ରାଜ୍ୟ

୨୫% ଏମ୍ଏସ୍‌ଏମ୍ଇ ରୁଗ୍‌ଣ: ଜରୁରୀ ସହାୟତା ଆବଶ୍ୟକ

ଭୁବନେଶ୍ବର: ରାଜ୍ୟରେ ୫,୩୫,୯୧୦ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ରହିଛି। ସେଥିରୁ ୨୫ ପ୍ରତିଶତ ରୁଗ୍ଣ ହୋଇପଡ଼ିଥିବା ବେଳେ ତିଷ୍ଠିବାକୁ ସଂଘର୍ଷ ଜାରି ରଖିଛନ୍ତି ବୋଲି ଏମ୍ଏସ୍ଏମ୍ଇ ରପ୍ତାନି ପ୍ରସାର ପରିଷଦ (ଇପିସି)ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ସଂଘର୍ଷରତ ଏମ୍ଏସ୍ଏମ୍ଇଗୁଡ଼ିକୁ ତୁରନ୍ତ ସହାୟତା ଦେବାର ଆବଶ୍ୟକତା ରହିଛି ବୋଲି ଏମ୍ଏସ୍ଏମ୍ଇ ଇପିସିର ଅଧ୍ୟକ୍ଷ ଡ.

ଡି ଏସ୍ ରାୱତ୍ କହିଛନ୍ତି।

ଏହି ରିପୋର୍ଟ ଅନୁସାରେ ରାଜ୍ୟର ୫୯.୪୮ ପ୍ରତିଶତ ଏମ୍ଏସ୍ଏମ୍ଇ ଗ୍ରାମାଞ୍ଚଳରେ ଥିବା ବେଳେ ୪୦.୫୨ ପ୍ରତିଶତ ସଂସ୍ଥା ସହରାଞ୍ଚଳରେ ରହିଛି। ଏହି କମ୍ପାନିଗୁଡ଼ିକ ୨୫,୬୫୫ କୋଟି ଟଙ୍କାର ପୁଞ୍ଜିନିବେଶ କରିଥିବା ବେଳେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ସେଥିରୁ ଯେଉଁ ସଂସ୍ଥାଗୁଡ଼ିକ ରୁଗ୍ଣ ହୋଇପଡ଼ିଛନ୍ତି ସେମାନଙ୍କ ପୁନରୁଦ୍ଧାର ଲାଗି ରିପୋର୍ଟରେ କେତେକ ସୁପାରିସ କରାଯାଇଛି। ଜରୁରୀକାଳୀନ ଭିତ୍ତିରେ ପୁନରୁଦ୍ଧାର ଲାଗି ପଦକ୍ଷେପ ଗ୍ରହଣ କରାଗଲେ ଏମ୍ଏସ୍ଏମ୍ଇ ଭିତରେ ରୁଗ୍ଣ ସଂସ୍ଥା ହାର ୨୫-୩୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇବ। ବର୍ଷକୁ ୫୦ ହଜାର ନୂଆ ସଂସ୍ଥା ପ୍ରତିଷ୍ଠା ହୋଇପାରିବ ଏବଂ ୨ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ଲକ୍ଷେ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଜରୁରୀ ସହାୟତା ଆବଶ୍ୟକ
ଏମ୍ଏସ୍ଏମ୍ଇ ଇପିସି ସର୍ବେକ୍ଷଣ

ନୂଆ ପିଢ଼ିର କମ୍ପାନିଗୁଡ଼ିକ ଲାଗି ଯୋଜନା ଆଣିବା, ଉଦ୍ୟମ ପଞ୍ଜୀକରଣ ଜରିଆରେ ସେଗୁଡ଼ିକୁ ସଂଗଠିତ କରିବା, ଫାଇନାନ୍ସ ଓ ମାଇକ୍ରୋ କ୍ଲଷ୍ଟର ସ୍କିମ୍ ଆଦି ଆଣିବାକୁ କୁହାଯାଇଛି। ସିଙ୍ଗଲ ୱିଣ୍ଡୋ ପେମେଣ୍ଟ ବ୍ୟବସ୍ଥା, ସ୍ବତନ୍ତ୍ର ଷ୍ଟାର୍ଟଅପ୍ ସେଣ୍ଟର ସ୍ଥାପନ କରିବା, ଫାବ୍ ଲ୍ୟାବ୍, ମେକର୍ ଲ୍ୟାବ୍, ଆସେମ୍ବଲି ସୁବିଧା ଆଦି କରିବା ଲାଗି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ରୁଗ୍ଣ ଏମ୍ଏସ୍ଏମ୍ଇଗୁଡ଼ିକର ପୁନରୁଦ୍ଧାର ପାଇଁ ପାଣ୍ଠିର ବ୍ୟବସ୍ଥା କରିବା, ଷ୍ଟାର୍ଟଅପ୍ଗୁଡ଼ିକୁ ଇକ୍ବିଟି ପାଣ୍ଠି ଦେବା, ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଜରିଆରେ ପାଣ୍ଠିର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ଯେହେତୁ ଏମ୍ଏସ୍ଏମ୍ଇଗୁଡ଼ିକ ଅର୍ଥନୀତିର ମେରୁଦଣ୍ଡ, ତେଣୁ ସେମାନଙ୍କ ପାଇଁ କଞ୍ଚାମାଲ ଯୋଗାଡ଼ କରିବା, ବଡ଼ ଗ୍ରାହକଙ୍କ ସହିତ ସେମାନଙ୍କୁ ଯୋଡ଼ିବା ଲାଗି ସରକାର ଏକ ପ୍ଲାଟଫର୍ମ ବିକାଶ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏମ୍ଏସ୍ଏମ୍ଇଗୁଡ଼ିକଠାରୁ ୨୫ ପ୍ରତିଶତ ଜିନିଷ କିଣିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଏବଂ ଏସ୍ସି/ଏସ୍ଟି ଉଦ୍ୟୋଗୀଙ୍କ ଜିନିଷକୁ ପ୍ରାଥମିକତା ଦେବା ଲାଗି ରିପୋର୍ଟରେ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button