ରାଜ୍ୟ

ଶ୍ରୀସୁଦର୍ଶନଙ୍କ ଆଶ୍ରମ ବିଜେ, ନଗର ପରିକ୍ରମା: ଆୟ-ବ୍ୟୟର ହିସାବ ଦେଲେ ଶ୍ରୀଜମ୍ବେଶ୍ୱର

ପୁରୀ,୧୨/୦୯: ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳନ ଅବସରରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀସୁଦର୍ଶନ ଦେବ ବୁଧବାର ଆଶ୍ରମ ବିଜେ ସହ ନଗର ପରିକ୍ରମା କରି ବଡ଼ଦେଉଳର ବାର୍ଷିକ ଆୟ-ବ୍ୟୟର ହିସାବ ନେଇଛନ୍ତି । ହିସାବ ରକ୍ଷକ ଶ୍ରୀଜମ୍ବେଶ୍ୱର ମହାଦେବ ପରମ୍ପରା କ୍ରମେ ଏହି ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

ଚଉଦୋଳରେ ଅଧିଷ୍ଠିତ ହୋଇ ଶ୍ରୀସୁଦର୍ଶନ ଶ୍ରୀମନ୍ଦିରରୁ ବାହାରି ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିରରେ ବିଜେ ହେବାରୁ ଏହି ଦେବ ବିଧି ସମ୍ପନ୍ନ ହୋଇଥିଲା । ଏଥିସହ ବୁଧବାର ଠାକୁରଙ୍କ ଜ୍ୟେଷ୍ଠା ବିଛା ନକ୍ଷେତ୍ର ଓ ଦୁର୍ଗାଶୟନ ନୀତି ଅନୁଷ୍ଠିତ ହୋଇଛି ।

ଅପରାହ୍ନ ୪ଟା୫୫ମିନିଟ୍ରେ ଠାକୁରଙ୍କ ନକ୍ଷେତ୍ର ବନ୍ଦାପନା ନୀତି ସମ୍ପନ୍ନ ପରେ ଶ୍ରୀସୁଦର୍ଶନ ଦେବଙ୍କ ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବାପରେ ଦଇତାପତିମାନେ ୫ଟା୫୫ମିନିଟ୍ରେ ଠାକୁରଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇଥିଲେ । ଶ୍ରୀସୁଦର୍ଶନଙ୍କର ରୁନ୍ଧା ସହ ପାଟପତନୀ ଲାଗି ହୋଇଥିଲା । ସନ୍ଧ୍ୟା ୬ଟା୨୦ମିନିଟ୍ରେ ଝୁଲଣ ମଣ୍ଡପ ନିକଟରେ ଚଉଦଳ ବିଜେ ହୋଇ ଠାକୁରଙ୍କୁ ସୁନା ହରଡ଼ମାଳ ଓ ଚୂଳ ଲାଗି କରାଯାଇଥିଲା । ଘଣ୍ଟ ଧ୍ୱନି, ଦୁହୁଡ଼ି ସହ ପଟୁଆରରେ ସୁଦର୍ଶନ ଦେବଙ୍କ ଚଉଦୋଳ ଶ୍ରୀମନ୍ଦିର ବେଢା ବୁଲି ନଗର ପରିକ୍ରମାରେ ବାହାରି ଥିଲେ । ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଜମ୍ୱେଶ୍ୱର ମହାଦେବଙ୍କ ମନ୍ଦିରରେ ବିଜେ ହୋଇଥିଲେ । ସେଠାରେ ଶୀତଳଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ପଢ଼ନ୍ତି । ଯଥାବିଧି ନୀତି ଶେଷ ପରେ ସୁଦର୍ଶନ ଦେବ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।

ପରେ ପାଳିଆ ମେକାପ ସିଂହାସନ ପୋଛା ନୀତି ଶେଷ କରିଥିଲେ । ଚାରି ବାଡ଼ରେ ମହାସ୍ନାନ ବିଧି ସମ୍ପନ୍ନ ହୋଇଥିଲା । ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଖଟଶେଜ ଘରୁ ନେଇ ସନ୍ଧ୍ୟା ଆଳତୀ ଶେଷ କରିଥିଲେ । ଚାରି ଜଣ ପୂଜାପଣ୍ଡା ସେବାୟତ ପୂଜାନୀତି ବଢ଼ାଇ ଶ୍ରୀସୁଦର୍ଶନଙ୍କ ପ୍ରସାଦ ଲାଗି ବିଧି ଶେଷ ହୋଇଥିଲା । ଭୋଗ ଶେଷ ହେବାପରେ ଶ୍ରୀବିଗ୍ରହଙ୍କ ବନ୍ଦାପନା ବିଧି ଶେଷ କରି ରାଧାଷ୍ଟମୀ ନୀତି ସମ୍ପନ୍ନ କରିଥିଲେ । ଠାକୁରଙ୍କ ବିଜେ ପଥରେ ବିଭିନ୍ନ ମଠ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦିଅଁଙ୍କୁ ପନ୍ତିଭୋଗ ଅର୍ପଣ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button