ରାଜ୍ୟ

ଅକ୍ଟୋବରରେ ତାତି: ଭୁବନେଶ୍ବର ତାପମାତ୍ରା ୩୬ ଡିଗ୍ରି ଉପରେ

ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ହେଲାଣି। ବର୍ଷା କମିଲାଣି। ଶୀତର ଦେଖା ନାହିଁ। କାଁ ଭାଁ ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି। ବରଂ ଦିନରେ ଟାଣ ଖରା ଅନୁଭୂତ ହେଉଛି। ଦିନ ୧୧ଟା ବେଳକୁ ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ଡେଇଁଯାଉଛି। ଆର୍ଦ୍ରତା ଅଧିକ ରହୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।

ଗ୍ରୀଷ୍ମ ସମୟରେ ପୁରୀର ସର୍ବୋଚ୍ଚ ତାପମାତ୍ରା ଅଧିକାଂଶ ସମୟରେ ୩୬ ଡିଗ୍ରି ରହୁଥିବା ବେଳେ ଆଜିର ଦିନରେ ସେଠାରେ ତାପମାତ୍ରା ୩୬.୭ ଡିଗ୍ରିରେ ପହଞ୍ଚିଛି। ଅନୁରୂପ ଭାବେ ବାଲେଶ୍ବର ତାପମାତ୍ରା ୩୭ ଡିଗ୍ରି ଛୁଇଁଛି। ଅଳ୍ପ କିଛି ସହରକୁ ବାଦ୍ ଦେଲେ ଅଧିକାଂଶ ସ୍ଥାନରେ ପାରଦ ୩୪ ଡିଗ୍ରି ଉପରେ ରହିଥିବା ଦେଖିବାକୁ ମିଳିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ଏବଂ ରାତିର ତାପମାତ୍ରା ୨୨ ଡିଗ୍ରିରେ ପହଞ୍ଚିଛି। ଚାନ୍ଦବାଲି, କଟକ, ପାରାଦୀପ, ଗୋପାଳପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭବାନୀପାଟଣା, ଟିଟିଲାଗଡ଼, ସୋନପୁର, ପାରଳାଖେମୁଣ୍ଡି, ଯାଜପୁର, ବରଗଡ଼, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ସହରରେ ତାପମାତ୍ରା ୩୫ ଡିଗ୍ରିରୁ ଅଧିକ ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଆହୁରି ଆଶ୍ଚର୍ଯ୍ୟ କରିବା ଭଳି। ଆଗାମୀ ସପ୍ତାହକ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ପ୍ରଫେସର ପଶୁପାଳକଙ୍କ କହିବା କଥା ହେଉଛି ସେପ୍ଟେମ୍ବରରେ ମୌସୁମୀ ସରିଯାଏ। ମାତ୍ର ଏବେ ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ ମୌସୁମୀ ପ୍ରଭାବ ରହୁଛି। ଗତ ସପ୍ତାହେ ହେଲା ରାଜ୍ୟରେ ବର୍ଷା ନାହିଁ। ଆକାଶ ମେଘମୁକ୍ତ ରହୁଛି। ମଝିରେ ମଝିରେ ଟାଣ ଖରା ପରେ ବର୍ଷା ହେଉଛି। ମାଟି ଓଦା ନାହିଁ। ସୂର୍ଯ୍ୟଙ୍କ କିରଣ ସିଧାସଳଖ ମାଟିରେ ପଡ଼ୁଥିବାରୁ ତାତି ଅନୁଭୂତ ହେଉଛି। ଆର୍ଦ୍ରତା ଅଧିକ ରହୁଥିବାରୁ ଗରମ ସହ ଗୁଳୁଗୁଳି ମଧ୍ୟ ହେଉଛି। ବାୟୁରେ ଯେଉଁ ଜଳୀୟବାଷ୍ପ ଉତ୍ତାପକୁ ଅଧିକ ଧାରଣ କରୁଛି ତାହା ଦ୍ବାରା ଗରମ ହେଉଛି। ଅନ୍ୟ ଏକ କାରଣ ହେଉଛି ଯେ ବର୍ତ୍ତମାନ ଆକାଶ ନିର୍ମଳ ରହିଥିବାରୁ ଓଜୋନ ଅଧିକ ପରିମାଣରେ ସ୍ଥଳ ଭାଗରେ ପହଞ୍ଚୁଛି। ଉତ୍ତାପକୁ ଓଜୋନ ବଢ଼ାଇଥାଏ, ଯାହାକି ଏବେ ଅନୁଭୂତ ହେଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ୬ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିପାରେ। ରାତିର ତାପମାତ୍ରା ମଧ୍ୟ ଅନୁରୂପ ଭାବେ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରି ଅଧିକ ରହିବ। ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୫ ଡିଗ୍ରି ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟା ଧରି ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଥିଲା। ଭୁବନେଶ୍ବର ଓ କଟକ ସହରର ତାପମାତ୍ରା ଏବେ ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ ରହିଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ରୁ ୩୬ ଡିଗ୍ରି ମଧ୍ୟରେ ରହିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅକ୍ଟୋବରରେ ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button