ରାଜ୍ୟ

ଦୃଷ୍ଟି ଅଢୁଆଳରେ କିମ୍ବଦନ୍ତୀର କାଞ୍ଜିଆମ୍ବ ଗୁମ୍ଫା: ସାଇତି ରଖିଛି ପୌରାଣିକ, ଐତିହାସିକ କଥାବସ୍ତୁ…

ଦେବଗଡ଼,୦୧/୦୧(ପୃଥ୍ୱୀରାଜ ପଟ୍ଟନାୟକ): ବଣ ପାହାଡ଼ ଘେରା ଦେବଗଡ଼ ଜିଲ୍ଲାରେ ଭରି ରହିଛି ପ୍ରକୃତିର ଅମାପ ସୌନ୍ଦର୍ଯ୍ୟ । ଦେବଦେବୀ ପୀଠ ସାଙ୍ଗକୁ ପାହାଡ଼ ଗୁମ୍ଫାର ରହସ୍ୟମୟ କଥାବସ୍ତୁ ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ ବହନ କରେ । ମାତ୍ର ପ୍ରଶାସନିକ ଅବହେଳା କାରଣରୁ ସେଗୁଡ଼ିକ ଲୋକଲୋଚନକୁ ଆସିପାରୁନାହିଁ । ରିଆମାଳ ବ୍ଲକ୍ କାଞ୍ଜିଆମ୍ବ ଗୁମ୍ଫା ହେଉଛି ସେଭଳି ଏକ ରହସ୍ୟମୟ ସ୍ଥଳି ଯାହା ମହାଭାରତ ଯୁଗର କାହାଣୀ ଓ କିମ୍ବଦନ୍ତୀ ବକ୍ଷରେ ସାଇତି ରଖିଛି ।

ସେଠାରେ ଥିବା ୧୮ଟି ବିଚିତ୍ର ଗୁମ୍ଫାର ଅନେକ ଗୁଢ଼ ରହସ୍ୟ ଉଜାଗର ହେବା ଜରୁରୀ । ମାତ୍ର ଏହା ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିପାରି ନ ଥିବାରୁ ଏଯାଏ ଅବହେଳାର ଶିକାର ହୋଇ ରହିଛି ।

“କାଞ୍ଜିଆମ୍ବ ଗୁମ୍ଫା’ର ଉତ୍ପତ୍ତି ବିଷୟରେ ସେଭଳି କିଛି ଐତିହାସିକ ପୃଷ୍ଟଭୂମି ନଥିଲେ ମଧ୍ୟ ପ୍ରଚଳିତ କିମ୍ବଦନ୍ତୀ ବେଶ୍ କୌତୂହଳପୂର୍ଣ୍ଣ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଧର୍ମରାଜ ଯୁଧିଷ୍ଠିର ଦାୟାଦ ରାଜା ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ଦ୍ରୌପଦୀ ଓ ଚାରି ଭାଇଙ୍କ ସହ ହସ୍ତିନାପୁରରୁ ପୂର୍ବ ଭାରତକୁ ତୀର୍ଥଯାତ୍ରାରେ ବାହାରିଥିଲେ । ପଞ୍ଚୁ ପାଣ୍ଡବ ପଶ୍ଚିମ ଉତ୍କଳ (ପ୍ରାଚୀନ ଉତ୍କଳ)ର ବୁଦ୍ଧ ପର୍ବତର ପାଦ ଦେଶରେ ପହଞ୍ଚିବା ପରେ ପ୍ରଚଣ୍ଡ ରୌଦ୍ରତାପରେ ତୃଷାର୍ତ୍ତ ହୋଇଥିଲେ । ତାଙ୍କ ବିକଳ ସହି ନପାରି ଭଗବାନ ଶ୍ରୀକୃଷ୍ଣ ପାଖରେ ଥିବା ହୁଳି ନଦୀ ପଥରଧାରରେ ୨ଟି ଗଣ୍ଡ ସୃଷ୍ଟି କଲେ, ଯାହା ‘ଭାଇ ଭଉଣୀ ଦର୍ହ’ ନାମରେ ପରିଚିତ । ପରେ ଯୁଧିଷ୍ଠିର ଉକ୍ତ ଗଣ୍ଡ ନିକଟରେ ମାଁ ପଦ୍ମାସିନୀଙ୍କୁ ପ୍ରତିଷ୍ଠା କରି ପୂଜା କରିଥିଲେ । ପରେ ଜଳପାନ କରି ଶୋଷ ମେଣ୍ଟାଇଥିଲେ । ସେଠାରୁ ପାଣ୍ଡବ ଆଉଳି ନଦୀ ପାର ହେବା ବେଳେ ଘଡ଼ଘଡି ଓ ବର୍ଷା ହୋଇଥିଲା । ପୁଣି ସଖା କୃଷ୍ଣଙ୍କୁ ପ୍ରାର୍ଥନା କରିବାରୁ ସେ କାଞ୍ଜିଆମ୍ବ ପାହାଡ଼ରେ ଏକ ଗୁମ୍ଫା ସୃଷ୍ଟି କରିଥିଲେ । ସେଠାରେ ପାଣ୍ଡବ ଭ୍ରାତା ଓ ଦ୍ରୌପଦୀ ଆଶ୍ରୟ ନେଇଥିଲେ । ଏହି ସମୟରେ ଗୁମ୍ଫାକୁ ଜଙ୍ଗଲୀ ଜନ୍ତୁ ବି ପଶିଥିଲେ । ଏହାଦେଖି ଦ୍ରୌପଦୀ ଭୟ କରନ୍ତେ ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ଉକ୍ତ ପାହାଡ଼ରେ ଆଉ କେତୋଟି ଗୁମ୍ଫା ତିଆରି କରିବାକୁ ଆଦେଶ ଦେଲେ । ଏବେବି ଉକ୍ତ ପାହାଡ଼ରେ ଭାଲୁ ଗୁମ୍ଫା, ବାଘ ଗୁମ୍ଫା, ଝିଙ୍କି ଗୁମ୍ଫା, ହାତୀ ଗୁମ୍ଫା, ବାଦୁଡ଼ି ଗୁମ୍ଫା ଓ ଋଷି ଗୁମ୍ଫା ନାମରେ ଅଦ୍ୟାବଧି ଦଣ୍ଡାୟମାନ ରହିଛି । ଏପରିକି ଉକ୍ତ ପାହାଡ଼ର ବାଦୁଡ଼ି ଗୁମ୍ଫା ଓ ଭାଲୁ ଗୁମ୍ଫା ମଝିରେ ଥିବା ଏକ ବିରାଟ ପଥର କାନ୍ଥରେ କେତେକ ଶିଳାଲେଖ ଓ ହାତ ପାପୁଲି ଚିହ୍ନ ରହିଛି । ଏହା ଭୀମଙ୍କ ହାତ ପାପୁଲି ଚିହ୍ନ ବୋଲି ବିଶ୍ୱାସ ରହିଛି ।

କିମ୍ବଦନ୍ତୀ କହେ ଏକଦା ପ୍ରେମାନନ୍ଦ ନାମକ ଜଣେ ଗାଈଆଳ ଆଉଳି ନଦୀକୂଳରେ ଗାଈପଲ ଛାଡ଼ି ଜଙ୍ଗଲରେ ପଶିଥିବା ବେଳେ ହଠାତ୍ ଉକ୍ତ ପାହାଡ଼ରେ ୨ଟି ଗୁମ୍ଫା ଦେଖିଥିଲେ । ଏହାସହ ଜଣେ ତେଜସ୍ୱୀ ତପସ୍ୱୀଙ୍କୁ ଗୁମ୍ଫାରେ ଲୀନ ହେବା ଦେଖିଥିଲା । ତପସ୍ୱୀଙ୍କ ଅପେକ୍ଷାରେ ସେ ଅନ୍ନଜଳ ତ୍ୟାଗ କରି ବସି ରହିଥିଲେ । ୨୧ ଦିନପରେ ସ୍ୱୟଂ ଭଗବାନ ଅଚ୍ୟୁତ ତାକୁ କୋଳରେ ଧରି ଆର୍ଶୀବାଦ କରିବା ସହ ଜଗତ କଲ୍ୟାଣରେ ଲାଗିବାକୁ କହିଥିଲେ । ପ୍ରେମାନନ୍ଦ ମାଧ୍ୟମରେ ଅଚ୍ୟୁତଙ୍କୁ ପୂଜା କରିବା ସହ ପାହାଡ଼ଟି ମହିମା ଗୁମ୍ଫା ନାମରେ ପ୍ରସିଦ୍ଧ ହେବ ବୋଲି ଭଗବାନ କହିଥିଲେ ।

ତ୍ରାହି ଅଚ୍ୟୁତଙ୍କ ଦୂତ ରୂପେ ପୂଜା ପାଇବୁ ବୋଲି କହିଥିଲେ। ଏହାପରେ ସେଠାରେ ହି ପ୍ରେମାନନ୍ଦଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସେବେଠୁ ପ୍ରେମାନନ୍ଦ ଉକ୍ତ ଗୁମ୍ଫାରେ ପୂଜା ପାଉଛନ୍ତି । ଶୀତ ଦିନେ ବୈଷ୍ଣବ ଧର୍ମାବଲମ୍ବୀ ଏହି ଗୁମ୍ଫାରେ ଗୁପ୍ତମେଳା କରୁଥିବା ମଧ୍ୟ ଶୁଣିବାକୁ ମିଳେ। ତେବେ କାଳକ୍ରମେ ଦୀର୍ଘବର୍ଷ ହେଲା ଉକ୍ତ ଗୁମ୍ଫାରେ ଅଲେଖ ମହିମା ଧର୍ମାବଲମ୍ବୀ ବର୍ଷତମାମ୍ ବିଭିନ୍ନ ସମୟରେ ହୋମଯଜ୍ଞ କରିଆସୁଛନ୍ତି । ଗୁମ୍ଫାରେ ପୂଜା କଲେ ମନୋବାଞ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି । ଆଖପାଖ ବିଭନ୍ନ ଗାଁଲୋକ ଏଠାରେ ହୋମଯଜ୍ଞ କରୁଥିବା ବେଳେ ମହିମା ବାବା ଧନେଶ୍ୱର ଦାସ ଗୁମ୍ଫାର ତତ୍ତ୍ୱାବଧାରକ ରହିଛନ୍ତି ।

ଏହି ପ୍ରାଚୀନ ଗୁମ୍ଫା ବହୁ ଐତିହାସିକ ତଥ୍ୟ ମଧ୍ୟ ବହନ କରେ । ଗୁମ୍ଫା ନିକଟ ଜଙ୍ଗଲର ବିଭିନ୍ନ ସ୍ଥାନରେ ପଥର ନିର୍ମିତ ଘର କାନ୍ଥ ଓ ଅସ୍ତ୍ରଶସ୍ତ୍ର ସଦୃଶ ପ୍ରସ୍ତର ଖଣ୍ଡ, ହାଡ଼ ତିଆରି ମାଳି ଆଦି ପଡ଼ିଥିବା ଦେଖାଯାଏ । ତେଣୁ ପ୍ରାଗ୍ ଐତିହାସିକ ଯୁଗର ଲୋକେ ଏହି ପଥର ଗୁମ୍ଫାରେ ରହୁଥିଲେ ବୋଲି ଅନୁମାନ କରାଯାଏ । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଉକ୍ତ ଅଞ୍ଚଳର ସର୍ବେକ୍ଷଣ କଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସିବା ସହ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button