ରାଜ୍ୟ

ମେଲାଣି ନେଲେ ମା’: ରାଜନୀତିରେ ଭସାଣି ଭାଗ‌ଭାଗ

ଭୁବନେଶ୍ବର: ଭକ୍ତଙ୍କୁ ଦର୍ଶନ ଦେବାକୁ ଧରାବତରଣ କରିଥିଲେ ମା’। ଖୁସିରେ ପୂରି ଉଠିଥିଲା ରାଜଧାନୀ। ୫ ଦିନର ପୂଜାର୍ଚ୍ଚନା ପରେ ଆଜି ମା’ ମେଲାଣି ନେଇଛନ୍ତି। କମିସନରେଟ୍ ପୁଲିସର କଡ଼ା ସୁରକ୍ଷା ଭିତରେ ଭସାଣି ଶୋଭାଯାତ୍ରାରେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି ରାଜଧାନୀବାସୀ। ସରକାରୀ ହିସାବ ଅନୁସାରେ, ଚଳିତ ବର୍ଷ ରାଜଧାନୀର ୧୮୭ଟି ପୂଜା ମଣ୍ଡପରେ ମା’ ବିରାଜିଥିଲେ।

ରାଜଧାନୀରେ ୫ଟି ସ୍ଥାନରେ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା- ସହିଦନଗର, ଚନ୍ଦ୍ରଶେଖରପୁରରେ ୨, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବର। ସେଥିରେ ପାଖାପାଖି ୮୦ଟି ମେଢ଼ ସାମିଲ ହୋଇଥିବାବେଳେ ୧୦୦ରୁ ଅଧିକ ମେଢ଼ ନିଜସ୍ବ ଭସାଣି ଶୋଭାଯାତ୍ରାରେ ଯାଇଥିଲେ। ଏଥର ଭସାଣି ଉତ୍ସବରେ ଡିଜେ ଉପରେ କଟକଣା ଲଗାଯାଇଥିଲା। ଫଳରେ ଅଧିକାଂଶ ପୂଜା କମିଟି ଡିଜେ ବଦଳରେ ପାରମ୍ପରିକ ବାଦ୍ୟକୁ ଭସାଣି ଶୋଭାଯାତ୍ରାରେ ସାମିଲ କରିଥିଲେ। କିନ୍ତୁ ସେହି କାରଣରୁ ଅସନ୍ତୁଷ୍ଟ ହୋଇ କିଛି କମିଟି ଆଗାମୀ ବର୍ଷ ନିଜର ନିଜସ୍ବ ଶୋଭାଯାତ୍ରା କରିବାକୁ ଘୋଷଣା କରିଛନ୍ତି।

ଆଜି ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହରେ ରାଜଧାନୀ ଦାଣ୍ଡ ଦୁଲୁକି ଉଠିଥିଲା। ଶଙ୍ଖ, ଘଣ୍ଟ, ଘଣ୍ଟା, ଶିଙ୍ଘବାଜା, ତୂରୀ, ମହୁରି ସାଙ୍ଗକୁ ଦୁଲୁଦୁଲି, ଢୋଲ, ମର୍ଦ୍ଦଳରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇଉଠିଥିଲା। ସେହିଭଳି ସିଂହନାଚ, ଘୋଡ଼ାନାଚ, କଣ୍ଢେଇନାଚ ଓ ଷଣ୍ଢନାଚ ଆଦି ଦେଖଣାହାରୀଙ୍କ ମନକୁ ଛୁଇଁଥିଲା। କମିସନରେଟ୍ ପୁଲିସର କଟକଣା ଯୋଗୁ ଏଥର ରାଜଧାନୀବାସୀ ଅବଶ୍ୟ ଡିଜେର କାନଫଟା ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ, ହେଲେ ଅନ୍ୟପଟେ ଡିଜେ ନବାଜିବାକୁ କେନ୍ଦ୍ରକରି ଷ୍ଟେସନ ବଜାର, ବମିଖାଲ, ଝାରପଡ଼ା, ପଳାସୁଣି ଭଳି କିଛି ପୂଜା କମିଟି ଭସାଣି ଉତ୍ସବରେ ସାମିଲ ହୋଇନଥିବା ଦେଖିବାକୁ ମିଳିଥିଲା। ତେବେ ଚନ୍ଦ୍ରଶେଖରପୁରରୁ ପଳାସୁଣୀ, ସହିଦନଗରରୁ ଖଣ୍ଡଗିରି ଓ ପୁରୁଣା ଭୁବନେଶ୍ବରରୁ ଟଙ୍କପାଣି ପର୍ଯ୍ୟନ୍ତ ସମଗ୍ର ରାଜଧାନୀ ବିଳମ୍ବିତ ରାତି ଯାଏ ଭସାଣି ସମାରୋହରେ ପଡ଼ୁଥିଲା ଉଠୁଥିଲା। କୁଆଖାଇ ଓ ଦୟାନଦୀରେ ବିଏମ୍ସି ଖୋଳିଥିବା ୪ଟି ଅସ୍ଥାୟୀ ପୋଖରୀରେ ମା’ଙ୍କୁ ବିସର୍ଜନ କରାଯାଇଥିଲା। ଭସାଣ ଉତ୍ସବକୁ ଆଖିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଥିଲା। ଭସାଣି ପାଇଁ ଅପରାହ୍ନରେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଦିନ ୩ଟାରୁ ବିଳମ୍ବିତ ରାତିଯାଏ ଭସାଣି ଶେଷହେବା ଯାଏଁ କଟକଣା ବଳବତ୍ତର ରହିଥିଲା। ଭସାଣି ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ପାରମ୍ପରିକ ବାଦ୍ୟରେ କମ୍ପିଲା ରାଜଧାନୀ
ଡିଜେର ବିକଟାଳ ଶବ୍ଦରୁ ମୁକ୍ତି ପାଇଲେ ଶ୍ରଦ୍ଧାଳୁ

ସିଆର୍ପିଛକରୁ ଜୟଦେବବିହାର ରାସ୍ତା ସିଲ୍ କରାଯାଇଥିଲା। ତେଣୁ ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ିସବୁ ସିଆରପି ଛକରୁ ଏକାମ୍ର ପାର୍କ ଦେଇ ଜୟଦେବବିହାରକୁ ଯାଉଥିଲେ। ସେହିପରି ଭସାଣି ସମୟରେ କିଟ୍ରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିଥିଲା। ତେଣୁ ଏହି ରାସ୍ତାସବୁକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ମା’ଙ୍କ ଦର୍ଶନ ପାଇଁ ଅଗଣିତ ଶ୍ରଦ୍ଧାଳୁ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୂଜା ସମୟରେ ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଏକ କମ୍ପାନି ବିଏସ୍ଏପ୍ ଜବାନ ମୁତୟନ ହୋଇଥିଲେ। ଏଥର ଉତ୍ତର ଭୁବନେଶ୍ବର ଭସାଣ ଉତ୍ସବରେ ଗୋଟିଏ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ଚନ୍ଦ୍ରଶେଖରପୁର କ୍ଲବ ଟାଉନ୍ ନିକଟ ଭସାଣି ପଡ଼ିଆରେ ଏକାଠି ହେଉଥିବା ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୨ଟି ଦୁର୍ଗାପୂଜା କମିଟି ଏଥର ବିଜେଡି-ବିଜେପି କଳିରେ ଭାଗ ଭାଗ ହୋଇଯାଇଛନ୍ତି। ଦୁଇଟି ପଡ଼ିଆରେ ଆୟୋଜିତ ଦୁଇଟି ଭସାଣି ଉତ୍ସବରୁ ଗୋଟିକରେ ୭ଟି ମେଢ଼ ସାମିଲ ହୋଇଥିବାବେଳେ ଅନ୍ୟଟିରେ ୧୫ଟି ମେଢ଼ ସାମିଲ ହୋଇଥିଲେ।

ପୁରୁଣା ଭୁବନେଶ୍ବର

ଭସାଣ ପାଇଁ ପୁରୁଣା ଭୁବନେଶ୍ବରରେ ଥିବା ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା। ତେବେ ପୂଜାମଣ୍ଡପର କର୍ମକର୍ତ୍ତା ଭସାଣ ପାଇଁ ବାହାରିବା ବେଳକୁ ପୁଲିସ ହସ୍ତକ୍ଷେପ କରିଥିଲା। ମୁଖ୍ୟତଃ ଡିଜେ ଗାଡ଼ି ଆଣିଥିବା ମେଢ଼କୁ ପୁଲିସ ଛାଡ଼ି ନଥିଲା। ଫଳରେ ଭସାଣରେ ବିଳମ୍ବ ହୋଇଥିଲା। ଦିନ ୧୧ଟାରେ ଯିବା ମେଢ଼ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କଲେ। ତେବେ ଶେଷରେ ବ୍ୟାଣ୍ଡ୍ ବାଜିବା ଅନୁମତି ମିଳିବାପରେ ସନ୍ଧ୍ୟାରେ ମେଢ଼ ଗଡ଼ିଲା। ଅନ୍ୟପକ୍ଷରେ ଗୋଟିଏ ସମୟରେ ସବୁମେଢ଼ ଶୋଭାଯାତ୍ରା କରିବାରୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ମେଢ଼ସବୁ ବଡ଼ଦାଣ୍ଡ ଅତିକ୍ରମ କରିବାକୁ ୩ରୁ ୪ ଘଣ୍ଟା ଲାଗିଥିଲା। ପ୍ରଥମ ବାହାରିଥିବା ମେଢ଼ର ବିସର୍ଜନ ରାତି ସାଢ଼େ ୧୦ଟାରେ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ଆଜି ସକାଳୁ ସବୁମେଢ଼ ଗୋଟିଏ ପରେ ଗୋଟିଏ ବାହାରିଥିଲେ। ପ୍ରଥମେ କୈବର୍ତ୍ତ ସାହି ଓ ପରେ ଡିଜେ ଥିବା ଅନ୍ୟ ସମସ୍ତ ମେଢ଼କୁ ଲିଙ୍ଗରାଜ ଥାନା ପୋଲିସ ବାରଣ କରିଥିଲା। ଏହି ଖବର ପାଇ ସବୁସାହିର ମୁରବି କୈବର୍ତ୍ତ ସାହିଠାରେ ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହାଇକୋର୍ଟ ୬୫ ଡିସିବିଲ୍ ମଧ୍ୟରେ ଡିଜେ ବାଜିବାକୁ ଅନୁମତି ଥିବାବେଳେ ଡିଜେକୁ କାହିଁକି ମୂଳରୁ ବାରଣ କରାଯାଉଥିବା ନେଇ ସେମାନେ ପ୍ରଶ୍ନ କରିଥିଲେ। ହେଲେ ଡିଜେ ଓ ବ୍ୟାଣ୍ଡପାର୍ଟିକୁ ଭସାଣରେ ସାମିଲ କରାଯିବ ନାହିଁ ବୋଲି ପୋଲିସ ସ୍ପଷ୍ଟ ଶୁଣାଇ ଦେଇଥିଲା। କେବଳ ପାରମ୍ପାରିକ ବାଦ୍ୟ ବାଜିବାକୁ ଅନୁମତି ଦେଇଥିଲା। ଏପଟେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ସବୁମେଢ଼ରେ ଡିଜେ ବାଜିବାକୁ ନେଇ ମୁରବିମାନେ ଅଡ଼ି ବସିଥିଲେ। ନଚେତ୍ ମେଢ଼ଯିବ ନାହିଁ ବୋଲି ଚେତାଇ ଦେଇଥିଲେ। ଫଳରେ ମୁରବିମାନଙ୍କ ସହିତ ପୁଲିସର ଯୁକ୍ତିତର୍କ ହୋଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ଅପରାହ୍ନ ୫ଟାରେ କେବଳ ବ୍ୟାଣ୍ଡ୍ପାର୍ଟି ବାଜିବାକୁ ପୋଲିସ ଅନୁମତି ଦେଇଥିଲା। ଏପଟେ ସନ୍ଧ୍ୟା ହୋଇଯିବାରୁ ଲାଇଟ୍ ଯୋଗାଡ଼ କରି ଗୋଟିଏ ଗୋଟିଏ ମେଢ଼ ବିସର୍ଜନ କରିବାକୁ ଯାଇଥିଲେ। ପ୍ରଥମେ ହରଚଣ୍ଡି ସାହି, ଏହାପରେ ପୁନମାଗେଟ୍ ସାହି, ଜାଗେଶ୍ବରୀ କ୍ଲବ, ପରେ ପରେ ୭୫ବର୍ଷର ଯମେଶ୍ବର ପାଟଣାର ମେଢ଼ ବଡ଼ଦାଣ୍ଡକୁ ଆସିଥିଲା। ଏହିପରି ୨୧ଟି ମେଢ଼ ବଡ଼ଦାଣ୍ଡର ବଢ଼େଇବାଙ୍କ, ପୂଜାପଣ୍ଡା ସାହି ଛକ, ତିନିମୁଣ୍ଡିଆ ଛକ, ଗୋସାଗରେଶ୍ବର ଛକ ପରିକ୍ରମାକରି ଲିଙ୍ଗରାଜ ମନ୍ଦିର ନିକଟ ଦେଇ ସାମନ୍ତରାପୁର ପଟେ ଗଙ୍ଗୁଆ ଓ ଦୟାର ଅସ୍ଥାୟୀ ବିସର୍ଜନ କୁଣ୍ଡରେ ବିସର୍ଜନ ହୋଇଥିଲେ।

ସହିଦନଗର

ସହିଦନଗର ସମିତି ପକ୍ଷରୁ ଭସାଣି ଉତ୍ସବ ପାଇଁ ଚଳିତବର୍ଷ ୨୦ରୁ ଊର୍ଦ୍ଧ୍ୱ ପୂଜା କମିଟିକୁ ନିମନ୍ତ୍ରଣ ଦିଆଯାଇଥିଲା। ତା’ ଭିତରୁ ସମୁଦାୟ ୧୫ଟି ମେଢ଼ ଆସିଥିବାବେଳେ ଝାରପଡ଼ା, ଷ୍ଟେସନ ବଜାର, ରସୁଲଗଡ଼ ପରି କିଛି ପ୍ରମୁଖ ପୂଜା କମିଟି ଆସି ନଥିଲେ। ସତ୍ୟନଗର ବନଦୁର୍ଗା ମେଢ଼, କଟକ ରୋଡ୍ ଲକ୍ଷ୍ମୀସାଗର, ମହାଦେବ ପୂଜା କମିଟି, ଭୀମଟାଙ୍ଗି, ସତ୍ୟନଗର ଦୁର୍ଗାପୂଜା କମିଟି, ବାଣୀବିହାର ଟ୍ରାଫିକ ଛକ, ହରପାର୍ବତୀ ପୂଜା କମିଟି, ବାଙ୍କୁଆଳ ଦୁର୍ଗାପୂଜା ସମିତି, ଚକେଇସିଆଣୀ, ମହାବୀର ଦୁର୍ଗାପୂଜା ସମିତି, କେଶୁରା ଦୁର୍ଗାପୂଜା ସମିତି, ସହିଦନଗର ଦୁର୍ଗାପୂଜା ସମିତି, ଭିଏସ୍ଏସ୍ ନଗର ଦୁର୍ଗାପୂଜା କମିଟି, ଗିରିଦୁର୍ଗା କ୍ଲବ, ଶାସ୍ତ୍ରୀନଗର ମହାବୀର ପୂଜା କମିଟି, ନହରକଣ୍ଟା କମିଟି ପ୍ରମୁଖ ଏଠାରେ ଯୋଗଦେଇଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର, ଘୋଡାନାଚ, ଷଣ୍ଢନାଚ, ବୁଢ଼ାବୁଢ଼ୀ, ନୁର୍ ବ୍ରାସ୍ବ୍ୟାଣ୍ଡ, ଘୁମୁରା, ପଞ୍ଜାବୀ ଢୋଲ, ଘଣ୍ଟ, ସିଂହବାଜା, ଦୁଲଉଦୁଲି ଆଦିରେ ବାଦ୍ୟର ତାଳେତାଳେ ସହିଦନଗର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ବାଣୀବିହାରରୁ ବାହାରି ରାଜମହଲ ଛକରେ ପହଞ୍ଚିବା ପରେ ସେଠାରୁ ବିସର୍ଜନ ପାଇଁ ଯାଇଥିଲା। କାର୍ଯ୍ୟକ୍ରମରେ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଅଂଶଗ୍ରହଣକାରୀ ପ୍ରତ୍ୟେକ ଦୁର୍ଗାପୂଜା ସମିତିର ସଭାପତି ଓ ସମ୍ପାଦକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା। ସମିତି ପକ୍ଷରୁ ୧୦୦ ଜଣ ସ୍ୱେଚ୍ଛାସେବୀ, ସୁରକ୍ଷାକର୍ମୀଙ୍କ ସମେତ ପୁଲିସ ଓ ପ୍ରଶାସନ ସେଥିରେ ସହାୟତା କରିଥିଲେ।

ନୂଆପଲ୍ଲୀ

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ସମ୍ମୁଖରେ ରାଜଧାନୀ ମନ୍ଦିର ସୁରକ୍ଷା କମିଟି ଆନୁକୂଲ୍ୟରେ ଶାନ୍ତିଶୃଙ୍ଖଳାର ଅନୁଷ୍ଠିତ ହୋଇଛି ଭସାଣି ଉତ୍ସବ। ପାରମ୍ପରିକ ବାଦ୍ୟ ଦୁଲୁଦୁଲି, ଚାଙ୍ଗୁ, ଢୋଲ ଓ ମୃଦଙ୍ଗ ମାଡ଼ରେ କମ୍ପି ଉଠିଥିଲା ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ। ୪୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମେତ ୧୮ଟି ପୂଜା କମିଟିର ସଦସ୍ୟମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିସିପି ପିନାକ ମିଶ୍ର ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ। ଭସାଣି ଶୋଭାଯାତ୍ରାରେ ସର୍ବାଗ୍ରେ ରହିଥିଲା ମା’ ଝାଡ଼େଶ୍ବରୀ ଦୁର୍ଗାପୂଜା କମିଟି। ଦ୍ବିତୀୟରେ ଡୁମୁଡୁମା ଦୁର୍ଗାପୂଜା କମିଟି ଓ ତୃତୀୟରେ ଭଗବାନପୁର ଦୁର୍ଗାପୂଜା କମିଟି ରହିଥିଲେ। ସେହିପରି ଶ୍ୟାମପୁର ଦୁର୍ଗାପୂଜା କମିଟି, ଦଧିବାମନ ଦୁର୍ଗାପୂଜା କମିଟି ଆଇଗିଣିଆ, ଗଣ୍ଡମୁଣ୍ଡା ସାର୍ବଜନୀନ ଦୁର୍ଗାପୂଜା ସମିତି, ଜୟଦେବ ବିହାର ଦୁର୍ଗାପୂଜା ସମିତି, କଳାରାହାଙ୍ଗ ଦୁର୍ଗାପୂଜା କମିଟି, ରଣସିଂହପୁର ଦୁର୍ଗାପୂଜା କମିଟି, ସାଲିଆସାହି ଆଞ୍ଚଳିକ ଦୁର୍ଗାପୂଜା କମିଟି, ସାଲିଆସାହି ଦୁର୍ଗାପୂଜା କମିଟି, ଶ୍ରୀ ଶ୍ରୀ ମହାବୀର ପୂଜାକମିଟି ନୂଆସାହି, ୟୁନିଟ୍-୮ ରାଜ୍ କ୍ଲବ୍ ଦୁର୍ଗାପୂଜା କମିଟି, ପୋଖରୀପୁଟ ଦୁର୍ଗାପୂଜା କମିଟି, ଶିରିପୁର ଦୁର୍ଗାପୂଜା କମିଟି, ଶିରିପୁର ହରପାର୍ବତୀ ଦୁର୍ଗାପୂଜା କମିଟି, ୟୁନିଟ୍-୬ ଗଙ୍ଗନଗର ଯୁବ ପରିଷଦ ପୂଜା କମିଟି ଶୋଭାଯାତ୍ରରେ ସାମିଲ୍ ହୋଇଥିଲେ। ଶୋଭାଯାତ୍ରାର ଶେଷରେ ନୂଆପଲ୍ଲୀ ଦୁର୍ଗାପୂଜା ସମିତି ରହିଥିଲା। ପଡ଼ିଆରୁ ଶୋଭାଯାତ୍ରା ଆରମ୍ଭ ହୋଇ ସିଆର୍ପି ଛକ, ୟୁନିଟ୍-୮ ଡେଏଭି ସ୍କୁଲ୍ ଛକ, ଓୟୁଏଟି ଛକ, ଶିରିପୁର ଛକ ଓ ଗଙ୍ଗନଗର ଛକରେ ଶେଷ ହୋଇଥିଲା। ହଂସପାଳ ନିକଟ କୁଆଖାଇ ନଦୀପଠାରେ ନିର୍ମିତ ହୋଇଥିବା ଦେବୀଗଡ଼ାରେ ମା’ଙ୍କ ବିସର୍ଜନ ହୋଇଥିଲା। ଏହି ଉତ୍ସବ ଦେଖିବା ନିମନ୍ତେ ରାଜପଥର ଉଭୟ ପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ର ହୋଇ ମା’ଙ୍କୁ ଦର୍ଶନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button