କୋଲକାତା ଦୁଷ୍କର୍ମ ଘଟଣାକୁ ନେଇ ତିଆରି ହୋଇ ଲଜ୍ଜା ପେଣ୍ଡାଲ
ନୂଆଦିଲ୍ଲୀ:ଅଗଷ୍ଟ ୯ତାରିଖରେ କୋଲକାତାର ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତରଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ଦେଶ ତଥା ଦେଶ ବାହାରେ ଆଲୋଡ଼ ସୃଷ୍ଟି କରିଥିଲା। ପୀଡ଼ିତା ପରିବାର, କଳାକାର, ରାଜନେତାଙ୍କ ସମେତ ସାଧାରଣ ଲୋକେ ଟ୍ରେନି ଡାକ୍ତରଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ।
ଏନେଇ ଯାଞ୍ଚ ଜାରି ରହିଛି।
ଦୁଷ୍କର୍ମ ପୀଡ଼ିତା ଟ୍ରେନି ଡାକ୍ତର ଜଣକ କୋଲକାତାର ବାସିନ୍ଦା ଥିଲେ। ତେବେ ଉକ୍ତ ଟ୍ରେନି ଡାକ୍ତରଙ୍କ ସହିତ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ କୋଲକାତାରେ ଏକ ପୂଜା ପେଣ୍ଡାଲ ତିଆରି ହୋଇଛି। ଯାହାର ନାମ ଲଜ୍ଜା ପେଣ୍ଡାଲ ରଖାଯାଇଛି। କୋଲକାତାରେ ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଏ। ଛୋଟରୁ ବଡ଼ ଗଳିମାନଙ୍କରେ ପୂଜାର ମହଲ ଦେଖିବାକୁ ମିଳିଥାଏ। ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକ ବିଭିନ୍ନ ପ୍ରକାର ଥିମକୁ ନେଇ ସଜା ଯାଇଥାଏ ଯାହାକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଗହଳି ଲାଗି ରହିଥାଏ।
ଚଳିତଥର ଏକ ଅନନ୍ୟ ପୂଜା ପେଣ୍ଡାଲ ଦେଖିବାକୁ ମିଳିବ। ଅର୍ଥାତ କୋଲକାତାରେ ଅଗଷ୍ଟ ୯ତାରିଖରେ ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଲଜ୍ଜା ପେଣ୍ଡାଲ ତିଆରି ହୋଇଛି। ଏହି ପେଣ୍ଡାଲରେ ଦେଖିବାକୁ ମିଳୁଥିବା ଦୁର୍ଗା ମା’ ତାଙ୍କ ଉଭୟ ହାତକୁ ଚେହେରା ସାମ୍ନାରେ ରଖିଛନ୍ତି। ଗୋଟିଏ ହାତ ପାପୁଲିରେ ତାଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ଭାବେ ଢ଼ାଙ୍କି ହୋଇଯାଇଛି। ଉକ୍ତ ମୂର୍ତ୍ତି ପାଖରେ ଏକ ଡାକ୍ତର ଗାଉନ ଝୁଲା ଯାଇଥିବା ବି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ପେଣ୍ଡାଲ ପରିଚାଳକ କହିଛନ୍ତି ଏହି ମୂର୍ତ୍ତିକୁ ପୂଜା କରାଯିବ ନାହିଁ। ପୂଜା ପାଇଁ ଅନ୍ୟ ଏକ ମୂର୍ତ୍ତି ତିଆରି କରାଯାଇଛି।