ବିସିସିଆଇର ବଡ଼ ନିଷ୍ପତ୍ତି: ଶରଦ କୁମାର ଦୁର୍ନୀତି ନିବାରଣ ୟୁନିଟ୍ର ନୂତନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଧିକାରୀ ଶରଦ କୁମାରଙ୍କୁ ଦୁର୍ନୀତି ନିବାରଣ ୟୁନିଟର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)। ଏହାପୂର୍ବରୁ ଶରଦ କୁମାର ମଧ୍ୟ ଚାରି ବର୍ଷ ଧରି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ମୁଖ୍ୟ ଥିଲେ। ତେବେ ତାଙ୍କର ବହୁତ ଅଭିଜ୍ଞତା ରହିଛି ଏବଂ ସେ ଅନ୍ୟ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ କେ.କେ ମିଶ୍ରଙ୍କ ସ୍ଥାନ ନେବେ।
୬୮ ବର୍ଷିୟ ଶରଦ ଅକ୍ଟୋବର ୧ରେ ଦୁର୍ନୀତି ନିବାରଣ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।
ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବିସିସିଆଇ ବାର୍ଷିକ ବୈଠକରେ ଶରଦ କୁମାରଙ୍କ ନାମ ଅନୁମୋଦନ କରାଯାଇଛି। ସେ ୧୯୭୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ହରିୟାଣା କ୍ୟାଡରରେ ଥିଲେ। ତାଙ୍କ ପୂର୍ବରୁ ଦୁର୍ନୀତି ନିବାରଣ ୟୁନିଟର ମୁଖ୍ୟ ଥିବା କେ.କେ ମିଶ୍ର ଗତ ବର୍ଷ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ କିଛି କାରଣରୁ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିପାରିନଥିଲେ।
ଏନଆଇଏର ମୁଖ୍ୟ ଭାବେ କାର୍ଯ୍ୟକାଳ ଶେଷ କରିବା ପରେ କୁମାରଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନରେ ଭିଜିଲାନ୍ସ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଜୁନ୍ ୨୦୧୮ରୁ ଏପ୍ରିଲ୍ ୨୦୨୦ ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ କରିଥିଲେ। ଉକ୍ତ ବିଭାଗରେ ସେ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବରେ କିଛି ସମୟ କାର୍ଯ୍ୟ କରିଥିଲେ। ତାଙ୍କ ନୂଆ ଭୂମିକାରେ ଶରଦ କୁମାର ମ୍ୟାଚ୍ ଫିକ୍ସିଂ ଏବଂ କ୍ରିକେଟରେ ବେଟିଂ ଭଳି ଚାଲିଥିବା ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବେ।