ରାଜ୍ୟ

ନିଷ୍ଠାହୀନ ଠିକାସଂସ୍ଥା ହାତରେ ରୋଗୀଙ୍କ ଭାଗ୍ୟ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ। ଦୈନିକ ୫୦୦୦ରୁ ଅଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ତିନିଦିନ ଧରି ହସ୍ପିଟାଲ ପରିସରରୁ ଅଳିଆ ଉଠିଲାନି। ଦୁର୍ଗନ୍ଧମୟ ପରିବେଶରେ ଡାକ୍ତରମାନେ ନାକରେ ରୁମାଲ ଚାପି ଚିକିତ୍ସା କଲେ। ଅଳିଆ ପୂର୍ଣ୍ଣ ତଥା ପରିସ୍ରାରେ ଭାସୁଥିବା ୱାର୍ଡରେ ରୋଗୀଙ୍କ ଅବସ୍ଥା କ’ଣ ହୋଇଥିବ ଅନୁମାନ କରାଯାଇପାରେ।

ଅବଶ୍ୟ ଆଜି ଆଲୋଚନା ପରେ ଅପରାହ୍ନ ୪ଟାରେ ଅଳିଆ ଉଠିଲା। କିନ୍ତୁ ନର୍ସିଂ ଅଫିସରମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଲେଣି। ଦିନସାରା ନର୍ସିଂ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ ଜରୁରିକାଳୀନ ବ୍ୟବସ୍ଥା ଛଡ଼ା ଅନ୍ୟ କେଉଁଠି ନର୍ସିଂ କର୍ମଚାରୀ ନାହାନ୍ତି।

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ୟାପିଟାଲ ହସ୍ପିଟାଲରେ ଏକ ବଡ଼ ସମସ୍ୟା ପାଲଟିଛି। ଏହି ସଫେଇ କର୍ମଚାରୀମାନେ ଏକ ଘରୋଇ ସଂସ୍ଥା କୁଏସ୍ କର୍ପୋରେସନ ଅଧୀନରେ ନିଯୁକ୍ତ ହୋଇଛନ୍ତି। ସଂସ୍ଥା ପ୍ରାୟ ଏକବର୍ଷ ଧରି ଏଠାକାର ଠିକା ପାଇଛି। କେବଳ ସଫେଇ ନୁହେଁ, ସୁରକ୍ଷା ସମେତ ଆଉକିଛି କାମର ଦାୟିତ୍ବ ମଧ୍ୟ ଏହି ସଂସ୍ଥାକୁ ପ୍ରଦାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ଆହୁରି ଦୁଇଟି ବଡ଼ ସରକାରୀ ହସ୍ପିଟାଲର ଠିକା ଏହି ସଂସ୍ଥା ପାଇଛି। ତେବେ ଅନ୍ତତଃ କ୍ୟାପିଟାଲ ହସ୍ପିଟାଲର ପରିଚାଳନାରେ ସଂସ୍ଥା ଏକପ୍ରକାର ବିଫଳ ହୋଇଛି। ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ନିଷ୍ଠା ମଧ୍ୟ ପ୍ରଦର୍ଶନ କରୁନାହିଁ। ସେଥିପାଇଁ ଏଠାରେ ସ୍ବାସ୍ଥ୍ୟସେବା ନିୟମିତ ବ୍ୟବଧାନରେ ଠପ୍ ହୋଇଯାଉଛି। ୩ଦିନ ଧରି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏତେ ସାଂଘାତିକ ସ୍ଥିତି ଉପୁଜିଥିଲେ ହେଁ ସଂସ୍ଥାର କୌଣସି ପ୍ରତିନିଧିଙ୍କର ଦେଖା ନମିଳିବା ସଂସ୍ଥାର କେତେ ନିଷ୍ଠା ରହିଛି, ତାହା ଆଉଥରେ ପ୍ରମାଣିତ ହୋଇଛି।

ପୂର୍ବରୁ ଗତ ଜୁନମାସରେ ମଧ୍ୟ ଏହି କୁଏସ୍ କର୍ପୋରେସନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ହସ୍ପିଟାଲକୁ ସଫାସୁତରା ରଖିବା ଦିଗରେ ସଂସ୍ଥା ଯେଉଁଭଳି ଢଙ୍ଗରେ କାର୍ଯ୍ୟ କରୁଛି ସେଥିରେ ବିଶେଷ ଉନ୍ନତି ଦେଖିବାକୁ ମିଳୁନାହିଁ, ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏସବୁ ଅସଜଡ଼ା କାର୍ଯ୍ୟକୁ ସଜାଡ଼ିବାରେ ଅତ୍ୟଧିକ ସମୟ ଦେବାକୁ ପଡୁଛି। ତେଣୁ ଟେଣ୍ଡରରେ ଥିବା ସର୍ତ୍ତାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂସ୍ଥାକୁ ତାଗିଦ୍ କରାଯାଇଥିଲା। ଏହା ସହିତ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି, କର୍ମଚାରୀ ଅନୁପସ୍ଥିତ ରହିଲେ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବା, ନିୟୋଜିତ କର୍ମଚାରୀଙ୍କୁ ନିୟମିତ ବ୍ୟବଧାନରେ ତାଲିମ ଦେବା ଓ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବୈଷୟିକ ଜ୍ଞାନକୌଶଳ ଜରିଆରେ ସୁନିଶ୍ଚିତ କରିବାକୁ କୁହାଯାଇଥିଲା। ସେହିପରି ହସ୍ପିଟାଲର ଆବଶ୍ୟକ ସମୟରେ ଅତିରିକ୍ତ ମାନବ ସମ୍ବଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଗତ ୩ଦିନ ଧରି ହସ୍ପିଟାଲର ସଫେଇ ବ୍ୟବସ୍ଥା ଯେଉଁଭଳି ଭୁଶୁଡ଼ି, ସେଥିରୁ ପ୍ରମାଣିତ ହୋଇଛି ଯେ ସେ ତାଗିଦ୍କୁ ସଂସ୍ଥା ବିଶେଷ ଗୁରୁତ୍ବ ଦେଇନାହିଁ। ଏଭଳି ସଂସ୍ଥା ହାତରେ ରାଜଧାନୀରେ ଥିବା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ହସ୍ପିଟାଲକୁ ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଆଜି ସଂସ୍ଥାର କର୍ତ୍ତୃପକ୍ଷ ପୁଲିସ ଏସିପିଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। କିନ୍ତୁ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଆରମ୍ଭ ହେବା ଫଳରେ ଆଉ ଗୋଟିଏ ନୂଆ ସମସ୍ୟା ଆରମ୍ଭ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୨୩୦ ଜଣ ନର୍ସିଂ କର୍ମଚାରୀ ଥିବା ବେଳେ ପ୍ରାୟ ୧୭୦ ଜଣ ଆନ୍ଦୋଳନରେ ବସିଛନ୍ତି। ଫଳରେ ସ୍ବାସ୍ଥ୍ୟସେବା ଠପ୍ ହୋଇଯାଇଛି। ୨୭ ତାରିଖରୁ ସେମାନେ ଜରୁରିକାଳୀନ ବିଭାଗରେ ମଧ୍ୟ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସେମାନେ ଆନ୍ଦୋଳନରୁ ନ ଓହରିଲେ ପରିସ୍ଥିତି ଜଟିଳ ହୋଇଯିବା ନିଶ୍ଚିତ।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଯେଉଁ ଅସୁବିଧା ହୋଇଛି, ଏହା ସଂପୃକ୍ତ ସଂସ୍ଥା ଭରଣା କରିବ। ସଂସ୍ଥାଠାରୁ ୩ଦିନର ଜରିମାନା ଆଦାୟ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବ। ଏପରି ଅସୁବିଧା ଆଗକୁ ହେଲେ, ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାଲାଗି ବିଭାଗକୁ ଲେଖାଯିବ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button