ଦେଶ- ବିଦେଶ

ବିଲୁପ୍ତି ପଥେ ତିନି ପ୍ରଜାତିର ଶାଗୁଣା

ବିଗତ ୫୦ ବର୍ଷ ଭିତରେ ଭୂପୃଷ୍ଠସ୍ଥ ବନ୍ୟପ୍ରାଣୀ ସମ୍ପଦ ପରିମାଣ ୭୩ ପ୍ରତିଶତ କମିଆସିଛି ବୋଲି ବିଶ୍ବ ବନ୍ୟପ୍ରାଣୀ ପାଣ୍ଠି(ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ପକ୍ଷରୁ ପ୍ରକାଶ କରାଯାଇଛି। ଦୁଇବର୍ଷ ତଳେ ଏହି ହ୍ରାସ ୬୯ ପ୍ରତିଶତ ଥିଲାବେଳେ ସାମ୍ପ୍ରତିକ ହ୍ରାସ ଚିନ୍ତାଜନକ ସ୍ଥିତିକୁ ଗତି କରିଛି। ‘ଡବ୍ଲ୍ୟୁଡବ୍ଲ୍ୟୁଏଫ୍’ର ରିପୋର୍ଟ ଅନୁଯାୟୀ, ମଧୁରଜଳ ଜୈବ ବିବିଧତାରେ ସର୍ବାଧିକ ୮୫ ପ୍ରତିଶତ ହ୍ରାସ ଘଟିଛି।

ସେହିପରି ସ୍ଥଳଭାଗସ୍ଥ ଜୈବପ୍ରଣାଳୀରେ ୬୯ ପ୍ରତିଶତ ଏବଂ ସାମୁଦ୍ରିକ ଜୈବପ୍ରଣାଳୀରେ ୫୬ ପ୍ରତିଶତ ହ୍ରାସ ଦେଖାଯାଇଛି। ଜୁଲୋଜିକାଲ୍ ସୋସାଇଟି ଅଫ୍ ଲଣ୍ଡନ ଦ୍ବାରା ବିଶ୍ବବ୍ୟାପୀ ୫,୨୩୦ ପ୍ରକାର ପ୍ରଜାତି ଓ ୩୨,୦୦୦ ଜୀବଜନ୍ତୁଙ୍କ ବାବଦରେ ତଥ୍ୟ ସଂଗ୍ରହ ଓ ତାହାକୁ ତର୍ଜମା କରି ଏପରି ନିର୍ଯାସ ମିଳିଛି। ଯଦିଓ ଏ ସଂକ୍ରାନ୍ତ ଭାରତୀୟ ତଥ୍ୟ ଏଥିରେ ସାମିଲ ହୋଇନାହିଁ, ତେବେ ଭାରତରେ ବେଙ୍ଗ, ପକ୍ଷୀ, ମହୁମାଛି, ସ୍ତନ୍ୟପାୟୀ ଓ ମଧୁରଜଳ କଇଁଛଙ୍କ ସଂଖ୍ୟାରେ ଦ୍ରୁତ ଅବନତି ଘଟିଛି ବୋଲି ‘ଡବ୍ଲ୍ୟୁଡବ୍ଲ୍ୟୁଏଫ୍’ର ଭାରତୀୟ ଶାଖା ପକ୍ଷରୁ କୁହାଯାଇଛି।

ତେବେ ଏହି ରିପୋର୍ଟରେ ତିନି ପ୍ରକାର ଭାରତୀୟ ପ୍ରଜାତିର ଶାଗୁଣା ବଂଶ ଲୋପ ପାଇବାକୁ ବସିଛି ବୋଲି ଚିନ୍ତାପ୍ରକଟ କରାଯାଇଛି। ସେମାନଙ୍କ ଭିତରେ ପତଳା ଥଣ୍ଟିଆ ଶାଗୁଣା(ଜିପ୍ସ ଟେନୁରୋଷ୍ଟ୍ରିସ୍), ଭାରତୀୟ ଶାଗୁଣା(ଜିପ୍ସ ଇଣ୍ଡିକସ୍) ଓ ଧଳା ପିଠିଆ ଶାଗୁଣା(ଜିପ୍ସ ବେଙ୍ଗାଲେନ୍ସିସ୍) ରହିଛନ୍ତି। ବିଶେଷକରି ବାସସ୍ଥାନର ମାନ ଓ ପରିମାଣରେ ଅବନତି ହେତୁ ସେମାନେ ଖାଦ୍ୟ ସଂକଟର ସାମନା କରୁଛନ୍ତି। ଏଣୁ ଏଭଳି ସ୍ଥିତି ପରିଲକ୍ଷିତ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ରୋଗ ସାଙ୍ଗକୁ ଜୀବଜନ୍ତୁ ଶିକାର ଓ ପାଣିପାଗ ବିଭୀଷିକା ଯୋଗୁଁ ଏହି ପ୍ରାଣୀମାନେ ପରିବେଶ ପ୍ରତି ସହନଶୀଳ ହୋଇପାରୁ ନଥିବା କୁହାଯାଇଛି। ବନ୍ୟପ୍ରାଣୀ ସଂଖ୍ୟାରେ ଏପରି ହ୍ରାସ ସମ୍ପ୍ରତି ଜାରି ରହିଥିବା କ୍ରମବର୍ଦ୍ଧିଷ୍ଣୁ ପ୍ରାଣୀ ବିଲୋପନ ପ୍ରକ୍ରିୟାର ସଂକେତ ବୋଲି କୁହାଯାଇଛି। ତେଣୁ ଜୈବବିବିଧତାର ସୁରକ୍ଷା ପାଇଁ କେବଳ କିଛି ଦେଶ ଆପଣେଇଥିବା ପଦକ୍ଷେପଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ, ବରଂ ସମଗ୍ର ବିଶ୍ବ ଏଥିପାଇଁ ପ୍ରୟାସ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button