ରାଜ୍ୟ

ନାକେଦମ୍‌ କଲେ ନିଶାସକ୍ତ ମହିଳା: ସିଟ୍‌ ଛାଡ଼ି ଦୌଡ଼ିଲେ ଡାକ୍ତର

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍ କରୁଛି। ଗତ ୨ଦିନ ପୂର୍ବେ କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ ହର୍ ଟିମ୍ ହରଡ଼ଘଣାରେ ପଡ଼ିଥିଲା। ବଡ଼ କଷ୍ଟରେ ତାଙ୍କୁ ନିୟନ୍ତ୍ରଣକୁ ଆଣି ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ସେହିଭଳି ଗତକାଲି ରାତିରେ ଘଟିଥିବା ଅନୁରୂପ ଘଟଣାରେ ପୁଲିସକୁ ହରବର ହେବାକୁ ପଡ଼ିଛି।

କେବଳ ହର୍ ଟିମ୍ ନୁହେଁ, କ୍ୟାପିଟାଲ୍ ହସ୍ପିଟାଲ୍ରେ ମଧ୍ୟ ନିଶାରେ ଚୁର୍ ଥିବା ଏହି ନେପାଳୀ ମହିଳାଙ୍କ ଅଜବ କାଣ୍ଡସବୁ ସମସ୍ତଙ୍କୁ ବିସ୍ମିତ କରିଥିଲା। ଜଣେ କନେଷ୍ଟବଳ ତାଙ୍କ କାମୁଡ଼ାରେ ଘାଇଲା ହୋଇଥିବା ବେଳେ କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବାରୁ ସେ ଭୟରେ ସିଟ୍ ଛାଡ଼ି ଦୌଡ଼ିଥିଲେ। ସେହିଭଳି ଏକ ମୃତଦେହକୁ ଆଲିଙ୍ଗନ କରି ମୃତକଙ୍କ ସମ୍ପର୍କୀୟଙ୍କୁ ବ୍ୟଥିତ କରିଥିଲେ।

ସିଟ୍ ଛାଡ଼ି ଦୌଡ଼ିଲେ ଡାକ୍ତର, ଶବକୁ ଆଲିଙ୍ଗନ କଲେ, କାମୁଡ଼ାରେ ଘାଇଲା କନେଷ୍ଟବଳ

ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ନେପାଳୀ ଯୁବତୀଜଣକ ନିଶାରେ ଚୁର୍ ହୋଇ ଇନ୍ଫୋସିଟି ଥାନା କଳାରାହାଙ୍ଗ ରେଲ୍ୱେ କଟିଂ ନିକଟରେ ପଡ଼ିଥିଲେ। ଖବର ପାଇ ହର ଟିମ୍ ସେଠାରେ ପହଞ୍ଚିଥିଲା। କୌଣସି ବାର୍ରୁ ଏଭଳି ଅବସ୍ଥାରେ ଫେରିଥିବା ଯୁବତୀଙ୍କୁ ହର୍ ଟିମ୍ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ହସ୍ପିଟାଲ୍ ପର୍ଯ୍ୟନ୍ତ ଯୁବତୀ ଠିକ୍ ଥିଲେ। ଅର୍ଥାତ୍ ନିଶାରେ ଥିଲେ ବି ଉତ୍ପାତ କରିନଥିଲେ। କିନ୍ତୁ ହସ୍ପିଟାଲ୍ରେ ପହଞ୍ଚିବା ପରେ ତାଙ୍କର ନଖରାମି ଆରମ୍ଭ ହୋଇଯାଇଥିଲା। ପୁଲିସ ଭ୍ୟାନ୍ରୁ ଓହ୍ଲାଇବା ବେଳେ ପାଟିତୁଣ୍ଡ କରିଥିଲେ। ଏହାଦେଖି କିଛି ଲୋକ ସେଠାକୁ ଧାଇଁଆସିଥିଲେ। ସେମାନଙ୍କୁ ଦେଖିବା ପରେ ଯୁବତୀଙ୍କ ରୋବାବ୍ ଆହୁରି ବଢ଼ିଯାଇଥିଲା। କିଛି ଯୁବକ ମୋବାଇଲ୍ରେ ଭିଡିଓ ରେକର୍ଡ କରୁଥିବା ଲକ୍ଷ୍ୟ କରି ସେ ବିଭିନ୍ନ ଫଟୋ ପୋଜ୍ ଦେଇଥିଲେ। ମଝିରେ ମଝିରେ ହିନ୍ଦୀ ସିନେମା ଗୀତ ଗାଇ ନୃତ୍ୟଭଙ୍ଗୀ ପ୍ରଦର୍ଶନ କରୁଥିଲେ। ଏତିକିବେଳେ ଜଣେ କନେଷ୍ଟବଳ ତାଙ୍କୁ କାବୁ କରି ଡାକ୍ତରଙ୍କ ପାଖକୁ ନେବାକୁ ଉଦ୍ୟମ କରିବାରୁ ସେ ତାଙ୍କୁ କାମୁଡ଼ି ପକାଇଲେ। ବିକଳରେ କନେଷ୍ଟବଳ ଛଟପଟ ହୋଇଗଲେ। ସେହିଭଳି ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଉଥିବା ବେଳେ ଏକ ଷ୍ଟ୍ରେଚର୍ ଉପରେ ତାଙ୍କର ନଜର ପଡ଼ିଲା। ଏକ ମୃତଦେହକୁ ସମ୍ପର୍କୀୟମାନେ ଘେରି ରହିଥିଲେ।

ଯୁବତୀଜଣକ ଷ୍ଟ୍ରେଚର୍ ନିକଟକୁ ଯାଇ ମୃତଦେହରୁ ଧଳା ଲୁଗା ହଟାଇଦେଲେ ଏବଂ ମୃତକଙ୍କ ମୁହଁକୁ ଆଲିଙ୍ଗନ କଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ମୃତକଙ୍କ ସମ୍ପର୍କୀୟମାନେ ପୁଲିସକୁ ଗାଳି କରିଥିଲେ। ଏହାପରେ ବଡ଼ କଷ୍ଟରେ ତାଙ୍କୁ ନାଇଟ୍ ସିଫ୍ଟ୍ରେ ଥିବା ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଏହି ସମୟରେ ଘଟିଲା ଅନ୍ୟ ଏକ ଅଭାବନୀୟ ଘଟଣା। ଯୁବତୀଜଣକ ଡାକ୍ତରଙ୍କ ନିକଟରେ ଠିଆହୋଇ ନିଜ ପୋଷାକ ଖୋଲିବା ଆରମ୍ଭ କଲେ। ଯୁବତୀଙ୍କ ଏଭଳି କାଣ୍ଡ ଦେଖି ଡାକ୍ତର ସିଟ୍ରୁ ଉଠି ଦୌଡ଼ିବାକୁ ଲାଗିଲେ। ଏମିତି ପ୍ରାୟ ରାତି ୩ଟା ପର୍ଯ୍ୟନ୍ତ ଯୁବତୀ ପୁଲିସକୁ ହରକତ କରିଥିଲେ। ଏହାପରେ ତାଙ୍କ ନିଶା କିଛି ପରିମାଣରେ କମିଥିଲା ଏବଂ ପୁଲିସ ତାଙ୍କ ପକେଟ୍ରୁ ଠିକଣା ପାଇଥିଲା। ଭୋର୍ ପ୍ରାୟ ୫ଟାରେ ପୁଲିସ ତାଙ୍କୁ ନେଇ ପଟିଆ ନିକଟ ଏକ ଦାମୀ ଆପାର୍ଟମେଣ୍ଟରେ ଛାଡ଼ିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button