ହିମାଚଳ: ମୁଖ୍ୟମନ୍ତ୍ରୀଙ୍କ ସମୋସା ଖାଇଗଲେ କର୍ମଚାରୀ, ୫ ପୋଲିସ କର୍ମଚାରୀଙ୍କୁ ନୋଟିସ୍

ସମୋସା ବା ସିଙ୍ଗଡ଼ାକୁ ନେଇ ହିମାଚଳର ରାଜନୀତିରେ ଦେଖାଦେଇଛି ବିବାଦ । ସମୋସା ଯୋଗୁ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ସିଆଇଡି ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ।
ଆସନ୍ତୁ ଜାଣିବା ପୂରା ଘଟଣାଟି କ’ଣ ।
ଗତ ଅକ୍ଟୋବର ୨୧ରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକଖୁ ସିଆଇଡି ହେଡକ୍ଵାର୍ଟରରେ ସାଇବର ୱିଙ୍ଗ୍ ଷ୍ଟେସନ ଉଦଘାଟନ କରିବାକୁ ଯାଇଥିଲେ । ଏଠାରେ ସିଏମଙ୍କ ପାଇଁ ଅଣାଯାଇଥିବା କେକ୍ ଓ ସିଙ୍ଗଡ଼ାକୁ ତାଙ୍କ ଷ୍ଟାଫମାନଙ୍କୁ ବାଣ୍ଟି ଦିଆଯାଇଥିଲା । ପ୍ରାଥମିକ ଭାବେ ସିଆଇଡି ଏହାର ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଏହି ସିଙ୍ଗଡ଼ା ଓ କେକ୍ ଖାସ୍ କରି ସିଏମଙ୍କ ପାଇଁ ଥିଲା, ଯାହାକି କେବଳ ଏସଆଇ ହିଁ ଜାଣିଥିଲେ ।
ତଦନ୍ତରୁ ଜଣାପଡ଼ିଛି, ଏହି ଜଳଖିଆ ବାକ୍ସଗୁଡ଼ିକୁ ଯେତେବେଳେ ମହିଳା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା, ସେ କୌଣସି ବରିଷ୍ଠ ଅଧିକାରୀଙ୍କଠାରୁ ନିଶ୍ଚିତ ହୋଇ ନ ଥିଲେ ଏବଂ ମେକାନିକାଲ୍ ଟ୍ରାନ୍ସପୋର୍ଟ ବିଭାଗକୁ ଜଳଖିଆ ପଠାଇ ଦେଇଥିଲେ । ଏହି ଭୁଲ୍ କାରଣରୁ ଜଳଖିଆ ଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରି ନ ଥିଲା ।
ତିନୋଟି ବାକ୍ସରେ ରଖାଯାଇଥିବା ଜଳଖିଆକୁ ୧୦-୧୨ ଜଣଙ୍କ ମଧ୍ୟରେ ଚା’ ସହିତ ପରସି ଦିଆଯାଇଥିଲା । ଶେଷରେ ବାକ୍ସ ଖୋଲାଯିବା ବେଳକୁ ସେଥିରେ ଥିବା ଜଳଖିଆ ସବୁ ବଣ୍ଟା ହୋଇସାରିଥିଲା, ଯାହାକୁ ନେଇ ଏବେ ହିମାଚଳ ରାଜନୀତିରେ ବିବାଦ ଦେଖାଦେଇଛି ।