ମଙ୍ଗଳବାରଠୁ ମା’ ଗଡ଼ଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା; ଏଥର ଲାଗି ହେବ ସୁନା ହାର, ଖଡ୍ଗ
କଟକ, ୨୩/୦୯: ଶାରଦୀୟ ଦୁର୍ଗାପୂଜା ଅବସରରେ ଅସନ୍ତା ୨୪ ତାରିଖଠାରୁ ବାରବାଟୀ ଦୁର୍ଗ ପରିସରରେ ମା’ଗଡ଼ଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା ଓ ବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ମା’ଙ୍କ ବେଶ କାର୍ଯ୍ୟକ୍ରମରେ ସୁନାର ହାର ଓ ଖଡ୍ଗ ଲାଗି ହେବ । ପୂର୍ବରୁ ମା’ଙ୍କର ବିଭିନ୍ନ ସୁନା ଅଳଙ୍କାର ଲାଗି ହୋଇଥିବା ବେଳେ ବାକିଥିବା ସୁନା ହାର ଓ ଖଡ୍ଗ ଏଥର ଲାଗି ହେବା ପାଇଁ ନିର୍ମାଣ ହୋଇଛି ।
ସୁନା ହାର ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖଡ୍ଗ ପାଇଁ ସଢ଼େ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମା’ ଗଡ଼ଚଣ୍ଡୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଂପାଦକ ନିର୍ମଳ ବଳ ସୂଚନା ଦେଇଛନ୍ତି ।
ଆସନ୍ତା ୨୪ରୁ ପୂଜା ଆରମ୍ଭ ହୋଇ ଅକ୍ଟୋବର ୧୧ରେ ସମାପନ ହେବ । ପ୍ରଥମ ଦିନ ମା’ ଗଡ଼ଚଣ୍ଡୀଙ୍କ ନିଜ ବେଶ ଅନୁଷ୍ଠିତ ହେଉଥିବା ବେଳେ ପରବର୍ତ୍ତୀ ଦିନଗୁଡିକରେ ଗଜଲକ୍ଷ୍ମୀ ବେଶ, ସୁନା ବେଶ, ସରସ୍ୱତୀ ବେଶ, କାଳୀ ବେଶ, ଭୁବନେଶ୍ୱରୀ ବେଶ, କମଳା ବେଶ, ହରଚଣ୍ଡୀ ବେଶ, ଅନ୍ନପୂର୍ଣ୍ଣା ବେଶ, ରାଜରାଜେଶ୍ୱରୀ ବେଶ, ବଗଳା ବେଶ, ତାରା ବେଶ, ବନଦୁର୍ଗା ବେଶ, ନାରାୟଣୀ ବେଶ, ଗାୟତ୍ରୀ ବେଶ, ମହାସରସ୍ୱତୀ ବେଶ, ମହାଲକ୍ଷ୍ମୀ ବେଶ, ମହାକାଳୀ ବେଶ, ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହେବ ।
ସେହିପରି ଅକ୍ଟୋବର ୩ ତାରିଖଠାରୁ ନବରାତ୍ର ପୂଜା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ ଦୀପଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୧ତାରଖ ପୂର୍ବାହ୍ନରେ ସନ୍ଧି ପୂଜା ଓ ରାତ୍ର ୧୧ଟାରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ୧୩ ତାରିଖ ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହେବ । ମା’ଗଡ଼ଚଣ୍ଡୀ ମନ୍ଦିର ପୂଜକ ଚନ୍ଦ୍ରଶେଖର ରଥ ପୂଜା କାର୍ଯ୍ୟ ସଂପାଦନ କରିବେ । ଟ୍ରଷ୍ଟ ବୋର୍ଡ ସଦସ୍ୟ ଦିଲ୍ଲୀପ କୁମାର ବେହେରାଙ୍କ ସମେତ କାର୍ଯ୍ୟକର୍ତ୍ତା ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରିବେ।