ରାଜ୍ୟ

ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ପ୍ରତିଦିନ ରାସ୍ତା ଦୁର୍ଘଟଣା ଖବର ଆମେ ଆଖପାଖରୁ ଶୁଣିବାକୁ ପାଉ ଅଥବା ସମ୍ବାଦପତ୍ରରେ ପଢ଼ିଥାଉ। ହେଲେ ଏତେ ଦୁର୍ଘଟଣା ଘଟୁଛି କାହିଁକି ଓ ରାସ୍ତାରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଦେଖିଲେ ସାଧାରଣ ଲୋକଟିଏ କ’ଣ କରିପାରିବ? ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସହ ଏ ସଂପର୍କରେ ଆଲୋଚନା।

 ରାସ୍ତା ଦୁର୍ଘଟଣାର ଶିକାର ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିଛି। ଜଣେ ଚିକିତ୍ସକ ଭାବରେ ଏହାକୁ କିଭଳି ଦେଖୁଛନ୍ତି?
ବାସ୍ତବରେ ମୋ ଡାକ୍ତରୀ ଜୀବନ ଆରମ୍ଭ ହେବା ସମୟରେ ଏତେଟା ଦୁର୍ଘଟଣା ହେଉ ନଥିଲା। ଏବେ ସହରୀକରଣ ବଢୁଛି। ଫଳରେ ରାସ୍ତାରେ ଗାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ଏତେ ସଂଖ୍ୟାରେ ଗାଡ଼ି ଯାତାୟାତ ପାଇଁ ଆମ ରାସ୍ତାଘାଟ ଭିତ୍ତିଭୂମି ସେତେ ବିକଶିତ ନୁହେଁ। ଏଥିସହ ଗାଡ଼ି ଚାଳନା ସମୟରେ ମୋବାଇଲର ବ୍ୟବହାର, ଅନ୍ୟମନସ୍କତା, ମଦ୍ୟପାନ ଓ ଉନ୍ନତମାନର ଗାଡ଼ିଚାଳନାର ତାଲିମ ଅଭାବ ଯୋଗୁଁ ଅଧିକ ସଂଖ୍ୟାରେ ଦୁର୍ଘଟଣା ଘଟୁଛି।

 ଦୁର୍ଘଟଣାଗ୍ରସ୍ତଙ୍କ ରକ୍ତପ୍ରବାହ ରୋକିବାକୁ ତତ୍କ୍ଷଣାତ୍ କ’ଣ କରାଯାଇପାରେ?
ଦୁର୍ଘଟଣା ଘଟିବା ପରବର୍ତ୍ତୀ ପ୍ରଥମ ୧ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହାକୁ ‘ଗୋଲ୍ଡେନ୍ ଆୱାର’ କୁହାଯାଇଥାଏ। ଏହି ସମୟ ମଧ୍ୟରେ ଦୁର୍ଘଟଣା ପରେ ଅଧିକ ରକ୍ତପ୍ରବାହ ହେଉଥିବା ସ୍ଥାନକୁ ଜୋର୍ କରି ଚାପି ଧରିବା ବା ଏକ ବଡ଼ କପଡ଼ା କିମ୍ବା ଟାୱେଲରେ ବାନ୍ଧି ରଖିବା ଉଚିତ। ଯଦି େକହି ନଦୀ, ପୋଖରୀ ବା କୌଣସି ଜଳାଶୟରେ ବୁଡ଼ିଯାଇଛନ୍ତି, ତେବେ ତାଙ୍କ ନାକ ବା ପାଟିରେ ପଶିଥିବା ପାଣି ବା କାଦୁଅକୁ ଆଗ ବାହାର କରି ସଫା କରିବା ଉଚିତ, ଯେମିତି ଶ୍ବାସକ୍ରିୟା ଠିକ୍ ଭାବେ ପରିଚାଳିତ ହୋଇପାରିବ। ଏଥିସହ ଯଦି କୌଣସି ସ୍ଥାନରେ ବ୍ୟକ୍ତିର ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଇଛି ତେବେ ସେମାନଙ୍କୁ ସିପିଆର୍ (କାର୍ଡିଓ ପଲ୍ମୋନାରି ରିସ୍ସିଟେସନ୍) ଦେଇ ସାଧାରଣ ବ୍ୟକ୍ତିଟିଏ ବି ଜୀବନ ବଞ୍ଚାଇପାରିବେ। ଗୋଡ଼ କିମ୍ବା ହାତର ହାଡ଼ ମାଡ଼ ହୋଇଥିବା ବା ଭାଙ୍ଗିଥିବା ସନ୍ଦେହ ହେଉଥିଲେ, ବେଶୀ ହଲ୍ଚଲ୍ ନ କରି ଆହତ ସ୍ଥାନକୁ ଏକ ମୋଟା କାଠି ବା କାର୍ଡବୋର୍ଡ ଦେଇ ଗାମୁଛାରେ ବାନ୍ଧି ଡାକ୍ତରଖାନା ନେଇପାରିବା।

 କିଏ ସିପିଆର୍ ଦେଇପାରିବେ?
ସିପିଆର୍ ଏକ ସାଧାରଣ ପ୍ରକ୍ରିୟା, ଯାହାକୁ ଆମେ ଘରୋଇ ବା ପ୍ରାଥମିକ ଉପଚାର ବି କହିପାରିବା। ହୃଦ୍ଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଛାତିକୁ ଦୁଇହାତରେ ବାରମ୍ବାର ଚାପଦେଇ ଆମେ ପୁଣିଥରେ ହୃତ୍ପିଣ୍ଡକୁ ଚାଲୁ କରିପାରିବା। ଅଙ୍ଗନୱାଡ଼ି କର୍ମୀ, ଏଏନ୍ଏମ୍ ଓ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ସିପିଆର୍ କେମିତି ଦେବାକୁ ହୁଏ, ତାହାର ତାଲିମ ଦିଆଯାଇଛି। ଯଦି ଶିବିର ଆୟୋଜନ କରି ଏସବୁର ତାଲିମ ଦିଆଯାଆନ୍ତା, ତେବେ ଅନେକ ଜୀବନ ରକ୍ଷା ପାଇପାରନ୍ତା।

 ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଅନେକ ପଛଘୁଞ୍ଚା ଦିଅନ୍ତି କାହିଁକି?
ଲୋକଙ୍କ ଧାରଣା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଲେ ଥାନାକୁ ଯାଇ ହଇରାଣ ହେବାକୁ ପଡ଼େ। କିନ୍ତୁ ସେମିତି କିଛି ନାହିଁ, ଓଲଟା ଏବେର ସରକାରୀ ନିୟମ ଅନୁସାରେ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଏ।

 ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ବେସରକାରୀ ଡାକ୍ତରଖାନାରେ କ’ଣ ସୁବିଧା ରହିଛି?
ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବେସରକାରୀ ହସ୍ପିଟାଲକୁ ନିଆଗଲେ, ପ୍ରଥମ ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। କୌଣସି ହସ୍ପିଟାଲ ବା ଡାକ୍ତର, ରୋଗୀଙ୍କୁ ଚିକିତ୍ସା କରିବେ ନାହିଁ ବୋଲି କହିପାରିବେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button