ରାଜ୍ୟ

ବାତ୍ୟା ପରେ ଧାମରା ସ୍ଥିତି ବେହାଲ: ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ

ଧାମରା: ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ, ଗତକାଲି ମଧ୍ୟରାତ୍ରିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ଓ ଧାମରା ମୁହାଣ ଅତିକ୍ରମ କରିବା ସମୟରେ ବାତ୍ୟା ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ଅଞ୍ଚଳ ଏକପ୍ରକାର ବେହାଲ୍ ହୋଇଯାଇଛି।

ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ଏତେ ଭୟଙ୍କର ନ ଥିଲେ ବି ଲଗାଣବର୍ଷା ଯୋଗୁ ବିଭିନ୍ନ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଢେଉ ଖେଳୁଛି। ଗାଁମାନଙ୍କରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ କେତେକ ସ୍ଥାନରେ ଘର ଭିତରେ ପାଣି ପଶି କଚ୍ଚାଘର ଭାଙ୍ଗିଯାଇଛି। ଗତକାଲି ସମୁଦ୍ର ଜୁଆର ଶହେ ମିଟର ପର୍ଯ୍ୟନ୍ତ ମାଡ଼ିଯାଇ କୂଳ ଛୁଇଁଥିଲେ ବି ଆଜି ଅଧିକ ଜୁଆର ଆସିନଥିବାରୁ ଲୁଣା ଜୁଆର କବଳରୁ ଚାଷଜମି, ଗାଁଗଣ୍ଡା ରକ୍ଷା ପାଇଛି। ମାତ୍ର, ତୁହାକୁତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗାଁ ଦାଣ୍ଡ, ଚାଷଜମିରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଛୁଟିଛି। ପବନରେ ଧାନଗଛ ସବୁ ବିଲରେ ଲୋଟିଯାଇଛି। ବାତ୍ୟା ପାଇଁ ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ଉଜୁଡ଼ି ଯାଇଥିବା ବହୁ ଚାଷୀ ‘ସମ୍ବାଦ’କୁ କହିଛନ୍ତି।

ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ
ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ
ପହଞ୍ଚିପାରୁନି ଉଦ୍ଧାରକାରୀ ଦଳ
୨ ଦିନ ହେଲା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ

ଅନ୍ୟପକ୍ଷରେ, ଧାମରା-ଚାନ୍ଦବାଲି ରାସ୍ତାର ନରସିଂହପୁର, ଧାମରା, ଧାମରା-ଚନ୍ଦନୀପାଳ ରାସ୍ତାର ବିଦ୍ୟୁତ୍ପ୍ରଭା, ଅମରନଗର, ଧାମରା-ଜାଗୁଳା ରାସ୍ତାର ଜାଗୁଳା, ପାଇକସାହି, ଧାମରା-ବାଂଶଡ଼ା ରାସ୍ତାର ଗୁଆଳ, ବାଂଶଡ଼ାଠାରେ ରାସ୍ତା ଉପରେ ଗଛ ପଡ଼ି ସମ୍ପୃକ୍ତ ଅଞ୍ଚଳକୁ ଯାତାୟାତ ଠପ୍ ହୋଇଛି। ସେହିପରି, କରଞ୍ଜମାଳ ପଞ୍ଚାୟତର ସରସ୍ବତୀ, ବାଂଶଡ଼ା ପଞ୍ଚାୟତର ବଳିହାରପୁର, ଜାଗୁଳା ପଞ୍ଚାୟତର ପାଇକସାହି, ବଳଭଦ୍ରପ୍ରସାଦ, ଧାମରା ପଞ୍ଚାୟତର ଗୋବିନ୍ଦପୁର, ଧାଡ଼କଟା, ଦୋସିଙ୍ଗା ପଞ୍ଚାୟତର ରବୀନ୍ଦ୍ରନଗର, ଓରାମାଳ, ପ୍ରଦ୍ୟୁତନଗର, ପଞ୍ଚୁଟିକ୍ରି ପଞ୍ଚାୟତର ଭେଜିଆଡ଼ିଆ, କରଣପଲ୍ଲୀ ପଞ୍ଚାୟତର କରଣପଲ୍ଲୀ ଗାଁ ସହିତ ଅନେକ ତଳିଆ ଗାଁ ରାସ୍ତାରେ ବର୍ଷାଜଳ ସୁଅ ଛୁଟିଛି। ଜାଗୁଳା ପଞ୍ଚାୟତ ଜୟଦୁର୍ଗାପାଟଣା ଗ୍ରାମର ଗୋବିନ୍ଦ ଦାସଙ୍କ ଘର ସହିତ ଅନେକ ସ୍ଥାନରେ ଘର ଭାଙ୍ଗି ଛପର ଉଡ଼ାଇ ନେଇଛି। ଏହିସବୁ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରି ସପ୍ତାହେ ଭିତରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତକାଲି ରାତିଠାରୁ ଲାଗି ରହିଥିବା ତୁହାକୁତୁହା ବର୍ଷା ଓ ପବନ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବି ଜାରି ରହିଛି।

ବିଭିନ୍ନ ଉଦ୍ଧାରକାରୀ ଦଳ ରାସ୍ତା ସଫା କରି ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ବି କେତେକ ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା କାଠିକର ପାଠ ହୋଇଛି। ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଟିମ୍ ଆଜି ସକାଳଠାରୁ ବିଭିନ୍ନ ରାସ୍ତା ସଫା କରିବାରେ ଲାଗିଛନ୍ତି। ଗତକାଲି ରାତିରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ଧାମରାର ୮ଟି ପଞ୍ଚାୟତର କୌଣସି ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ହୋଇନି। ତେବେ, ସନ୍ଧ୍ୟା ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ହୋଇଯିବ ବୋଲି ଧାମରା ବିଦ୍ୟୁତ୍ ବିଭାଗର ଏସ୍ଡିଓ ରାଜେଶ ରଞ୍ଜନ ଘଡ଼େଇ ସୂଚନା ଦେଇଛନ୍ତି। ଆଜି ଧାମରା ଅଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସ୍ପି ମାଡକର ସନ୍ଦିପ ସମ୍ପତ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button