ରୋହିତ ୩ ମାସ ପରେ ଗୁମର ଖୋଲିଲେ: ଟି-୨୦ ବିଶ୍ୱକପ ଫାଇନାଲର ମାଇଣ୍ଡଗେମର କିଏ ଥିଲେ…

କୋଲକାତା: ଚଳିତ ବର୍ଷ ଜୁନରେ ଭାରତ ପାଇଁ ଟି-୨୦ ବିଶ୍ୱ ଟାଇଟଲ ଆଣିଥିବା ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍କୁ ନେଇ ଏକ ବଡ଼ ଗୁମର ଖୋଲିଛନ୍ତି। ବାସ୍ତବରେ, ଏହି ମ୍ୟାଚର ଟର୍ନିଂ ପଏଣ୍ଟ ଥିଲେ ସୂର୍ଯ୍ୟକୁମାର ଯାଦବ। ତାଙ୍କ ଯୋଗୁ ଭାରତ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ।
କିନ୍ତୁ ରୋହିତ ୩ ମାସ ପରେ ଏବେ ସୂର୍ଯ୍ୟକୁମାରଙ୍କ ବିଷୟରେ ନୁହେଁ ବରଂ ୱିକେଟ୍ କିପର ଋଷଭ ପନ୍ତଙ୍କ ବିଷୟରେ ବଡ଼ ଗୁମର ଖୋଲିଛନ୍ତି।
ସେ କହିଛନ୍ତି ଯେ ଖେଳକୁ ମନ୍ଥର କରିବା ପାଇଁ ପନ୍ତ ଏକ ପଦକ୍ଷେପ ନେଇଥିଲେ ଏବଂ ସେ ଏଥିରେ ବହୁ ପରିମାଣରେ ସଫଳ ହୋଇଥିଲେ।
ନେଟଫ୍ଲିକ୍ସର ଲୋକପ୍ରିୟ ସୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ରୋହିତ ସାଥୀ ଖେଳାଳି ସୁର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ଅକ୍ଷର ପଟେଲ ଏବଂ ଅର୍ଶଦୀପ ସିଂଙ୍କ ବିଷୟରେ ପ୍ରକାଶ କରିଛନ୍ତି।
ରୋହିତ କହିଛନ୍ତି ଯେ ଯେତେବେଳେ ଦକ୍ଷିଣ ଆଫ୍ରିକା ଦଳ ୩୦ ବଲରେ ୩୦ ରନ୍ ଆବଶ୍ୟକ କରୁଥିଲା, ଆହତ ବାହାନା କରି ପନ୍ତ କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ କରିଦେଇଥିଲେ। ଏହା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ଙ୍କ ବ୍ୟାଟିଂ ଲକ୍ଷ୍ୟ ବିଚ୍ୟୁତ ହୋଇଥିଲା। ଏହା ଯୋଗୁ ଟିମ୍ ଇଣ୍ଡିଆ ଉପକୃତ ହୋଇଥିଲା ।
ରୋହିତ କହିଛନ୍ତି, ‘କ୍ରିଜରେ ଦୁଇଟି ସେଟ୍ ବ୍ୟାଟ୍ସମ୍ୟାନ୍ ଥିଲେ ଏବଂ ଅନେକ ୱିକେଟ୍ ବାକି ରହିଥିଲା। ସେତେବେଳେ ଆମେ ଚାପରେ ଥିଲୁ। ଆମେ ମଧ୍ୟ ଭୟଭୀତ ହୋଇଥିଲୁ, କିନ୍ତୁ ସେହି ସମୟରେ ଜଣେ ଅଧିନାୟକଙ୍କର ସାହସ ରହିବା ଉଚିତ୍। ଆମେ ସେ ବିଷୟରେ କେହି କିଛି ଜାଣି ନ ଥିଲୁ। ହଠାତ୍ ପନ୍ତ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଆଣ୍ଠୁରେ ଆଘାତ ଲାଗିଥିବା ଦର୍ଶାଇ ମ୍ୟାଚ୍ ବନ୍ଦ କରିଦେଇଥିଲେ। ପରେ ପନ୍ତ ତାଙ୍କ ଆଣ୍ଠୁରେ ଟ୍ୟାପ୍ ଲଗାଇବା ଆରମ୍ଭ କରିଥିଲେ।