ରାଜ୍ୟ

ଶିଶୁକନ୍ୟାଙ୍କୁ ମୁଣ୍ଡଜାମିନ୍‌ ରଖି ଗଣଦୁଷ୍କର୍ମ ମାମଲା: କାମୁକ କାଟିଆ ସମେତ ୩ ଗିରଫ

ଭୁବନେଶ୍ବର: ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଆପାର୍ଟମେଣ୍ଟରେ ୨ ବର୍ଷର ଶିଶୁକନ୍ୟାକୁ ମୁଣ୍ଡଜାମିନ ରଖି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ କାର୍ପଟଦାର ଧଉଳି ଥାନା ରେବତୀନଗରର ଜଗା ସିଂ ଓରଫ କାଟିଆ(୨୫) ଓ ସାଲିଆସାହି ହାତୀଆସୁଣି ବସ୍ତିର ବିକାଶ ନାୟକ(୨୬)।

ଏହି ମାମଲାରେ କୁଖ୍ୟାତ କାଟିଆ ଓ ବିକାଶକୁ ବାହାରୁ ରହି ସହଯୋଗ କରିଥିବା ନୀଳମାଧବ ବସ୍ତିର ଟୁକୁନା ନାୟକ(୨୭)କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୀଡ଼ିତାଙ୍କ ସୁନା କାନଫୁଲ ଓ ମାରଣାସ୍ତ୍ର ଜବତ କରାଯାଇଛି। ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଦୁର୍ଦାନ୍ତ କାଟିଆ ଓ ବିକାଶ ପେସାଦାର ଅପରାଧୀ ଏବଂ ପୂର୍ବରୁ ଅଭ୍ୟାସଗତ ଅପରାଧୀଭାବେ ଜେଲ୍ ଯାଇଥିବା ପୁଲିସ ସୂଚନା ଦେଇଛି। ଏମିତିକି କାଟିଆ ନାଁରେ ଆର୍ମସ୍ ଆକ୍ଟରେ ମାମଲା ରହିଛି ବୋଲି କୁହାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଓ ଡିସିପି ପ୍ରତୀକ ସିଂ ଏହି ମାମଲାର ବିବରଣୀ ସହ ଅଭିଯୁକ୍ତମାନଙ୍କ ଅପରାଧ ରେକର୍ଡ ଉପରେ ତଥ୍ୟ ପ୍ରଦାନ କରିଥିଲେ।

ଏହି ଅଭାବନୀୟ କାଣ୍ଡ ବେଶ୍ ଯୋଜନାବଦ୍ଧ ଭାବେ ହୋଇଥିଲା। ମୈତ୍ରୀବିହାର ଥାନା ନୀଳମାଧବ ବସ୍ତି(ଆବାସ ଆପାର୍ଟମେଣ୍ଟ)ରେ ପୀଡ଼ିତା ଶିଶୁକନ୍ୟା ସହ ରହୁଥିଲେ। ତାଙ୍କ ସ୍ବାମୀ ବାହାରେ ରହୁଛନ୍ତି। ସେଠାରେ ଅନ୍ୟ ଏକ ଘରେ ଟୁକୁନା ନାୟକ ରହୁଛି। ଟୁକୁନା ସହ କାଟିଆ ଓ ବିକାଶର ବନ୍ଧୁତା ରହିଛି। ତେଣୁ ସେମାନେ ମଝିରେ ମଝିରେ ଟୁକୁନା ଘରକୁ ଆସି ଭୋଜିଭାତର ଆସର କରନ୍ତି। ବସ୍ତିକୁ ଯା’ଆସ କରିବା ଭିତରେ କାମୁକ କାଟିଆର ଲୋଲୁପ ନଜର ପୀଡ଼ିତାଙ୍କ ଉପରେ ପଡ଼ିଥିଲା। ବିକାଶ ଓ କାଟିଆ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଯୋଜନା କରିଥିଲେ। ସେମାନେ ଟୁକୁନାକୁ ଏବାବଦରେ କହିଥିଲେ। କିନ୍ତୁ ପଡ଼ୋଶୀ ହୋଇଥିବାରୁ ଧରାପଡ଼ିବା ଭୟରେ ଟୁକୁନା ମନା କରିଥିଲା। ମାତ୍ର ସେ ବାହାରେ ରହି ସେମାନଙ୍କୁ ସହଯୋଗ କରିବ ବୋଲି ସମ୍ମତି ଜଣାଇଥିଲା। ଏଥିପାଇଁ ଗତ ରବିବାର ରାତିକୁ ସେମାନେ ସ୍ଥିର କରିଥିଲେ। ସେଦିନ ରାତିରେ ଟୁକୁନା ଘରେ କାଟିଆ ଓ ବିକାଶ ପହଞ୍ଚି ଭୋଜିଭାତ କଲେ। ମହିଳାଙ୍କ ସ୍ବାମୀ ଘରେ ନାହାନ୍ତି ବୋଲି ସେମାନେ ଟୁକୁନାଠାରୁ ବୁଝିବା ପରେ ପ୍ରସ୍ତୁତ ହୋଇପଡ଼ିଲେ। ରାତି ପ୍ରାୟ ୨ଟା ବେଳେ ସେମାନେ ବାଲ୍କୋନି ଚଢ଼ି ମହିଳାଙ୍କ ଘରକୁ ପଶିଲେ। ମହିଳାଙ୍କ ଦୁର୍ଭାଗ୍ୟ, ସେ ବାଲକୋନି କବାଟ ଭିତରୁ ବନ୍ଦ କରିବାକୁ ଭୁଲିଯାଇଥିଲେ। ତେଣୁ ଘର ଭିତରକୁ ସହଜରେ ପଶିଯିବା ପରେ ସେମାନେ ମହିଳାଙ୍କ ସହ ଅମାନୁଷିକ କାଣ୍ଡ ଘଟାଇ ଫେରାର ହୋଇଗଲେ।

କାମ କଲାନି ହିନ୍ଦୀରେ କଥାବାର୍ତ୍ତା ଚାଲ୍
ଅଭିଯୋଗ ହେବା ପରେ ମୈତ୍ରୀବିହାର ଥାନା ପୁଲିସ ବସ୍ତିରେ ପହଞ୍ଚି ଛାନ୍ଭିନ୍ କରିଥିଲା। ବସ୍ତିରେ ସିସିଟିଭି ନଥିଲା। ଦୁଷ୍କର୍ମକାରୀମାନେ ହିନ୍ଦୀରେ କଥାବାର୍ତ୍ତା ହୋଇଥିଲେ। ଉଦ୍ଦେଶ୍ୟ ଥିଲା ପୁଲିସକୁ ଚକ୍ମା ଦେବା। କୌଣସି ବାହାର ରାଜ୍ୟର ଅପରାଧୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବେ ବୋଲି ପୁଲିସ ମନରେ ସନ୍ଦେହ ସୃଷ୍ଟି କରିବା ପାଇଁ କାଟିଆ ହିନ୍ଦୀ କହୁଥିଲା। ତେଣୁ ଦୁର୍ବୃତ୍ତମାନଙ୍କୁ ଠାବ କରିବାରେ ପୁଲିସକୁ ସମସ୍ୟା ହୋଇଥିଲା। କିନ୍ତୁ ପୁଲିସ ପାଖ ପଡ଼ୋଶୀମାନଙ୍କୁ ପଚରାଉଚରା କରିବା ପରେ ସୁରାକ ପାଇଥିଲା। ଟୁକୁନା ଘରକୁ ରୀତିମତ ଆସୁଥିବା ପେସାଦାର ଅପରାଧୀ କାଟିଆ ଓ ବିକାଶ ଉପରେ ସନ୍ଦେହ କରି କିଛି ପଡ଼ୋଶୀ ପୁଲିସକୁ ଜଣାଇଥିଲେ। ପୁଲିସ ଟୁକୁନା, କାଟିଆ ଓ ବିକାଶର ମୋବାଇଲ୍ ଟ୍ରାକ୍ କଲା। ଜଣାପଡ଼ିଲା ଯେ ଘଟଣା ଦିନ ରାତିରେ ସେମାନେ ନୀଳମାଧବ ବସ୍ତିରେ ଏକାଠି ଥିଲେ ଏବଂ ରାତି ସାଢ଼େ ୩ଟା ପର୍ଯ୍ୟନ୍ତ କାଟିଆ ଓ ବିକାଶର ମୋବାଇଲ୍ ସେଠାରେ ସକ୍ରିୟ ଥିଲା। ତେଣୁ ଗତକାଲି ରାତିରେ ପୁଲିସ ଟୁକୁନାକୁ ଉଠାଇନେବା ପରେ ସେ ସବୁ ସତ ଉଗାରି ପକାଇଲା।

Related Articles

Leave a Reply

Your email address will not be published. Required fields are marked *

Back to top button