ରାଜ୍ୟ

‘ସଫେଇକର୍ମୀ ସହରର ଜାଗ୍ରତ ପ୍ରହରୀ’

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ଓ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ଅବସରରେ ଓୟୁଏଟିର ସ୍ବାମୀନାଥନ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସମ୍ବର୍ଦ୍ଧିତ କରିବା ସହ କହିଛନ୍ତି, ପରିବେଶକୁ ପରିଷ୍କାର ରଖୁଥିବା କର୍ମଚାରୀମାନେ ସହରର ଜାଗ୍ରତ ପ୍ରହରୀ।

ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ପରିବେଶ ସ୍ବଚ୍ଛ ରହିବା ସହ ଆମେ ସୁସ୍ଥ ରହୁଛୁ। ପରିବେଶ ପାଇଁ ବୃକ୍ଷର ମହତ୍ବପୂର୍ଣ୍ଣ ଭୂମିକା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡିଶାରେ ଏହି ଅଭିଯାନରେ ୫କୋଟି ବୃକ୍ଷରୋପଣ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪କୋଟି ୪୦ ଲକ୍ଷ ଗଛ ଲଗାଯାଇଛି। ସେ ଆହୁରି ମଧ୍ୟ କହିଥିଲେ, ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ବିଏମ୍ସି ପକ୍ଷରୁ ୧୪୦ଟି ‘କ୍ଲିନ୍ଲିନେସ୍ ଟାର୍ଗେଟ ୟୁନିଟ୍’ ନିଆଯାଇଛି। ଆବର୍ଜନା ପୂର୍ଣ୍ଣ ସ୍ଥାନଗୁଡିକ ଲୋକଙ୍କ ସହଯୋଗରେ ପରିଷ୍କାର କରାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ୧୫ ଦିନ ହେବ ବିଏମ୍ସି ପକ୍ଷରୁ ଗଣ ସଫେଇ ଜାରି ରହିଛି। ୩ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଏମ୍ସିର ୫ଜଣ ସଫେଇ କର୍ମଚାରୀ ସୁକାନ୍ତି ସିଂହ, ଜାନକୀ ବେହେରା, ଅଭିମନ୍ୟୁ ଗୋଛାୟତ, ରମା ନାୟକ ଓ ଶରତ ନାୟକଙ୍କୁ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ, ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ପର ଠାରୁ ବର୍ତ୍ତମାନ ସୁଦ୍ଧା ଦେଶର ୫.୫୦ ଲକ୍ଷ ଗାଁ ବାହ୍ୟମଳ ମୁକ୍ତ ଘୋଷଣା ହୋଇଛି। ସ୍ବଚ୍ଛତା କେବଳ ସରକାରଙ୍କ କାମ ନୁହେଁ, ଏଥିରେ ସବୁ ଜନସାଧାରଣଙ୍କ ଭାଗିଦାରୀ ଆବଶ୍ୟକ। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପ୍ରମୁଖ ଯୋଗଦେଇ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହେବାର ୧୦ ବର୍ଷ ପରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଥିଲେ। ବିଏମ୍ସି ମେୟର ସୁଲୋଚନା ଦାସ ଧନ୍ୟବାଦ ଦେଇଥିଲେ। କମିସନର ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button