ବଦଳିଲା ହାଇସ୍କୁଲ୍ ୟୁନିଫର୍ମ, ସବୁଜ ବଦଳରେ ହେଲା ବାଦାମୀ

ଭୁବନେଶ୍ୱର ୦୨/୧୦: ପୁଣି ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ୟୁନିଫର୍ମ । ଗତ ବର୍ଷ ଘନନୀଳ ରଙ୍ଗରୁ ଚେକ୍ ପକା ହଣ୍ଟର ଗ୍ରୀନ୍ ରଙ୍ଗର ୟୁନିଫର୍ମ କରାଯାଇଥିଲା । ଏବେ ସେହି ଚେକ୍ ସାର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧିବେ, ମାତ୍ର ରଙ୍ଗ ଅଲଗା । ଛାତ୍ରଙ୍କର ପ୍ୟାଣ୍ଟକୁ ମେରୁନ୍ ରଙ୍ଗ କରାଯାଇଥିବା ବେଳେ ସାର୍ଟକୁ ବାଦାମୀ ରଙ୍ଗର କରାଯାଇଛି ।
ଛାତ୍ରୀମାନେ ବାଦାମୀ ରଙ୍ଗର ଚେକ୍ ଶାଲ୍ୱାର୍ ସାଙ୍ଗକୁ ମେରୁନ୍ ରଙ୍ଗର ଜ୍ୟାକେଟ୍ ଓ ସୁଟ୍ ପିନ୍ଧିବେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହାକୁ ବଣ୍ଟନ କରାଯିବ । ଏହି ରଙ୍ଗକୁ ସରକାର ଚୂଡ଼ାନ୍ତ କରିଛନ୍ତି । ଯେଉଁ ସ୍କୁଲରେ ଚଳିତ ବର୍ଷ ୟୁନିଫର୍ମ ବଣ୍ଟନ ହୋଇପାରିନି, ସେଠାରେ ଏହି ନୂଆ ପୋଷାକ ବଣ୍ଟନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ତତ୍କାଳୀନ ରାଜ୍ୟ ସରକାର ହାଇସ୍କୁଲ ପିଲା (ନବମ ଓ ଦଶମ ଶ୍ରେଣୀ)ଙ୍କ ସ୍କୁଲ ପୋଷାକରେ ପରିବର୍ତ୍ତନ କରିଥିଲେ । ଯେଉଁଥିରେ ପୂର୍ବରୁ ଛାତ୍ରଛାତ୍ରୀମାନେ ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି ସ୍କୁଲ୍ ଆସୁଥିବା ବେଳେ ୟୁନିଫର୍ମ ବଦଳାଯାଇଥିଲା । ଛାତ୍ରମାନଙ୍କ ପାଇଁ ହଣ୍ଟର ଗ୍ରୀନ୍ ଓ ଧଳା ରଙ୍ଗର ଚେକ୍ ସାର୍ଟ ଓ ହୋଲି ଗ୍ରୀନ୍ ରଙ୍ଗର ଫୁଲ୍ ପ୍ୟାଣ୍ଟ ଏବଂ ଛାତ୍ରୀମାନେ ହଣ୍ଟର ଗ୍ରୀନ୍ ଓ ଧଳା ରଙ୍ଗର ଚେକ୍ ଶାଲ୍ୱାର୍ ସାଙ୍ଗକୁ ହଣ୍ଟର ଗ୍ରୀନ୍ ରଙ୍ଗର ଜ୍ୟାକେଟ୍ ଓ ସୁଟ୍ ପିନ୍ଧିବା ବ୍ୟବସ୍ଥା କରାଯାଇଥିଲା । ଗତବର୍ଷ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ସ୍କୁଲରେ ଏହାକୁ ଲାଗୁ କରାଯାଇଥିଲା । ଏଥିସହ ସପ୍ତାହକୁ ଗୋଟିଏ ଦିନ ଉଭୟ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ସ୍କୁଲ୍ ଆସିବାକୁ ନିର୍ଦ୍ଦେଶ ଥିଲା । ଏଥିପାଇଁ ୪ଟି ରଙ୍ଗ ନୀଳ, ନାଲି, ହଳଦିଆ, ସବୁଜ ରଙ୍ଗର ଟି-ସାର୍ଟ ହୋଇଥିଲା । ଯାହାକୁ ଏବେ ପିଲାମାନେ ପିନ୍ଧି ସ୍କୁଲ ଆସୁଛନ୍ତି ।
ତେବେ ନୂଆ ସରକାର ଆସିବା ପରେ ଚର୍ଚ୍ଚା ହେଉଥିଲା ସ୍କୁଲ ୟୁନିଫର୍ମ ବଦଳିବ । ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ସ୍କୁଲ ୟୁନିଫର୍ମ ବଦଳା ଯାଇଥିବା ଚୂଡ଼ାନ୍ତ କରାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରାଯିବ । ଏଥିସହ ବିଭାଗ ପକ୍ଷରୁ ସ୍କୁଲ ୟୁନିଫର୍ମର ରଙ୍ଗ କୋଡ୍ ସହ ଏହାର ଏକ ଫଟୋ କପି ମଧ୍ୟ ପ୍ରଦାନ କରାଯାଇଛି ।