ରାଜ୍ୟ

ଜଙ୍ଗଲ ଭିତରକୁ ୧୫ ଫୁଟ ମାଡ଼ିଆସିଛି ସମୁଦ୍ର

ରାଜନଗର: ପ୍ରାୟ ୧୫ ଫୁଟ ଜଙ୍ଗଲ ଭିତରକୁ ମାଡ଼ିଆସିଛି ସମୁଦ୍ର। ଡଲଫିନ୍ ହାଉସ୍ ତଳୁ ୫ ଫୁଟର ବାଲି ଧୋଇ ନେଇଛି। ଏଠାରେ ଥିବା ପୁରୁଣା ୱାଚ୍ ଟାୱାର୍ ପାଣି ମାଡ଼ରେ ଭୁଶୁଡ଼ି ପଡ଼ିଛି। ବାତ୍ୟା ଦାନା ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ଏଭଳି ତାଣ୍ତବ ରଚିଛି। ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ନିର୍ମାଣ ହୋଇଥିବା ଡଲ୍ଫିନ୍ ହାଉସ୍ ଉପରେ ସମୁଦ୍ର ଜୁଆର ଭୟଙ୍କର ଭାବେ ମାଡ଼ ହୋଇଥିଲା।

ଫଳରେ କୋଠା ତଳୁ ପ୍ରାୟ ୫ ଫୁଟ ଗଭୀରର ବାଲିକୁ ତାଡ଼ି ନେଇଛି। ୱାଚ୍ ଟାୱାର ଭୁଶୁଡ଼ି ପଡ଼ିଛି । ସମୁଦ୍ର ମଧ୍ୟରେ ଏହି ୱାଚ୍ ଟାୱାରର ଭଗ୍ନାଂଶ ଏବେ ବି ପଡ଼ିଛି। ସାତଭାୟାରୁ ବାବୁବାଲି ଯାଏଁ ବଙ୍ଗୋପସାଗର କୂଳରେ ଥିବା ପାଖାପାଖି ୫ଶହ ଗଛ ତଳୁ ମାଟି ଧୋଇ ନେଇଯିବାରୁ ସେଗଛ ସବୁ ଉପୁଡ଼ି ପଡ଼ିଛି।

ହବାଳିଖଟି ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଅଧିକ ଉଗ୍ର ହୋଇ ଉଠିଥିଲା। ଏହାର ପ୍ରଭାବରେ ୨ ମିଟର ଉଚ୍ଚର ଜୁଆର ଆସିଥିଲା। ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ୪ଟି ଡଲ୍ଫିନ୍ ହାଉସ ଓ ୫ଟି ଟେଣ୍ଟ ହାଉସ୍ ନିମନ୍ତେ ଭିତ୍ତିଭୂମି ରହିଛି। ସମୁଦ୍ର କୂଳରେ ଏହି ଘରେ ରହି ପର୍ଯ୍ୟଟକମାନେ ଡଲ୍ଫିନ୍ ଦେଖିବାର ସୁଯୋଗ ପାଉଥିଲେ। ଉଚ୍ଚ ଜୁଆର ହବାଳିଖଟିରେ ଦୀର୍ଘ ସମୟ ଧରି ତାଣ୍ତବ ରଚିବାରୁ ଡଲ୍ଫିନ୍ ହାଉସ ତଳୁ ପ୍ରାୟ ୫ ଫୁଟ ଗଭୀରର ବାଲି ଧୋଇଯାଇଛି। ଏଥିସହିତ ଡଲ୍ଫିନ୍ ହାଉସ୍ର କବାଟ ଓ ଝରକା କ୍ଷତିଗ୍ରସ୍ତ ହୋଇଛି। ଏହା ଭିତରେ ପାଣି ରହିଥିବା ଦେଖିବାକୁ ମିଳିଛି। ପୁରୁଣା ୱାଚ୍ ଟାୱାର୍ଟି ଭୁଶୁଡ଼ି ପଡ଼ିଥିବା ବେଳେ କିଛି କଂକ୍ରିଟ ଖଣ୍ତ ସମୁଦ୍ରକୂଳରେ ପଡ଼ିଛି। ଜୁଆର ଲାଟିନ ଟାଙ୍କି ସହିତ ପାଇପ୍ଗୁଡ଼ିକୁ ଭସାଇ ନେଇଛି। ସାତଭାୟାରୁ ବାବୁବାଲି ଯାଏଁ ଦୀର୍ଘ ୧୦କିମି ବେଳାଭୂମିରେ ବାଲିପଠାକୁ ଜୁଆର ଧୋଇ ନେଇଛି। ଜଙ୍ଗଲ ଭିତରକୁ ପ୍ରାୟ ୧୫ ଫୁଟ ଯାଏଁ ସମୁଦ୍ର ଜୁଆର ମାଡ଼ିଯିବା ସହ ସେଠାରେ ଥିବା ବାଲି ପଠାକୁ ଧୋଇ ନେଇଛି। ସେହି ଅଞ୍ଚଳରେ ଥିବା ଝାଉଁ, ନିମ୍ବ ଓ ଅଣଚାର ଗଛ ତଳୁ ମାଟି ଓ ବାଲି ଧୋଇ ନେବା ପରେ ଗଛଗୁଡିକ ଉପୁଡ଼ି ପଡ଼ିଥିଲା। ପ୍ରାୟ ୫ଶହ ଗଛକୁ ସମୁଦ୍ର ଜୁଆର ଭସାଇ ନେଇଥିବା ଜଣାପଡ଼ିଛି। ନୂତନ ଡାଇନିଂ ହଲର ପାହାଚ ଜୁଆର ମାଡ଼ରେ ଭାଙ୍ଗିଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button