ଭେହିକିଲ୍ ଟେଣ୍ଡର୍ ପଛରେ ଷଡ୍ଯନ୍ତ୍ର: ଦୁଇଟି ସଂସ୍ଥାରେ ସମାନ ଲୋକ

ଭୁବନେଶ୍ବର: ବିଏମ୍ସି କରିଥିବା ଭେଇକିଲ୍ ଟେଣ୍ଡର ପଛରେ ବିଧିବଦ୍ଧ ଷଡ୍ଯନ୍ତ୍ର ରହିଛି। ଏହା ପଛରେ ଥିବା ଷଡ୍ଯନ୍ତ୍ରର ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେବା ପାଇଁ ଯେଉଁ ମସୁଧା ହୋଇଥିଲା ସେଥିରେ ସଫଳ ହେବା ପଛରେ ଷଡ୍ଯନ୍ତ୍ର କାମ କରିଛି। ଟେଣ୍ଡର ପ୍ରକ୍ରିୟାରେ ଏଲ୍-୧ ଓ ଏଲ୍-୨ ଥିବା ଦୁଇଟି ସଂସ୍ଥାରେ ସମାନ ଲୋକ ନିର୍ଦ୍ଦେଶକ ଭାବରେ ରହିଛନ୍ତି।
ନିଜ ସଂସ୍ଥାଙ୍କୁ ଏକାଠି କରି ଟେଣ୍ଡର ନାଁରେ ପ୍ରହସନ କରାଯାଇଛି। ଏତିକି ନୁହେଁ, ବରଂ ଟେଣ୍ଡର ନେବା ପାଇଁ ଯେଉଁ ଚୁକ୍ତି ରହିଛି ତାହା ମଧ୍ୟ ସମ୍ପୃକ୍ତ ସଂସ୍ଥା ହିସାବରେ ରଖାଯାଇଛି। ବାର୍ଷିକ ଆର୍ଥିକ କାରବାର(ଟର୍ଣ୍ଣ ଓଭର)କୁ ନେଇ ରଖା ଯାଇଥିବା ସର୍ତ୍ତ କେବଳ, ସମ୍ପୃକ୍ତ ସଂସ୍ଥା ପାଇଁ ହିଁ ବିଏମ୍ସି ଧାର୍ଯ୍ୟ କରିଥିବା ଅଭଯୋଗ ହୋଇଛି।
ବିଭିନ୍ନ ପ୍ରକାରର ଯାନ ବାହାନ ପାଇଁ ବିଏମ୍ସି କରିଥିବା ଭେହିକିଲ୍ ଟେଣ୍ଡରରେ ୪ଟି ସଂସ୍ଥା ଭାଗ ନେଇଥିଲେ। ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ୨୨ହଜାର ୯୪୦ ଟଙ୍କା ଭଡ଼ା ଦର୍ଶାଇ ଏଲ୍-୧ ବିଡର ଭାବରେ ଠିକା ପାଇଥିବା ବେଳେ ସିଂହାଦ୍ରି ଇଞ୍ଜିନିୟର୍ସ ଆଣ୍ଡ ଷ୍ଟିଭିଡୋର୍ସ ପ୍ରାଃ ଲିଃ ୨୩ହଜାର ୩୨୦ ଟଙ୍କା ଭଡ଼ା ଦର୍ଶାଇ ଏଲ୍-୨ ହୋଇଥିଲା। ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂ ୨୩ହଜାର ୩୫୬ ଓ ପିଏମ୍ଆର୍ କନ୍ସୋରସିୟମ ୨୪ହଜାର ୮୨୬ ଟଙ୍କା ଭଡ଼ା ଦର୍ଶାଇଥିଲା। ସବୁଠାରୁ କମ୍ ଭଡ଼ା ଦର୍ଶାଇଥିବାରୁ ନିୟମ ମୁତାବକ ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ସହ ବିଏମ୍ସି ଚୁକ୍ତି କରିଥିଲା। ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ଓ ସିଂହାଦ୍ରି ଇଞ୍ଜିନିୟର୍ସ ଆଣ୍ଡ ଷ୍ଟିଭିଡୋର୍ସ ପ୍ରାଃ ଲିଃ ଉଭୟ ସଂସ୍ଥାର ନିର୍ଦ୍ଦେଶକ ଭାବରେ ଦଲଜିତ ସିଂହ କଙ୍ଗ୍ ଓ ଅଭିମନ୍ୟୁ ବେହେରା ରହିଛନ୍ତି। ଉଭୟ ସଂସ୍ଥାର ଟେଣ୍ଡରରେ ଦର୍ଶାଇଥିବା ଭଡ଼ାରେ ୩୮୦ ଟଙ୍କା ପାର୍ଥକ୍ୟ ରହିଥିଲା। ଏଣୁ ଏହା ଏକ ବିଧିବଦ୍ଧ ଷଡ୍ଯନ୍ତ୍ର ବୋଲି ଅଭିଯୋଗ ହୋଇଛି।