ରାଜ୍ୟ

ପୁରୀରେ ଗାନ୍ଧୀଜୀ ଓ ଶାସ୍ତୀଜୀଙ୍କ ଜୟନ୍ତୀ ପାଳିତ

ପୁରୀ,୦୨/୧୦ : ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଧାରାର ମୃତ୍ୟୁ ନାହିଁ । ତାହା ଚିର ଅମର । ସେହିପରି ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ତ୍ୟାଗ, ସ୍ୱାଭିମାନ ପିଢ଼ି ପରେ ପିଢ଼ି ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ।

ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଓ ଶାସ୍ତ୍ରୀଜୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଅହିଂସାକୁ ଅସ୍ତ୍ର କରି ଜଣେ ରକ୍ତ ମାଂସଧାରୀ ମଣିଷ ଯେ ଗୋଟେ ଦୁର୍ଦ୍ଧଶ ବ୍ରିଟିଶ ସେନାକୁ ପରାହିତ କରିଥିଲେ, ତାହା ହୁଏତ ପର ପିଢ଼ି ବିଶ୍ବାସ କରିବା କଷ୍ଟ। କିନ୍ତୁ ତାଙ୍କ ସେବା, ଦେଶପ୍ରେମ, ସତ୍ୟ ପ୍ରତି ଅନୁରାଗ କାଳକାଳକୁ ବିଶ୍ୱକୁ ଅନୁପ୍ରାଣିତ କରି ଚାଲିଥିବ । ଆଜି ବିଶ୍ୱରେ ଯୁଦ୍ଧ ଓ ହିଂସାର ଘନଘଟା ମଧ୍ୟରେ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର ହିଁ ଶାନ୍ତିର ପଥ ପ୍ରଦର୍ଶକ ହୋଇ ପାରିବ ବୋଲି ସେ ଆହ୍ୱାନ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ଉଭୟ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଆଜିର ଦିବସ ଶାନ୍ତି, ଅହିଂସା, ପ୍ରେମ, ସମୟାନୁବର୍ତ୍ତୀତା ଓ ସଂକଳ୍ପର ଦିବସ ଭାବେ ସମସ୍ତେ ପାଳନ କରିବାକୁ ଅନୁରୋଧ କରିଥିଲେ । ସର୍ବୋଦୟ ମେଳା ସମ୍ପାଦକ ଶିବ ପ୍ରସାଦ ମିଶ୍ର ଉଭୟ ବରପୁତ୍ର ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ, ମଞ୍ଚ ପରିଚାଳନା କରିବା ସହ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ,ବିଚାର ଧାରା ଯୁଗଯୁଗ ପାଇଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରି ଚାଲିଥିବ ବୋଲି କହିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସିଦ୍ଧ ମହାବୀର ସଂଗୀତ ଅନୁଷ୍ଠାନ ପକ୍ଷରୁ ସତ୍ୟପ୍ରିୟ ମହାପାତ୍ର ଓ ସାଥି ମାନେ ବୈଷ୍ଣବ ଜନତୋ ଭଜନ ସହ ଅନ୍ୟାନ୍ୟ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।

ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଗାନ୍ଧୀ ଘାଟ ଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀ ଓ ଶାସ୍ତୀଜୀଙ୍କ ଫଟୋଚିତ୍ରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଅତିଥି ମାନେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୋଭାଯାତ୍ରାରେ ଆସି ଗାନ୍ଧୀ ଘାଟ ଠାରେ ପହଞ୍ଚି ଏଥିରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବୋଦୟ ମେଳାର ସଦସ୍ୟ, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ସେନାପତି,ଅନ୍ୟାନ୍ୟ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button