ଦେଶ- ବିଦେଶ

ଆର୍ଥିକ କ୍ଷତିର ସମ୍ମୁଖୀନ ହେଇଛନ୍ତି କଙ୍ଗନା, ଫିଲ୍ମ ଏମର୍ଜେନ୍ସି’ ପାଇଁ ବିକିଲେ ଘର

ମୁମ୍ଵାଇ ୨୦।୦୯: ବିବାଦୀୟ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍ ଅଟକିବା ଯୋଗୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି କଙ୍ଗନା ରଣାୱତ । ଏହି କାରଣରୁ ନିକଟରେ ତାଙ୍କୁ ନିଜର ମୁମ୍ବାଇ ସ୍ଥିତ ବଙ୍ଗଳା ବିକ୍ରି କରିବାକୁ ପଡ଼ିଛି । ଏକ ସାକ୍ଷାତକାରରେ କଙ୍ଗନା ଏ ବିଷୟରେ ଖୋଲି କହିଛନ୍ତି । ସେ କହିଛନ୍ତି ‘ମୋ ଫିଲ୍ମ ରିଲିଜ୍ ହେବାକୁ ଯାଉଥିବାରୁ ସେଥିରେ ନିଜର ଜମାପୁଞ୍ଜି ଲଗାଇ ଦେଇଥିଲି ।

ଏବେ ଫିଲ୍ମ ରିଲିଜ୍ ହୋଇପାରୁନି । କ’ଣ କରିଥାନ୍ତି । ସମ୍ପତ୍ତି ଏଭଳି ସମୟରେ କାମରେ ଆସେ । ତେଣୁ ବଙ୍ଗଳା ବିକ୍ରି କରିବାକୁ ନିଷ୍ପତ୍ତି ନେଲି ।’

କଙ୍ଗନା ଯେଉଁ ମୁମ୍ବାଇ ସ୍ଥିତ ବଙ୍ଗଳା ବିକ୍ରି କରିଛନ୍ତି, ତାକୁ ସେ ନିଜ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସର ଅଫିସ୍ ରୂପେ ବ୍ୟବହାର କରୁଥିଲେ । ସେ ବଙ୍ଗଳାକୁ ୩୨ କୋଟିରେ କୋଇମ୍ବାଟୁରର ଶ୍ୱେତା ବଥିଜାଙ୍କୁ ବିକ୍ରି କରିଛନ୍ତି । ଏଥିରୁ ତାଙ୍କର ୧୨ କୋଟି ଟଙ୍କା ଲାଭ ହୋଇଛି । ମୁମ୍ବାଇର ପାଲି ହିଲ ସ୍ଥିତ ପୋଶରେ ଥିବା ଏହି ବଙ୍ଗଳାକୁ କଙ୍ଗନା ୨୦୧୭ ମସିହାରେ ୨୦ କୋଟିରେ କିଣିଥିଲେ । ୨୦୨୦ ମସିହାରେ ବିଏମ୍ସି ଏହି ବଙ୍ଗଳାକୁ ଅନଧିକୃତ ନିର୍ମାଣ ଆଧାରରେ ଭଙ୍ଗାରୁଜା କରିଥିଲା । ସେପଟେ, ଫିଲ୍ମ ‘ଏମର୍ଜେନ୍ସି’ରେ କିଛି ପରିବର୍ତ୍ତନ ଓ ସିନ୍ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମକୁ ୟୁ/ଏ ପ୍ରମାଣପତ୍ର ଦେଇଛି । ଫିଲ୍ମର ଅନେକ ସିନ୍ ଉପରେ ସିବିଏଫ୍ସି ଆପତ୍ତି ଉଠାଇଥିଲା । ଫିଲ୍ମକୁ ନେଇ ବମ୍ବେ ହାଇକୋର୍ଟରେ ଗତ ଗୁରୁବାର ଶୁଣାଣି ହୋଇଥିଲା।

କଙ୍ଗନା ଅଭିଯୋଗ କରିଥିଲେ ଯେ ସିବିଏଫ୍ସି ଫିଲ୍ମକୁ ପୂର୍ବରୁ ପ୍ରମାଣପତ୍ର ଦେଇଥିଲା । କିନ୍ତୁ ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା ରିଲିଜ୍ର ୪ ଦିନ ପୂର୍ବରୁ ଏହା ଉପରେ ରୋକ ଲଗାଇଲା । ଏ ମାମଲାର ଶୁଣାଣିରେ ଜଷ୍ଟିସ୍ ବି.ପି. କୋଲାବାୱାଲା ଓ ଫିରଦୋଶ ପୁନୀୱାଲାଙ୍କ ଖଣ୍ଡପୀଠ କହିଛନ୍ତି, ଭବିଷ୍ୟତରେ ଆଇନ ବ୍ୟବସ୍ଥାରେ ସମସ୍ୟାର କେବଳ ଆଶଙ୍କା କରି ଅଭିବ୍ୟକ୍ତିର ସ୍ୱାଧୀନତାକୁ ରୋକାଯାଇ ପାରିବ ନାହିଁ । ସିବିଏଫ୍ସିକୁ କୌଣସି ପ୍ରକାର ପ୍ରମାଣପତ୍ର ମାମଲାରେ ନିଷ୍ପତ୍ତି ନେବାକୁ ହିଁ ପଡ଼ିବ । ଆସନ୍ତା ୨୫ ତାରିଖ ସୁଦ୍ଧା ଏ ମାମଲାର ନିଷ୍କର୍ଷରେ ପହଞ୍ଚିବାକୁ ଖଣ୍ଡପୀଠ ସେନ୍ସର ବୋର୍ଡକୁ ଆଦେଶ ଦେଇଛନ୍ତି । ଏ ମାମଲାରେ ଆସନ୍ତା ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button