ରାଜ୍ୟ

ମା’ ଭଦ୍ରକାଳୀ ବେଦମାତା ଓ ମହାକାଳୀ ବେଶରେ ପାଇଛନ୍ତି ପୂଜା

ଭଦ୍ରକ: ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଗୁରୁବାର ବେଦମାତା ବେଶରେ ପୂଜା ପାଇଥିବା ବେଳେ ଆଜି ମା’ ମହାକାଳୀ ବେଶରେ ପୂଜା ପାଇଛନ୍ତି। ମାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରି ଆଶିଷ ଭିକ୍ଷା କରିଛନ୍ତି। ବେଦମାତା ବେଶରେ ମା’ ହଳଦିଆ ପାଟ ବସ୍ତ୍ର ପରିଧାନ କରିଥିଲେ।

ସ୍ଵର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୁଷିତ ହୋଇ ବାମ ହସ୍ତ ଯୁଗଳରେ ବେଦ ଓ କମଣ୍ଡୁଳ ଧାରଣ କରିବା ସହିତ ଦକ୍ଷିଣ ହସ୍ତ ଯୁଗଳରେ ଜପମଳି ଓ ପଦ୍ମ ଧାରଣ କରିଛନ୍ତି। ମା’ଙ୍କର ମୁଖ ମଣ୍ଡଳ ହଳଦି ବର୍ଣ୍ଣ ଥିବା ବେଳେ ମା’ ହଂସ ବାହନରେ ବିରାଜମାନ କରିଛନ୍ତି।

ଶାସ୍ତ୍ର ମତ ଅନୁସାରେ ସୃଷ୍ଟି କର୍ତ୍ତା ବ୍ରହ୍ମା, ପାଳନ କର୍ତ୍ତା ବିଷ୍ଣୁ ଓ ସଂହାର କର୍ତ୍ତା ମହେଶ୍ୱରଙ୍କର ଆରାଧ୍ୟ ହେଉଛନ୍ତି ବେଦମାତା ସେଥିପାଇଁ ତାଙ୍କୁ ଦେବମାତା ବୋଲି କୁହାଯାଏ। ସେ ସମସ୍ତ ଦେବତାଙ୍କୁ ସ୍ନେହ ମମତା ବଣ୍ଟନ କରିଥାନ୍ତି। ବେଦଜ୍ଞାନର ଭଣ୍ଡାର ଅଟେ। ମା’ ବେଦ ମାତାଙ୍କୁ ଜ୍ଞାନ ଗଙ୍ଗା ବୋଲି କୁହାଯାଇଛି। ଯେପରି ପବିତ୍ର ଗଙ୍ଗା ନଦୀରେ ସ୍ନାନ କଲେ ଭକ୍ତର ଶରୀରରୁ ପାପ ଧୋଇ ହୋଇଯାଏ, ଠିକ୍ ସେହିପରି ବେଦ ମାତାଙ୍କୁ ଦର୍ଶନ କଲେ ଭକ୍ତର ଆତ୍ମା ଶୁଦ୍ଧି ଓ ପବିତ୍ର ହୋଇଥାଏ। ଅଥର୍ବ ବେଦ ଅନୁସାରେ ବେଦମାତାଙ୍କୁ ଦର୍ଶନ କଲେ ଭକ୍ତର ଆୟୁ, ପ୍ରାଣ, ଯଶ, କିର୍ତ୍ତି ଲାଭ କରିବା ସହିତ ଭକ୍ତ ଉତ୍ତମ ଗୁଣର ଅଧିକାରୀ ହୋଇଥାଏ।

ପୀଠରେ ସୂର୍ଯ୍ୟ ପୂଜା, ଗୁରୁପୂଜା, ପଞ୍ଚଦେବତା ପୂଜା ପରେ ମଙ୍ଗଳ ଆଳତୀ ସମ୍ପନ୍ନ କରାଯାଇ ମାନସିକ କଳସ ଶୋଭାଯାତ୍ରା ବାହାରିଥିଲା। ମାନସିକଧାରି ଭକ୍ତମାନେ ମୁଣ୍ଡରେ ଘଟ ଧରି ପାରମ୍ପାରିକ ବାଦ୍ୟ ସହ ବେଦପାଠ ନାମ ସଙ୍କୀର୍ତ୍ତନ ଶୋଭା ଯାତ୍ରାରେ ଯାଇ ପବିତ୍ର ସାଳନ୍ଦୀ ନଦୀର ଆହାରପଦ। ଘାଟରୁ ଜଳ ଆଣିଥିଲେ। କଳସ ମଣ୍ଡପରେ ଘଟ ସ୍ଥାପନ କରାଯିବା ପରେ ଶାସ୍ତ୍ରୀୟ ବେଦବିତ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ସନ୍ଧ୍ୟା ବେଳେ ମା’ଙ୍କର ଦିବ୍ୟ ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ଭିଡ ଲାଗିଥିଲା।

ଶୁକ୍ରବାର ମା’ ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ବାସ୍ତବିକ ପୀଠରେ ବର୍ଷସାରା ଶାନ୍ତ ସୌମ୍ୟ ରୂପରେ ପୂଜା ପାଇଥାନ୍ତି ମା’। ଭଦ୍ର ଶବ୍ଦର ଅର୍ଥ ମଙ୍ଗଳ। ମା’ ମଙ୍ଗଳମୟୀ, କଲ୍ୟାଣକାରୀ ଅଟନ୍ତି। କୋଳରେ ବାଳଗୋପାଳ ବିଗ୍ରହଙ୍କୁ ଧାରଣ କରି ଥିବାରୁ ସେ ଜଗତର ପାଳନ କର୍ତ୍ତୀ ଓ ସ୍ନେହମୟୀ ଅଟନ୍ତି। ସପ୍ତମାତୃକା ବେଶର ଦିତୀୟ ଦିବସରେ ସେ ମୁକ୍ତ କେଶା, ରକ୍ତଜିହ୍ୱା, ମୁଣ୍ଡମାଳିନୀ, ଖଡଗ ଧାରିଣୀ ଉଗ୍ର ଓ ରୁଦ୍ର ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

ଶାସ୍ତ୍ର ମତାନୁସାରେ ଆଦିଶକ୍ତି ମାତା ପାର୍ବତୀ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ତ୍ରିପୁରରେ ହାହାକାର ଓ ପ୍ରଳୟ ସୃଷ୍ଟି କରିଥିବା ଦାନବ ରକ୍ତବିର୍ଯ୍ୟକୁ ବିନାଶ କରିବା ପାଇଁ ଏହି ରୁଦ୍ର ରୂପକୁ ଧାରଣ କରିଥିଲେ। ମହାକାଳୀ ବେଶରେ ଦର୍ଶନ କଲେ ଭକ୍ତର ଗର୍ବ, ଅହଙ୍କାର ଖଣ୍ଡନ ହୋଇଥାଏ, ଭକ୍ତ ଆସୁରିକ ପ୍ରବୃତ୍ତିରୁ ମୁକ୍ତି ପାଇ ସତ୍ୟ, ଧର୍ମ ପଥ ଅନୁସରଣ କରିଥାଏ। ମହାଯଜ୍ଞର ଦ୍ୱିତୀୟ ଦିବସରେ ଗୀତା ପାଠ, ପ୍ରବଚନ, ନାମସଙ୍କୀର୍ତ୍ତନ, ବେଦପାଠୋ, ଶତଚଣ୍ଡିପାଠ ସହ ହୋମ ଯଜ୍ଞ ଚାଲୁ ରହିଛି। ତୃତୀୟ ଦିବସରେ ମା’ଙ୍କର ରାଜରାଜେଶ୍ଵରୀ ବେଶ ନିମନ୍ତେ ମନ୍ଦିର ସେବାୟତ ତଥା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସନ୍ଧ୍ୟା ସମୟରେ ମା’ଙ୍କର ସନ୍ଧ୍ୟା ଦିବ୍ୟ ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ସମାଗମ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button