ଡଗ ସ୍କ୍ୱାଡ଼ ତଦନ୍ତ ପରେ ଗଜପତି ପୁଲିସ କବ୍ଜାରେ ବିହାରୀ ଲୁଟେରା ମହିଳା ଗ୍ୟାଙ୍ଗ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର ଓ ଗୁରାଣ୍ଡି ଥାନା ଅଞ୍ଚଳରେ ଚୋରି ଓ ଲୁଟ ଘଟଣା ନେଇ ସାଧାରଣରେ ଭୟ ଓ ଆତଙ୍କ ଦେଖା ଦେଇଥିବା ବେଳେ କାଶୀନଗର ଥାନା ପୋଲିସର ଡଗ ସ୍କ୍ୱାଡ଼ ତଦନ୍ତ ପରେ ପୁଲିସ ଏକ ଲୁଟେରା ବିହାରୀ ଗ୍ୟାଙ୍ଗ୍କୁ କାବୁ କରିଥିବା ଜଣାଯାଇଛି। ଏଥିରେ ଦୁଇ ମହିଳା, ଦୁଇ ପୁରୁଷ ଓ ୩ ନାବାଳକ ଥିବା ଜଣାଯାଇଛି।
ହେଲେ ପୁଲିସ ତଦନ୍ତ କରୁଥିବାରୁ ବିସ୍ତୃତ ତଥ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଛି। ତଥାପି ଏହି ଚୋରି ଓ ଲୁଟ ଘଟଣାରେ ବିହାରର ଲୁଟେରା ମହିଳାମାନେ ସର୍ଦାର ସାଜିଥିବା ଆମ ଅନୁଧ୍ୟାନରୁ ଜଣା ପଡିଛି. ଏହି ଜିଲ୍ଲାର ଗୋଷାଣି ବ୍ଳକ୍ ତଥା ଗୁରାଣ୍ଡି ଥାନା ଅନ୍ତର୍ଗତ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ସାମନାରେ ରହୁଥିବା ଜି.କ୍ରିଷ୍ଣାରାଓଙ୍କ ଘର ତାଲା ଭାଙ୍ଗି ଗତ କିଛି ଦିନ ତଳେ ଘର ଭିତରେ ପଶି ଦ୍ବିପହରରେ ଚୋରି କରୁଥିବା ବେଳେ ଦୁଇ ଜଣ ମହିଳା ଧରା ପଡ଼ିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ପୁଲିସ ଜିମା ଦେଇଥିଲେ।
ପରେ ଗୁରାଣ୍ଡି ଥାନା ଅଞ୍ଚଳର ଆର୍.ସୀତାପୁର ଗ୍ରାମର ସନ୍ତୋଷ ବିଶ୍ବାଳଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଜଣାପଡିଥିଲା। ପରିବାର ଲୋକ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଘରେ ପଶି ଆଲମାରୀ ତାଡ଼ି ଲୁଟପାଟ ହୋଇଥିଲା। ଦୁଇ ତୋଳା ସୁନା ଏବଂ କୋଡିଏ ହଜାର ଟଙ୍କା ଚୋରି ହୋଇଥିବା ଘର ଲୋକ କହିଛନ୍ତି। ଗୁରାଣ୍ଡି ଥାନା ପୁଲିସ ସେଠାରେ ମଧ୍ୟ ତଦନ୍ତ କରିଥିଲା।
ଖୋଳତାଡ ବେଳେ ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ପାଖ ଅଞ୍ଚଳରୁ ଦୁଇ ଜଣ ପୁରୁଷ ଓ ତିନି ଜଣ ଶିଶୁଙ୍କୁ ପୁଲିସ ଉଠାଇ ନେଇଥିଲା। ସେମାନଙ୍କ ଠାରୁ ବହୁ ମୋବାଇଲ୍, ନଗଦ ଟଙ୍କା, ସୁନା ଓ ରୂପା ସମେତ କିଛି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ବିହାରୀ ଗ୍ୟାଙ୍ଗ୍ର ବୋଲି ଜଣାପଡ଼ିଛି। ପ୍ରକାଶଥାଉକି ଅଭିଯୁକ୍ତମାନେ କିଛି ଦିନ ତ କାଶୀନଗର ଏସ୍ବିଆଇ ଛକରୁ ମଧ୍ୟ ଚୋରି କରିଥିବା ଅଭିଯୋଗ ହୋଇଥିଲା.
ଦିନ ଦିପ୍ରହରରେ ହୋଟେଲ ମାଲିକ କାନ୍କା ରାଜୁଙ୍କ ଘରୁ ୧୦ ଭରି ସୁନା, ୫୦ ଭରି ରୁପା ଓ ନଗଦ ଦୁଇ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। କାନ୍କା ରାଜୁଙ୍କ କହିବା ଅନୁଯାୟୀ ସେମାନେ ତାଙ୍କ ବନ୍ଧୁଙ୍କ ଘରକୁ ଯାଇଥିଲେ । ଘର ତାଲା ଭାଙ୍ଗି ଚୋରି କରିଥିଲେ। ଏଣୁ ଗୁରାଣ୍ଡି ଥାନା, କାଶୀନଗର ଥାନା ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ମିଳିତ ଭାବେ ଏଭଳି ଚୋରି ଘଟଣାଗୁଡିକର ତଦନ୍ତ କରୁଥିବା ଜଣାଯାଇଛି। ଗୁରାଣ୍ଡି ଥାନାଧୂକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ଯେ- ତଦନ୍ତ ଚାଲିଛି, କିଛି ତଥ୍ୟ ମିଳିଲେ ସୂଚନା ଦିଆଯିବ। ସେହିପରି ଏହି ଗ୍ୟାଙ୍ଗ୍ର ଆଉ କେତେଜଣ କେଉଁଠି ଅଛନ୍ତି ତାହାର ଅନୁସନ୍ଧାନ – ଜାରି ରହିଥିବା କାଶୀନଗର ଥାନାଧିକାରୀ ସୁନୀଲ କୁମାର ବେହେରା କହିଛନ୍ତି।