ଦେଶ- ବିଦେଶ

ପଖାଳ ଖାଇବା ଦ୍ଵାରା ମିଳିଥାଏ ଅନେକ ଲାଭ, ଆସନ୍ତୁ ଜାଣିବା ପଖାଳରେ କଣ ସବୁ ରହିଛି ଭିଟାମିନ…

ପଖାଳ ହେଉଛି ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଆମ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି। ରାତିରେ, ପୁଣି ଘିଅ ପକାଇ ଖାଆନ୍ତି। ଏମିତି ଖାଇବା କେଉଁଠି ଦେଖିଛନ୍ତି। ପଖାଳ ଆମ ଓଡ଼ିଶାର ଧନୀ, ଗରିବ, ମଧ୍ୟବିତ୍ତ ସବୁ ପ୍ରକାର ପରିବାରର ଭୋକ ମେଣ୍ଟାଇବା ପରି ଏକ ସରଳ ଖାଦ୍ୟ। କିନ୍ତୁ ଆପଣ ଜାଣନ୍ତି କି ବହୁ ପରିମାଣର ପୋଷକରେ ଭରପୂର ଏହି ପଖାଳ। ପଖାଳ ଦିବସ ଅବସରରେ ଆସନ୍ତୁ ଏହି ପଖାଳ ବିଷୟରେ କିଛି ଜାଣିବା।

ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଆମର ପାରମ୍ପରିକ ପଖାଳ ଖିଆରେ ଶାଗ ଭଜା ଓ ବଡ଼ିଚୁରା କିମ୍ୱା କେବଳ ଆଳୁ ଭର୍ତ୍ତା ହୋଇଗଲେ ଓଡ଼ିଆଙ୍କ ପାଇଁ ଯଥେଷ୍ଟ ହୋଇଯାଏ। ବଳକା ଭାତକୁ ପାଣି ପୁରାଇ ରାତିରେ ମାଟି ହାଣ୍ଡିରେ ଘୋଡ଼ାଇ ରଖିଦେଇ ସକାଳୁ ଖାଇଲେ ସେଇଟା ବାସି ପଖାଳ, ସାଙ୍ଗେ ସାଙ୍ଗେ ଭାତ ରାନ୍ଧି ଦହି ପକାଇ ଖାଇଲେ ତାହା ସଜ ପଖାଳ କୁହାଯାଏ। ତେବେ ସେ ଯାହା ବି ନାମ ଦିଆଯାଉ, ପଖାଳ ଖାଇବା ଦ୍ୱାରା ଅନେକଗୁଡ଼ିଏ ଶାରୀରିକ ସମସ୍ୟାରୁ ଆମକୁ ଉପଶମ ମିଳିଥାଏ, ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।

ପଖାଳର ଉପକାରୀତା :

ପଖାଳ ଏକ ଉତ୍ତମ ପ୍ରୋବାୟୋଟିକ୍। ଏହା ପୁରା ରାତି ପାଣିରେ ଭିଜିବା ଦ୍ୱାରା ଏଥିରେ ବିଭିନ୍ନ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହା ଆମ ଖାଦ୍ୟନଳୀ ବା ଗଟ୍‌ର ସ୍ୱାସ୍ଥ୍ୟକୁ ଭଲ ରଖେ। ଖାଦ୍ୟନଳୀ ହେଉଛି ଆମର ଦ୍ୱିତୀୟ ମସ୍ତିଷ୍କ। ଖାଦ୍ୟର ପାଚନ କ୍ରିୟା ଓ ପୋଷଣ ଶୋଷଣ କରିବା ଏହାର ମୁଖ୍ୟ କାର୍ଯ୍ୟ ହୋଇଥାଏ। ଏଣୁ ଏଥିରେ ଥିବା ଉପକାରୀ ଗଟ୍ ବ୍ୟାକ୍ଟେରିଆଗୁଡ଼ିକର ସଂଖ୍ୟା ନିୟନ୍ତ୍ରଣରେ ରଖିବାରେ ପଖାଳ ମୁଖ୍ୟ ଭୂମିକା ରଖେ।

ଏହା ଆମର ବୃହଦାନ୍ତ୍ର ବା ଲାର୍ଜ ଇଣ୍ଟେଷ୍ଟାଇନ୍‌ର କାର୍ଯ୍ୟକାରିତା ବଢ଼ାଏ ଓ କୋଲନ୍ ସୁସ୍ଥ ରଖେ। ଏଣୁ ଆମର ମଳତ୍ୟାଗ ଜନିତ କୌଣସି ସମସ୍ୟା ଦେଖାଯାଏନି। ଇରିଟେବଲ ବାଉଲ ସିଣ୍ଡ୍ରୋମ୍ ବା ମଳତ୍ୟାଗରେ ଅନିୟମିତତା ପରି ସମସ୍ୟାଗୁଡ଼ିକ ନିୟମିତ ପଖାଳ ଖାଉଥିବା ବ୍ୟକ୍ତିଙ୍କଠାରେ ଦେଖାଯାଏ ନାହିଁ।

ପାକସ୍ଥଳୀରେ ଘା’ ବା ଅଲସର ହେବା, ଗ୍ୟାଷ୍ଟ୍ରିକ୍ ସମସ୍ୟା ଓ ଡିହାଇଡ୍ରେସନ୍ ହେବା ପରି ସମସ୍ୟାରେ ପଖାଳ ରାମବାଣ ପରି କାମକରେ। ପଖାଳ ତୋରାଣିରେ ଥିବା ପ୍ରୋବାୟୋଟିକ୍ ପାକସ୍ଥଳୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ। ସାଧାରଣତଃ ଆମେ ଖାଉଥିବା ଭାତରେ କ୍ୟାଲୋରୀ ଅଧିକ ଥାଏ। କିନ୍ତୁ ପଖାଳ କମ୍ କ୍ୟାଲୋରୀଯୁକ୍ତ ହୋଇଥାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ଖଣିଜ ଲବଣ ଅଧିକ ପରିମାଣରେ ଥାଏ ଯାହା ଆମର ପୋଷଣର ସନ୍ତୁଳନକୁ ଠିକ୍ ରଖେ।

ଆମର ଗଟ୍ ବା ଖାଦ୍ୟନଳୀର ସ୍ୱାସ୍ଥ୍ୟ ଠିକ୍ ରହିଲେ ଆମର ଚର୍ମ ମଧ୍ୟ ସୁସ୍ଥ ରହେ। ରିଙ୍କଲ୍‌ ବା ଚର୍ମ ଢ଼ିଲା ପଡ଼ିଯିବା ପରି ସମସ୍ୟା ମଧ୍ୟ ଆମ ଖାଦ୍ୟନଳୀର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ଆୟୁର୍ବେଦ ଅନୁସାରେ ଆମ ଶରୀରର ତିନି ପ୍ରକାର ଦୋଷ ଯେପରିକି ବାତ, ପିତ, କଫକୁ ନିୟନ୍ତ୍ରଣରେ ରଖିବାରେ ପଖାଳ ଉପାଦେୟ ଅଟେ। ତେବେ ଦିନକୁ ତିନିଥରରୁ ଅଧିକ ଖାଇବା ଦ୍ୱାରା ଏହା କଫଜନିତ ସମସ୍ୟା ବଢ଼ାଇପାରେ। ଥଣ୍ଡା ଓ ଏସିଡିଟି ପରି ସମସ୍ୟାଥିବା ବ୍ୟକ୍ତିମାନେ ସକାଳ ଜଳଖିଆ ଭାବେ ପଖାଳ ନେଇପାରିବେ। ଆମ ଓଡ଼ିଆ କୃଷକମାନେ ସକାଳେ ପଖାଳ କଂସାଏ ଖାଇ ପୁରା ଦିନ ଚାଷଜମିରେ ଖୁବ୍ ଫୂର୍ତ୍ତିରେ ଚାଷକାମ କରୁଥିଲେ।

ପଖାଳ ଉପକାରୀ ଶ୍ୱେତସାରର ଏକ ଭଲ ଉତ୍ସ ହୋଇଥିବା ବେଳେ ଏହା ସହ ଖିଆଯାଉଥିବା ଖାଦ୍ୟ ଯେପରି ବଡ଼ିଚୁରା, ଶାଗ, ମାଛଭଜା ଇତ୍ୟାଦି ପ୍ରୋଟିନ୍, ଭିଟାମିନ୍ ଓ ଅନ୍ୟ ଖାଦ୍ୟସାରରେ ଭରପୂର ଥାଏ। ଏଣୁ ପଖାଳ ଏକ ସୁଷମ ଖାଦ୍ୟରୂପେ ଗଣାଯାଏ। ଏହା ଓଜନ କମାଇବା ପାଇଁ ଏକ ଭଲ ଖାଦ୍ୟ, କାରଣ ଏହା ଗରମ ଭାତଠାରୁ ୫୦-୬୦ ପ୍ରତିଶତ କମ୍ କ୍ୟାଲୋରୀଯୁକ୍ତ। ଖରାଦିନେ ପଖାଳ ତୋରାଣି ଏକ ଭଲ ଥଣ୍ଡା ପାନୀୟରୂପେ ନିଆଯାଇପାରିବ। କୋଲଡ୍ରିଙ୍କସ ପରି ଅସ୍ୱାସ୍ଥ୍ୟକର ପାନୀୟ ବଦଳରେ ଆମେ ପଖାଳ ତୋରାଣିରେ ଲେମ୍ବୁ କିମ୍ୱା ଦହି ଆଦି ପକାଇ ପିଇବା ଉପଯୁକ୍ତ ହୋଇଥାଏ।

ତେବେ ପଖାଳର ଏତେ ସବୁ ମହତ୍ତ୍ୱ ଜାଣିବା ପରେ ବର୍ତ୍ତମାନ ଦେଶ ବିଦେଶରେ ମଧ୍ୟ ଏହାର ଆଦୃତି ବଢ଼ିଛି। ଏହାର ସ୍ୱାସ୍ଥକର ଗୁଣ ପାଇଁ ଆଜି ଏହା କେବଳ ଏକ ଗରିବଘରର ଖାଦ୍ୟ ହୋଇ ରହିନାହିଁ। ଏହା ଏବେ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ମଧ୍ୟ ଏକ ମୁଖ୍ୟ ଖାଦ୍ୟରୂପେ ମେନ୍ୟୁରେ ରହୁଛି। ତେବେ ଆପଣମାନେ ମଧ୍ୟ ଖରାଦିନେ ନିୟମିତ ପଖାଳ ଖାଇବା ଅଭ୍ୟାସ କରନ୍ତୁ ଯାହା ଦ୍ୱାରା ନିଜେ ସୁସ୍ଥ ରହିବା ସହ ପରିବାରରେ ସମସ୍ତେ ସୁସ୍ଥ ରହିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button