ଇଲେକ୍ଟୋରାଲ ବଣ୍ଡ୍ ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ନେଇ ସୁପ୍ରିମ୍କୋର୍ଟ ଦେଇଥିବା ରାୟର ପୁନର୍ବିଚାର ନିମନ୍ତେ ହୋଇଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମ୍କୋର୍ଟ ବଣ୍ଡ୍ ସ୍କିମ୍କୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଆଇନଜୀବୀ ମାଥ୍ୟୁସ୍ ନେଦୁମ୍ପାରା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି।
ଏ ବାବଦ ଏକାଧିକ ରିଭ୍ୟୁ ପିଟିସନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ପୂର୍ବ ରାୟରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ଏହି ମାମଲାର ସମୀକ୍ଷା ପାଇଁ ଏଭଳି ଆବେଦନରେ କୌଣସି ଯୋଗ୍ୟତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିବା ସହ ତୁରନ୍ତ ବଣ୍ଡ୍ ପ୍ରଦାନ ବନ୍ଦ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଆୟକର ଆଇନ ଏବଂ ଜନପ୍ରତିନିଧି ଆଇନର ଧାରା ୨୯ସିରେ ହୋଇଥିବା ସଂଶୋଧନକୁ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ ଏଭଳି ପଦକ୍ଷେପ ଆଇନଗତ ଅଧିକାର ବାହାରେ ବୋଲି ଘୋଷଣା କରିଥିଲେ। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ଏହି ରାୟ ଶୁଣାଇ କଂପାନି ଆଇନରେ ହୋଇଥିବା ସଂଶୋଧନକୁ ଖାରଜ କରି ଦେଇଛନ୍ତି ଏବଂ କର୍ପୋରେଟ ରାଜନୈତିକ ପାଣ୍ଠିକୁ ଅସାମ୍ବିଧାନିକ ବୋଲି କହିଛନ୍ତି।