ଯୋଗୀଙ୍କୁ ସୁପ୍ରିମକୋର୍ଟ ଛାଟ : ୟୁପି ସରକାରଙ୍କୁ ଘର ଭଙ୍ଗା ଯାଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ଦଣ୍ଡମୂଳକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ସୁପ୍ରିମ୍କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ହାଇ-ହ୍ୟାଣ୍ଡେଡ୍ ଓ ବେଆଇନ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁପି ସରକାରଙ୍କୁ ଘର ଭଙ୍ଗା ଯାଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ଦଣ୍ଡମୂଳକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାତାରାତି ବୁଲଡୋଜର ଆଣି ଘର ଭାଙ୍ଗିପାରିବେ ନାହିଁ’
ଆପଣ ବୁଲଡୋଜର ଧରି ଆସି ରାତାରାତି ଘର ଭାଙ୍ଗିପାରିବେ ନାହିଁ। ଆପଣ ପରିବାରକୁ ଘର ଖାଲି କରିବାକୁ ସମୟ ଦିଅନ୍ତି ନାହିଁ। ଘରର ଜିନିଷ ବିଷୟରେ କ’ଣ କହିବେ? ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ପାର୍ଦିୱାଲା ଶୁଣାଣି ସମୟରେ କହିଛନ୍ତି। ବେଆଇନ ଉଚ୍ଛେଦ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ କରିବାକୁ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘର ଭଙ୍ଗାଯାଇଥିବା ମନୋଜ ତିବ୍ରେୱାଲ ଆକାଶଙ୍କ ଚିଠି-ଅଭିଯୋଗ ଆଧାରରେ ୨୦୨୦ରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ରାଜପଥ ଜବରଦଖଲ ଅଭିଯୋଗରେ ବିନା କୌଣସି ଆଗୁଆ ନୋଟିସ୍ କିମ୍ବା ସ୍ପଷ୍ଟୀକରଣରେ ତାଙ୍କ ଘର ଭଙ୍ଗାଯାଇଥିବା ସେ ଦାବି କରିଛନ୍ତି। ଆବେଦନକାରୀ ସରକାରୀ ଜମି ଜବରଦଖଲ କରିଛନ୍ତି ବୋଲି ରାଜ୍ୟ ସରକାର କହୁଥିବା ବେଳେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଆପଣ କହୁଛନ୍ତି ଯେ ସେ ୩.୭ ବର୍ଗମିଟର ଜମି ଜବରଦଖଲ କରିଥିଲେ। ଆମେ ଏହାକୁ ମାନୁଛୁ, ଆମେ ତାଙ୍କୁ ଏଥିପାଇଁ ସାର୍ଟିଫିକେଟ୍ ଦେଉନାହୁଁ, କିନ୍ତୁ ଆପଣ କିପରି ରାତାରାତି ବୁଲଡୋଜର ଆଣି ଲୋକଙ୍କ ଘର ଭାଙ୍ଗିପାରିବେ? ଏହା ହେଉଛି ଅନିୟମିତତା।
ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀଙ୍କୁ କୌଣସି ନୋଟିସ୍ ଦିଆଯାଇ ନାହିଁ ଏବଂ କୌଣସି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନାହିଁ। ଆପଣ କେବଳ ଘଟଣାସ୍ଥଳକୁ ଯାଇ ଲାଉଡ୍ ସ୍ପିକର ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇଛନ୍ତି। ଆପଣ କେବଳ ଡ୍ରମ୍ ବଜାଇ ଲୋକଙ୍କୁ ଘର ଖାଲି କରିବାକୁ କହିପାରିବେ ନାହିଁ। ଉପଯୁକ୍ତ ନୋଟିସ୍ ରହିବା ଦରକାର ବୋଲି ଖଣ୍ଡପୀଠ ୟୁପି ସରକାରଙ୍କୁ କହିଛନ୍ତି। ଏଥିସହ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ପାଇଁ ଜବରଦଖଲ ହଟାଇବା ପୂର୍ବରୁ ରାଜ୍ୟ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଉଲ୍ଲେଖ ଥିବା ଏକ ନିର୍ଦ୍ଦେଶାବଳିର ନକଲ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଦେବାକୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାସ୍ତା ପ୍ରଶସ୍ତୀକରଣ କରିବା ସମୟରେ ରାଜ୍ୟ ସରକାର ରାସ୍ତାର ପ୍ରସ୍ଥ ଯାଞ୍ଚ କରିବା, କୌଣସି ଜବରଦଖଲ ଠାବ ହେଲେ ଆନୁଷ୍ଠାନିକ ନୋଟିସ୍ ଜାରି କରିବା ଏବଂ ବାସିନ୍ଦାଙ୍କୁ ଆପତ୍ତି ଉଠାଇବାର ସୁଯୋଗ ଦେବା ଆବଶ୍ୟକ। ଆପତ୍ତି ବିରୋଧରେ କୌଣସି ନିଷ୍ପତ୍ତି ଏକ ଯୁକ୍ତିଯୁକ୍ତ ଆଦେଶ ଆକାରରେ ଆସିବା ଉଚିତ ଯେଉଁଥିରେ ବାସିନ୍ଦାଙ୍କୁ ଖାଲି କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ।