ରାଜ୍ୟ

ମହାଷ୍ଟମୀରେ ମାଛ ଓ ଉଷୁନା ଚାଉଳ ଖେଚୁଡ଼ି

ବାଲିପାଟଣା: ପମ୍ପାଲୋ ପଞ୍ଚାୟତ କୁଳନ୍ତିରାଶାସନସ୍ଥିତ ମା’ସଂକଟ ତାରିଣୀ ପୀଠରେ ବିଧିବିଧାନ ଅନୁସାରେ ଷୋଳ ପୂଜା ଚାଲିଛି। ସକାଳୁ ରାତି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଲାଗିରହିଛି ଆଧ୍ୟାତ୍ମିକ ପରିବେଶ। ସକାଳେ ବାଳ ଭୋଗ, ମଧ୍ୟାହ୍ନ ଓ ରାତିରେ ଅନ୍ନପ୍ରସାଦ ସାଙ୍ଗକୁ ଅପରାହ୍ଣରେ ଅଥରା ପିଠା ଲାଗି କରାଯାଉଛି। ଏଠାରେ ଚଳିଆସୁଥିବା ପ୍ରଥା ଓ ପରମ୍ପରା ଅନୁସାରେ ମହାଷ୍ଟମୀ ତିଥିରେ ହେବାକୁ ଥିବା ସାମୂହିକ ଖେଚୁଡ଼ି ଭୋଗ ଓ ଜନ୍ତାଳ ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିରହିଛନ୍ତି।

ମହାଷ୍ଟମୀ ତିଥିରେ ଭୋଗଲାଗି ହେଉଥିବା ଉଷୁନା ଚାଉଳ ଖେଚୁଡ଼ି ଓ ମାଛ ପ୍ରସାଦର ସ୍ବତନ୍ତ୍ର ଆକର୍ଷଣ ରହିଛି।

ଏହି ମନ୍ଦିରରେ ପୂଜା ପାଉଛନ୍ତି ମା’ ସଂକଟ ତାରିଣୀଙ୍କ ସହିତ ମା’ ଭୈରବୀ, ଚଣ୍ଡୀଚାମୁଣ୍ଡା ଓ ମହାଦେବ ଐଶାନେଶ୍ବର। ମା’ ସଂକଟ ତାରିଣୀ ପରମ ବୈଷ୍ଣମୀ ହୋଇଥିବାରୁ ତାଙ୍କୁ ଶୁଦ୍ଧ ନିରାମିଷ ପ୍ରସାଦ ଲାଗି ହୋଇଥାଏ। ସେହିଭଳି ମନ୍ଦିର ବେଢ଼ାରେ ପୂଜା ପାଉଥିବା ଐଶାନେଶ୍ବର ମହାଦେବଙ୍କ ନିକଟରେ ବି ନିରାମିଷ ପ୍ରସାଦ ଲାଗି ହୁଏ। କିନ୍ତୁ ମା’ ସଂକଟ ତାରିଣୀଙ୍କ ନିକଟରେ ମା’ ଭୈରବୀ ପୂଜା ପାଉଥିବାରୁ ଷୋଳ ପୂଜା ଅବସରରେ ଏଠାରେ ମାଛ ଲାଗି ହେବା ପ୍ରଥା ଚଳିଆସୁଛି। ତେଣୁ ଏହି ମନ୍ଦିର ଏକଧାରାରେ ଶୈବ, ଶକ୍ତି ଓ ତନ୍ତ୍ର ପୀଠ ଭାବେ ଜଣାଶୁଣା। ବଡ଼ କଥା ହେଉଛି ମା’ ସଂକଟ ତାରିଣୀଙ୍କ ସହିତ ଚଣ୍ଡୀଚାମୁଣ୍ଡାମାନେ ଗୋଟିଏ ପଥରରେ ନିର୍ମିତ ଏବଂ ପାର୍ଶ୍ବଦେବୀ ଭାବେ ମା’ ଭୈରବୀ ପୂଜା ପାଉଛନ୍ତି। ସେହିଭଳି ମନ୍ଦିରରେ ଅନ୍ୟ ପାର୍ଶ୍ବଦେବୀ ଭାବେ ବରାହୀ, ନରିସିଂହୀ ଓ କୌମାରୀ ପୂଜା ପାଉଛନ୍ତି। ଷୋଳ ପୂଜା ଅବସରରେ ମା’ଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ।

ସକାଳୁ ସୁବାସିତ ଜଳରେ ମା’ଙ୍କ ସ୍ନାନ ବିଧି ସରିବା ବାଳଭୋଗ ଲାଗି କରାଯାଏ। ମଧ୍ୟାହ୍ନ ଓ ରାତିରେ ଅନ୍ନ ଧୂପ ଲାଗି ହୋଇଥାଏ ଏବଂ ଅଥରା ବା ଏଣ୍ଡୁରି ମଣ୍ଡା ଅର୍ପଣ କରାଯାଏ ବୋଲି ପୂଜକ ବେଣୁଧର ପଣ୍ଡା ଓ ମାନସ ପଣ୍ଡା କହିଛନ୍ତି। ମଧ୍ୟାହ୍ନ ଓ ରାତିରେ ଅନ୍ନ, ଡାଲ୍ମା, ଖଟା, ଖିରି ଓ ମାଛ ତରକାରୀ ଭୋଗ ହୁଏ। ମହାଷ୍ଟମୀ ରାତିରେ ମନ୍ଦିରରେ ଜନ୍ତାଳ ଆୟୋଜନ ହୋଇଥାଏ। କୁଳନ୍ତିରାଶାସନ ଓ ଗାଁ, ଗୋବିନ୍ଦପୁର, ଚଣାହଟ୍ଟା, ସରାଟ ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଅଲଗା ଅଲଗା ମାନସିକ ଖେଚୁଡ଼ି ହାଣ୍ଡି ରାନ୍ଧନ୍ତି। କୋଠଭୋଗ ଖେଚୁଡ଼ି ହାଣ୍ଡିରେ ପଡ଼ିବା ପରେ ଶ୍ରଦ୍ଧାଳୁମାନେ ଘରକୁ ନେଇ ପ୍ରସାଦ ନେଇ ଫେରନ୍ତି। ଜନ୍ତାଳ ଶେଷରେ ବିଳମ୍ବିତ ରାତିରେ ବିସର୍ଜନ ହୋମ ଅନୁଷ୍ଠିତ ହୁଏ ବୋଲି ଶଶିଭୂଷଣ ମହାନ୍ତି କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button