ରାଜ୍ୟ

ମୃତଦେହ ରଖି ରାସ୍ତାରୋକ, ଯାନବାହନ ଚଳାଚଳ ପ୍ରଭାବିତ

ପାଟଣା : ଗତକାଲି ୨୦ ନଂ ଜାତୀୟ ରାଜପଥର ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ନିକଟସ୍ଥ ଟିକିରା ପୁରୁଣା ଗୋଦାବରୀ ଢାବା ନିକଟରେ ଯେଉଁ ସ୍ଥାନରେ ଟ୍ରଲର ଧକ୍କାରେ ୩ ଜଣ ବାଇକ ଆରୋହୀ ମୃତ୍ୟୁବରଣ କରିଥିଲେ ଆଜି ଅପରାହ୍ନ ୪ ଟା ଠାରୁ ସେହି ସ୍ଥାନରେ ମୃତକଙ୍କ ସମ୍ପର୍କୀୟ ଲୋକମାନେ ତଥା ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ବ୍ୟବଚ୍ଛେଦ ହେବା ପରେ ମରଶରୀର ଧରି ଆସିଥିବା ରୋଗୀଯାନକୁ ରାସ୍ତାରେ ରଖି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଜିଲାପାଳ, ଏନଏଚଏଆଇ ପ୍ରତିନିଧି ଘଟଣାସ୍ଥଳକୁ ଆସିବା ଦାବିରେ ହୋଇଥିବା ଏହି ରାସ୍ତାରୋକ କାରଣରୁ ଶହ ଶହ ଯାନବାହନ ୫ କିଲୋମିଟର ପର୍ଯ୍ୟନ୍ତ ଅଟକି ରହିଥିଲା ।

କିଛି ଯାତ୍ରୀବାହୀ ବସ ଓ କାର ବାଧ୍ୟ ହୋଇ ଘଟଗାଁ – ଢେଙ୍କିକୋଟ ଭାୟା ବାରହାଟିପୁରା ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ ।

ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା, ଘଟଗାଁ ତହସିଲଦାର ଭବାନୀ ପ୍ରଧାନଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ପ୍ରମୁଖ ଲୋକମାନଙ୍କ ସହ ଆଲୋଚନା ଜାରି ରଖିଥିଲେ ମଧ୍ୟ ସଂଧ୍ୟା ସାଢ଼େ ୭ ଟା ପର୍ଯ୍ୟନ୍ତ ଏନଏଚଏଆଇର କେହି ପ୍ରତିନିଧି ଘଟଣାସ୍ଥଳକୁ ନଆସିବା ଲୋକମାନଙ୍କୁ ଉତ‌କ୍ଷିପ୍ତ କରିଛି । ସର୍ଭିସ ରୋଡ଼ କାମ ନକରି ରାସ୍ତାର ଗୋଟିଏ ପାର୍ଶ୍ଵକୁ ବନ୍ଦ କରି ରାସ୍ତାରେ ଯାନବାହାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶେଷ ଖବର ସୁଦ୍ଧା ଶୁଦ୍ଧି କ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବା ପ୍ରତିଶ୍ରୁତି ସହ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ମୃତକଙ୍କୁ କ୍ଷତିପୂରଣ ଦେବ ବୋଲି ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ସନ୍ଧ୍ୟା ୮ ରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button