ରାଜ୍ୟ

ଗୋପାଳପୁର ଜେଡ୍‌ଏସ୍‌ଆଇ ପକ୍ଷରୁ ଉଡ଼ନ୍ତା ମାଛ ଚିହ୍ନଟ

ବ୍ରହ୍ମପୁର: ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡ୍‌ଏସ୍‌ଆଇ) ପକ୍ଷରୁ ପ୍ରଥମ ଥର ପାଇଁ ଉଡ଼ନ୍ତା ପ୍ରଜାତିର ମାଛ (ଚେଲିପୋଗନ୍‌ ଆର୍ଟିସେସ୍ପ୍‌) ଚିହ୍ନଟ ହୋଇଛି। ଏଭଳି ପ୍ରଜାତିର ମାଛ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ସଂପ୍ରତି ପ୍ରଥମ ଥର ପାଇଁ ଭାରତ ମହାସାଗରରେ ଚିହ୍ନଟ ହୋଇଛି। ୨୦୨୧ ମସିହାରେ ଏହି ମାଛଟି ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ମାଛର ଡେଣାଗୁଡ଼ିକ ଲମ୍ବା ଓ ଓସାରିଆ ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଡେଣାରେ କିଛି କଳାଚିହ୍ନ ରହିଥିବାରୁ ଏହା ଅନ୍ୟ ପ୍ରଜାତି ଠାରୁ ଭିନ୍ନ। ମାଛଟିର ପିଠି ଭାଗଟି ନୀଳ ଓ ପେଟ ଭାଗଟି ରୁପା ଭଳି ଧଳା ରଙ୍ଗ।

ମାଛର ଲମ୍ବା ୧୫ ରୁ ୧୭ ସେମି। ପୂର୍ବରୁ ଏହି ମାଛ ଚୀନ୍‌, ଫିଲିଫାଇନ୍ସ, ଇଣ୍ଡୋନେସିଆ, ଭିଏତ୍‌ନାମ୍‌, ଜାପାନ୍‌ ଓ ଥାଇଲାଣ୍ଡରେ ଦେଖିବାକୁ ମିଳିଥିଲା। ଏହି ମାଛ ବିଷାକ୍ତ ନୁହେଁ। ପୃଥିବୀରେ ସମୁଦାୟ ୮୦ଟି ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ ହୋଇଥିବା ବେଳେ ୨୪ଟି ପ୍ରଜାତିର ମାଛ ଭାରତ ଉପକୂଳରେ ଦେଖା ଯାଇଥାନ୍ତି। ଗୋପାଳପୁର ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର, ବୈଜ୍ଞାନିକ ଶୁଭେନ୍ଦୁ ଶେଖର ମିଶ୍ର, ବାଂଲାଦେଶର ବାଜକୁଳ ମିଲ୍‌ନି ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ଦୀପାଞ୍ଜନ ରାୟ, ଗବେଷକ ସାନମିତ୍ର ରାୟ ଓ ତପନ ଖଟୁଆ ମିଳିତ ଭାବେ ଏହି ମାଛ ଉପରେ ଗବେଷଣା କରି ସମ୍ପୂର୍ଣ୍ଣ ତଥ୍ୟ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକା ‘ଜର୍ଣ୍ଣାଲ ଅଫ୍‌ ମେରାଇନ୍‌ ବାୟୋଲୋଜିକାଲ ଆସୋସିଏସନ୍‌’କୁ ପ୍ରଦାନ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button