ଏସ୍ସି,ଏସ୍ଟି ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୬୩ ପ୍ରତିଶତ ଅଣଶିକ୍ଷକ ନାହାନ୍ତି
ଭୁବନେଶ୍ୱର,୨୩/୦୯: ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସଂପ୍ରଦାୟ, ପଛୁଆ ବର୍ଗର ପିଲାଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଛନ୍ତି । ଆକାଂକ୍ଷା ଯୋଜନାରେ ସହରାଞ୍ଚଳ ହଷ୍ଟେଲ ନିର୍ମାଣ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ବୈଷୟିକ ଓ ଦକ୍ଷତା ଶିକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି ।
ମାତ୍ର ରାଜ୍ୟରେ ଥିବା ଅନୁସୂଚିତ ଜାତି, ଜନଜାତି ଉଚ୍ଚ ମାଧ୍ୟମିକ ସ୍କୁଲରେ ୨୭ ପ୍ରତିଶତ ଶିକ୍ଷକ ପଦବି ଖାଲି ପଡ଼ିଛି । କେବଳ ଏତିକି ନୁହେଁ ଅଣ ଶିକ୍ଷକ ପଦବି ୬୩ ପ୍ରତିଶତ ଖାଲି ପଡ଼ିଛି ।
ତଥ୍ୟ ଅନୁଯାୟୀ, ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫୮୧ ଶିକ୍ଷକ ପଦବି ମଞ୍ଜୁର ହୋଇଛି । ଏଥିରୁ ୪୨୪ ଜଣ କାର୍ଯ୍ୟରତ ଅଛନ୍ତି । ତନ୍ମଧ୍ୟରୁ ୧୫୭ ଶିକ୍ଷକ ପଦବି ଖାଲି ପଡ଼ିଛି । ବାଲେଶ୍ୱର ଜିଲ୍ଲାରେ ୧୩, ବଲାଙ୍ଗିରରେ ୨, ଗଜପତିରେ ୧୬, କଳାହାଣ୍ଡିରେ ୩, କନ୍ଧମାଳରେ ୧୪, କୋରାପୁଟରେ ୧୬, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୧୪, ନୂଆପଡ଼ାରେ ୩, ରାୟଗଡ଼ାରେ ୧୫, ସମ୍ବଲପୁରରେ ୪ ଏବଂ ସୁନ୍ଦରଗଡ଼ରେ ୧୦ଟି ଶିକ୍ଷକ ପଦବି ଖାଲି ପଡ଼ିଛି । ବୌଦ୍ଧ ଜିଲ୍ଲା ପାଇଁ ୭ ପଦବି ମଞ୍ଜୁର ହୋଇଛି, କିନ୍ତୁ ଏଥିରେ କେହି ନାହାନ୍ତି । ଶିକ୍ଷକ ପଦବି ଯେତିକି ଖାଲିପଡ଼ିଛି ତାଠୁ ଅଧିକ ଚିନ୍ତା ବଢ଼ାଉଛି ଅଣଶିକ୍ଷକ ପଦବି ।
ରାଜ୍ୟରେ ମୋଟ ୪୮୮ଟି ଅଣଶିକ୍ଷକ ପଦବିକୁ ମଞ୍ଜୁର ମିଳିଛି । ଏଥିରୁ ୧୮୦ ଜଣ କାର୍ଯ୍ୟରତ ଅଛନ୍ତି । ୩୦୮ ପଦବି ଖାଲି ପଡ଼ିଛି । ମାତ୍ର ୩୭ ପ୍ରତିଶତ ଅଣଶିକ୍ଷକ କର୍ମଚାରୀରେ କାର୍ଯ୍ୟାଳୟ କାମ ହେଉଛି । ବାଲେଶ୍ୱର ଜିଲ୍ଲାରେ ୩୩, ବଲାଙ୍ଗିରରେ ୫, ବୌଦ୍ଧରେ ୬ ପଦବିରେ କେହିନାହାନ୍ତି । କନ୍ଧମାଳ ଜିଲ୍ଲାରେ ୪୨ ପଦବି ମଞ୍ଜୁର ହୋଇଥିବା ବେଳେ ଜଣେ ହେଲେ କେହି କାର୍ଯ୍ୟରତ ନାହାନ୍ତି । ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା । ୧୧ଟି ପଦବି ରହିଛି, ଜଣେ ହେଲେ କାର୍ଯ୍ୟରତ ନାହାନ୍ତି । ଗଜପତି ଜିଲ୍ଲାରେ ୧୨ ପଦବିରୁ ୧୦ ଖାଲି ପଡ଼ିଛି । ସେହିପରି କଳାହାଣ୍ଡିରେ ୩୬ରୁ ୨୧ ଖାଲି । କୋରାପୁଟରେ ୩୨, ନବରଙ୍ଗପୁର ୪୨, ରାୟଗଡ଼ାରେ ୨୪, ମାଲକାନାଗିରିରେ ୨୨, କେନ୍ଦୁଝରରେ ୧୫, କଳାହାଣ୍ଡିରେ ୨୧, ସୁନ୍ଦରଗଡ଼ରେ ୩୦ କର୍ମଚାରୀ ନାହାନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ସ୍ୱତନ୍ତ୍ର ସ୍କୁଲ ନିର୍ମାଣ ହୋଇଛି । ୬୦ରୁ ଅଧିକ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି । ପିଲାମାନେ ଯେପରି ପାଠପଢ଼ାରେ ଅବହେଳିତ ନହେବେ ସେଥିଲାଗି ଧ୍ୟାନ ଦିଆଯାଉଛି । ସ୍କୁଲ ପୋଷାକ, ପାଠ୍ୟ ଉପକରଣ ଦିଆଯାଉଛି । ମାଧୋ ସିଂ ଯୋଜନାରେ ହାତଖର୍ଚ୍ଚ ଆଦି ଯୋଗାଇ ଦେବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି।