ଦେଶ- ବିଦେଶ

ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ଇଡି, ୨୦ କୋଟି ହେରଫେର କରିଥିବା ଅଭିଯୋଗ

ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କ ବଢ଼ିଲା ଅଡୁଆ । ଅର୍ଥ ହେରଫେର ମାମଲାରେ ସମନ ପଠାଇଛି ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ସମନ ପଠାଇଛି । ତାଙ୍କୁ ଆଜି ପଚରାଉଚରା ପାଇଁ ଡକାଯାଇଛି ।

ସୂଚନାନୁସାରେ, ହାଇଦ୍ରାବାଦର ଉପ୍ପାଲର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ୍ ପାଇଁ ଡିଜେଲ ଜେନେରେଟର, ଫାୟାର ବ୍ରିଗେଡ ସିଷ୍ଟମ ଏବଂ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ କରାଯାଇଥିବା ୨୦ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଛି । ଆଝାରୁଦ୍ଦିନ ପୂର୍ବରୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଥିଲେ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ଇଡି ତେଲଙ୍ଗାନାରେ ୯ଟି ସ୍ଥାନରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ଡିଜିଟାଲ ଜିନିଷ ଜବତ କରିଥିଲା ।

ଇଡି ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ । ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଅଧିକ ଦାମରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଥିଲେ । ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରି ଜଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ୬୧ ବର୍ଷୀୟ ଆଝାରୁଦ୍ଦିନ ୯୯ ଟେଷ୍ଟ, ୩୩୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହାସହିତ ୪୭ ଟେଷ୍ଟ ଏବଂ ୧୭୪ ଦିନିକିଆ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । ୨୦୦୯ ଲୋକସଭା ସଦସ୍ୟ ଭାବେ କାମ କରିଛନ୍ତି । ସେ ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button