ଦେଶ- ବିଦେଶ

ଦୁର୍ଗାପୂଜା ଭସାଣି ବେଳେ ପଥର ଓ ଗୁଳି ମାଡ଼; ଜଣେ ମୃତ, ୩୦ ଅଟକ

ଉତ୍ତରପ୍ରଦେଶରେ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଛି। ଏଥିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛି। ଉତ୍ତେଜନା ବୃଦ୍ଧି ପାଇବା ପରେ ପୁଲିସ ପହଞ୍ଚି ୩୦ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା।

ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିବାରୁ ଅପରପକ୍ଷ ଲୋକେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଗୁଳିମାଡ଼ ମଧ୍ୟ କରାଯାଇଥିଲେ। ଏଥିରେ ଜଣେ ୨୨ ବର୍ଷର ଯୁବକ ରାମ ଗୋପାଲ ମିଶ୍ରା ଆହତ ହୋଇଥିଲେ।

ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଏକାଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୋକାନ ଏବଂ ବାଇକରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ୩୦ ଜଣଙ୍କୁ ଅଟକ ରଖିଥିଲା। ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସଲମାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ରାମ ଗୋପାଲଙ୍କୁ ଗୁଳି କରିଥିବା ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

ସେପଟେ, ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଯେଉଁମାନେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାଙ୍କୁ ଭଙ୍ଗ କରୁଛନ୍ତି ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ, ଏଥିସହ ଯେଉଁମାନେ ଦାୟିତ୍ୱରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button