ୱାର୍କ-ଚାର୍ଜଡ୍ କର୍ମଚାରୀଙ୍କୁ ମିଳିବ ପେନ୍ସନ, ସ୍ମାରକପତ୍ର ଉପରେ ୩ ମାସରେ ପଦକ୍ଷେପ ନିଅ: ହାଇକୋର୍ଟ
କଟକ,୦୮/୧୧: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୱାର୍କ-ଚାର୍ଜଡ୍ କର୍ମଚାରୀଙ୍କୁ ପେନ୍ସନ୍ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀମାନେ ଅଦାଲତଙ୍କ ଆଦେଶ କପି ପାଇବାର ୧୫ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ପେନ୍ସନ୍ ପାଇବା ପାଇଁ ସ୍ମାରକପତ୍ର ପ୍ରଦାନ କରିବେ । ଏହି ସ୍ମାରକପତ୍ର ପାଇବାର ତିନି ମାସ ମଧ୍ୟରେ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ହରିହର ମିଶ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀମାନେ ବିଭିନ୍ନ ଇଞ୍ଜିନିୟରିଂ ସେକ୍ସନ୍ରେ ଡିଏଲ୍ଆର୍ ଭାବେ କାର୍ଯ୍ୟ କରୁଥିଲେ । ପରେ ରାଜ୍ୟ ସରକାର ସେମାନଙ୍କୁ ୱାର୍କ-ଚାର୍ଜଡ୍ ଭାବେ ନିଯୁକ୍ତି ଦେଇଥିଲେ । ସେମାନେ ନିଜ ପଦରେ ୧୦ବର୍ଷ କାର୍ଯ୍ୟ କରିବା ସହ ରେଗୁଲାର୍ ମାନ୍ୟତା ପାଇଥିଲେ । କିନ୍ତୁ ସେମାନଙ୍କୁ ପେନ୍ସନ୍ ସୁବିଧା ନମିଳିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିଲାବେଳେ ଅନ୍ୟ ଏକ ମାମଲା ସୁପ୍ରିମ୍କୋର୍ଟକୁ ଯାଇଥିଲା । ଯେଉଁଥିରେ ଜଣେ ୱାର୍କ-ଚାର୍ଜଡ୍ କର୍ମଚାରୀଙ୍କୁ ହାଇକୋର୍ଟ ପେନ୍ସନ୍ ଦେବାଲାଗି ନିର୍ଦ୍ଦେଶ ଦେବାପରେ ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍କୋର୍ଟକୁ ଯାଇଥିଲେ । ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କ ଉକ୍ତ ଆବେଦନକୁ ଖାରଜ କରି ଦେଇଥିଲେ । ସୁପ୍ରିମ୍କୋର୍ଟଙ୍କ ଉକ୍ତ ଆଦେଶ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ତେଣୁ ଉକ୍ତ ଆଦେଶ ଆଧାରରେ ରାଜ୍ୟ ସରକାର ୱାର୍କ-ଚାଜଡ୍ କର୍ମଚାରୀଙ୍କୁ ପେନ୍ସନ୍ ଦେବାଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ ସହଯୋଗ କରୁଥିଲେ ।