ଦେଶ- ବିଦେଶ

ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ି ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଡଲାର ଦାମ ୮୪ ଟଙ୍କା ୦୯ ପଇସା ହୋଇଯାଇଛି, ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ଡଲାର କେବେବି ଭାରତରେ ଏତେ ମହଙ୍ଗା ହୋଇନଥିଲା। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଛି।

ଯେହେତୁ ବିଶ୍ବର ସିଂହଭାଗ କାରବାର ଲାଗି ନେଣଦେଣ ଡଲାର ଜରିଆରେ ହେଉଛି ତେଣୁ ତାହା ମହଙ୍ଗା ହେବା ଭାରତୀୟ ଅର୍ଥନୀତି ଲାଗି ଆଦୌଁ ଶୁଭଙ୍କର ନୁହେଁ। କାରଣ ଭାରତ ତେଲଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ, ଯନ୍ତ୍ରାଂଶ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଆମଦାନି କରୁଛି। ସେଥିପାଇଁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଚଢ଼ା ଦାମ୍ରେ ସେହି ଜିନିଷଗୁଡ଼ିକ ଦେଶ ଭିତରୁ ଆସିବ ତେବେ ଆହୁରି ଅଧିକ ଦାମ୍ରେ ବିକ୍ରି ହେବ। ତାହା ଦେଶର ଦରଦାମ୍ ସ୍ଥିତିକୁ ବେଲଗାମ କରି ଅଭିବୃଦ୍ଧିକୁ ମନ୍ଥର କରିବାର ଆଶଙ୍କା ରହିଛି। ସେହିପରି, ବିଦେଶରେ ପିଲାମାନଙ୍କୁ ପାଠପଢ଼ାଉଥିବା କିମ୍ବା ଭ୍ରମଣ ତଥା କାରବାର ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଲୋକମାନଙ୍କୁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଅନିଶ୍ଚିତତା ରହିଥିବାରୁ ନିବେଶକମାନେ ସତର୍କ ହୋଇପଡ଼ିଛନ୍ତି। ସେମାନେ ଦୁର୍ବଳ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ସେହି ଧାରାରେ ସେମାନେ ଭାରତୀୟ ବଜାରରୁ ପାଣ୍ଠି ଉଠାଇ ନେଉଛନ୍ତି। ଯେଉଁଥିପାଇଁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଏକଦା ୭୦,୦୦୦ କୋଟି ଡଲାରରୁ ଉପରେ ଥିବା ବୈଦେଶିକ ମୁଦ୍ରା ଭଣ୍ଡାରରେ ଦ୍ରୁତ ହ୍ରାସ ହେଉଛି। ଟଙ୍କାକୁ ସବଳ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ଡଲାର ବିକ୍ରି କରିବା ସହ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button