ସ୍ୱାସ୍ଥ୍ୟ

ବଢ଼ୁଛି ଜଳବାୟୁ ସମ୍ବେଦନଶୀଳ ସଂକ୍ରାମକ ରୋଗ

ଳବାୟୁ ପରିବର୍ତ୍ତନ ଯୋଗୁଁ ଡେଙ୍ଗୁ ଓ ମ୍ୟାଲେରିଆ ପରି ଜଳବାୟୁ ସମ୍ବେଦନଶୀଳ ସଂକ୍ରାମକ ରୋଗଗୁଡ଼ିକର ବ୍ୟାପକତା ବଢ଼ିଚାଲିଛି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ବିଶ୍ବର ୫୨ଟି ଦେଶର ୧୧୮ଟି ସହରାଞ୍ଚଳ ଇଲାକାକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଏପରି ତଥ୍ୟ ମିଳିଛି।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ବିଶ୍ବ ଜନସଂଖ୍ୟାର ପ୍ରାୟ ଅଧାରୁ ଅଧିକ ଲୋକ ସହରାଞ୍ଚଳରେ ବସବାସ କରୁଥିବା ବେଳେ ୨୦୫୦ ବେଳକୁ ସେହି ପରିମାଣ ୭୦ ପ୍ରତିଶତରୁ ଅଧିକ ହୋଇଯାଇଥିବ।

ଦ୍ରୁତ ସହରୀକରଣ ଯୋଗୁଁ ଜଳବାୟୁ ପରିବର୍ତ୍ତନର କାରକଗୁଡ଼ିକ ମଧ୍ୟ ବଢୁଛି। ବିଶେଷ କରି ବିଶ୍ବର ମୋଟ ଅଙ୍ଗାରକାମ୍ଳ ନିର୍ଗମନର ୭୫ ପ୍ରତିଶତ ପାଇଁ ସହରଗୁଡ଼ିକ ଦାୟୀ। ତେବେ ଏପରି ଭୟାବହତା ବାବଦରେ ବିଶ୍ବର ପ୍ରତି ୧୦ଟିରୁ ୭ଟି ସହର ବା ପ୍ରାୟ ୬୮.୮ ପ୍ରତିଶତ ସହର ଚିନ୍ତା ପ୍ରକଟ କରିଥିବା ଜଣାଯାଇଛି। ସହରଗୁଡ଼ିକ ଏଭଳି ଜଳବାୟୁ ଓ ସ୍ବାସ୍ଥ୍ୟ ସଂକଟ ସମ୍ପର୍କରେ ଅବଗତ ରହିଥିଲେ ହେଁ ଏହାର ମୁକାବିଲା ପାଇଁ କେବଳ ମାତ୍ର ୪୨ ପ୍ରତିଶତ ସହର ପ୍ରସ୍ତୁତ ରହିଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରେ ଉତ୍ତର ଆମେରିକା, ଲାଟିନ ଆମେରିକା, କାରବୀୟ ଓ ୟୁରୋପୀୟ ସହରଗୁଡ଼ିକର ପ୍ରସ୍ତୁତି ବୈଶ୍ବିକ ହାରାହାରି ସ୍ତରଠାରୁ ଅଧିକ ରହିଛି।

ଅପରପକ୍ଷେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଓ ଆଫ୍ରିକୀୟ ସହରଗୁଡ଼ିକରେ ଆବଶ୍ୟକ ପ୍ରସ୍ତୁତି ହାରାହାରି ସ୍ତରଠାରୁ ତଳେ ରହିଥିବା ଏହି ସର୍ବେକ୍ଷଣରୁ ଜଣାଯାଇଛି। ନିକଟରେ ବେନିନ୍, ବୁର୍କିନା ଫାସୋ, ଚାଡ୍, ଆଇଭରି କୋଷ୍ଟ୍, ଘାନା, ଇଥିଓପିଆ, ନାଇଜେରିଆ ଓ ସେନେଗାଲ ଆଦି ଆଫ୍ରିକୀୟ ଦେଶରେ ଡେଙ୍ଗୁ ଜ୍ବରର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ୨୦୨୩ ଜାନୁଆରିରୁ ୨୦୨୪ ଜାନୁଆରି ଭିତରେ ୧୯ଟି ଆଫ୍ରିକୀୟ ଦେଶରେ ହଇଜା ବ୍ୟାପି ସେଥିରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହ ୪,୧୮୭ ଜଣଙ୍କର ମୃତ୍ୟୁ ଘଟିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନର ସିଧା ସଳଖ ପ୍ରଭାବ ସ୍ବରୂପ ସ୍ବାସ୍ଥ୍ୟ ସଂକଟ ଯୋଗୁଁ ୨୦୩୦ ମସିହା ଯାଏ ପ୍ରତିବର୍ଷ ପ୍ରାୟ ୨୦୦ କୋଟି ଡଲାରରୁ ୪୦୦ କୋଟି ଡଲାର ଯାଏ କ୍ଷତି ଘଟିବ। ତେବେ ବିଶେଷ କରି ବିକଶିତ ଦେଶ ତୁଳନାରେ ବିକାଶଶୀଳ ଦେଶଗୁଡ଼ିକ ଦୁର୍ବଳ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁଁ ବେଶୀ ପ୍ରଭାବିତ।

Related Articles

Leave a Reply

Your email address will not be published. Required fields are marked *

Back to top button