍ୱର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ହାଇକୋର୍ଟ । ବାଲିଯାତ୍ରାରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ କଟକ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର କରିଡର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା କଡ କିମ୍ବା ଫୁଟପାଥ ଉପରେ ଏବଂ ମାନ୍ୟବର ବିଚାରପତିମାନଙ୍କ ବାସଭବନ ସମ୍ମୁଖରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି ହାଇକୋର୍ଟ ।